ଡକ୍ଟର ଅର୍ଚ୍ଚନା ନାୟକଙ୍କୁ ଜେମା-ସାମନ୍ତ ସୃଜନୀ ପୁରସ୍କାର

କଟକ: ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ଉତ୍କଳ ସାହିତ୍ୟ ସମାଜର ମର୍ଯ୍ୟାଦାଜନକ ‘ଜେମା-ସାମନ୍ତ ସୃଜନୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ମେ ୭ତାରିଖ ସଂଧ୍ୟାରେ ସାହିତ୍ୟ ସମାଜର ପ୍ରତିଷ୍ଠା ଦିବସରେ ଡକ୍ଟର ନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଡକ୍ଟର ନାୟକଙ୍କୁ ୫୦ ହଜାର ଟଙ୍କା, ତାମ୍ରପତ୍ର, ଉପ‌େଢୗକନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ଏହି ଉତ୍ସବରେ ତିନିଜଣ ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ରତ୍ନାକର ଚଇନି, ପ୍ରଫେସର ବୈଷ୍ଣବ ଚରଣ ସାମଲ ଓ ପ୍ରମୋଦ କୁମାର ମହାନ୍ତିଙ୍କୁ ‘ବରିଷ୍ଠ ସଦସ୍ୟ ସମ୍ମାନ’ରେ ସମ୍ମାନିତ କରାଯିବ। ସୂଚନାଯୋଗ୍ୟ, ଡକ୍ଟର ନାୟକ ‘ରାଣୀ ଶ୍ୟାମାବତୀ’, ‘ସାତପଦ୍ମର ଦୀପ’, ‘ନକ୍ଷତ୍ରର ଭାଷା’, ‘ଅମ୍ବପଲୀ’, ‘କୁହୁଡ଼ି ପକ୍ଷୀ ଓ ସ୍ୱପ୍ନ ଗୋଧୂଳି’, ‘ପଣ୍ଡିତ ଗୋପବନ୍ଧୁ ଦାସ’, ‘ଓଡ଼ିଆ କାବ୍ୟରେ ଶିବ’, ‘ଶ୍ରୀଅରବିନ୍ଦ ଓ ନୂତନ ପୃଥିବୀ’ ଆଦି ଗଳ୍ପ ସଂକଳନ, ଉପନ୍ୟାସ, ପ୍ରବନ୍ଧ, ସମାଲୋଚନା ପୁସ୍ତକ ରଚନା କରି ସ୍ବତନ୍ତ୍ର ପାଠକୀୟ ଶ୍ରଦ୍ଧା ଓ ସ୍ବୀକୃତି ପାଇଛନ୍ତି। ଏହି ପୁରସ୍କାର ରତ୍ନମାଳୀ ଜେମା-ନାରାୟଣ ବୀରବର ସାମନ୍ତଙ୍କ ସ୍ମୃତିରେ ୨୦୧୮ରୁ ପ୍ରଦାନ କରାଯାଉଛି। ୨୦୧୮ରେ କଥାଶିଳ୍ପୀ ଡକ୍ଟର ଦେବ୍ରାଜ ଲେଙ୍କା ପ୍ରଥମ ଜେମା-ସାମନ୍ତ ସୃଜନୀ ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର