ଭୁବନେଶ୍ବର: କଥାରେ ଅଛି ‘ଯେସାକୁ ତେସା।’ ସ୍ମାର୍ଟ ସିଟି ଓ ବିଏମ୍ସି ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ଏହି ଉକ୍ତିଟି ବେଶ ପ୍ରତିପାଦିତ ହୋଇଛି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଉଭୟ ସଂସ୍ଥା ମୁହାଁମୁହିଁ ହୋଇଥିବା ନଜିର ରହିଥିଲେ ମଧ୍ୟ ନିକଟ ଅତୀତରେ ଘଟିଥିବା ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କଳ୍ପନା ଛକରେ ବିଏମ୍ସିର ନିଜସ୍ବ କୋଠା ଥିଲା। ନିଜ ଖର୍ଚ୍ଚରୁ ବିଏମ୍ସି ଏହାର ରକ୍ଷଣାବେକ୍ଷଣ କରୁଥିଲା। କିନ୍ତୁ କଳେବର ବଢ଼ିବାରୁ ଏହା ଯଥେଷ୍ଟ ହୋଇନଥିଲା। ଏଣୁ ୟୁନିଟ୍-୯ରେ ବିଏମ୍ସି-ଆଇସିଓଏମ୍ସି କୋଠା ନିର୍ମାଣ ହେବା ସହ ଗତ ବର୍ଷ ଫେବ୍ରୁଆରି ମାସରେ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଥିଲା। ବିଏମ୍ସି ଭାବିଥିଲା ନିଜ କୋଠା, ନିଜ ଅଫିସ। କିନ୍ତୁ ଭଡ଼ାଟିଆ ଭଳି ରହିଥିଲା। ଗତ ଡିସେମ୍ବର ମାସରେ ରକ୍ଷଣାବେକ୍ଷଣ ବାବଦକୁ ବିଏସ୍ସିଏଲ୍ ବିଏମ୍ସିକୁ ୧କୋଟି ୩୧ ଲକ୍ଷ ୯୨ ହଜାର ୬୮୫ଟଙ୍କା(ବର୍ଷକୁ)ର ବିଲ୍ ଧରାଇଥିଲା। ଏଥିରେ ରକ୍ଷଣାବେକ୍ଷଣ ବାବଦକୁ ୧କୋଟି ୨ଲକ୍ଷ ୬୨ ହଜାର ୬୪୭ ଟଙ୍କା ରହିଥିବା ବେଳେ ବିଦ୍ୟୁତ ବିଲ୍ ବାବଦକୁ ୨୯ ଲକ୍ଷ ୩୦ ହଜାର ୩୮ ଟଙ୍କା ରହିଥିଲା। ଏହାକୁ ନେଇ ବିଚାର ବିମର୍ଶ ଚାଲିଲା। କର୍ପୋରେସନରେ ବୈଠକରେ ଆଲୋଚନା ହେବା ପରେ ବିଏମ୍ସି ଏକ ବିଚିତ୍ର ନିଷ୍ପତ୍ତି ନେଲା। କଳ୍ପନା ଛକରେ ଥିବା ବିଏମ୍ସିର ପୁରୁଣା ଅଫିସ ସବ୍ରେଜିଷ୍ଟାରଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଛି। ସେଠାରୁ ଭଡ଼ା ମିଳିଲେ ବିଏସ୍ସିଏଲ୍ର ଏହି ଦେୟ ଦିଆ ଯିବ କି ନାହିଁ ତାହା ଉପରେ ବିଚାର କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହେଲା। ତାହା ପୁଣି ବିଦ୍ୟୁତ ବିଲ୍ ବାବଦକୁ ଅର୍ଥ ବାଦ୍ ଦେଇ କେବଳ ରକ୍ଷଣାବେକ୍ଷଣ ବାବଦକୁ ଦେୟ ଦିଆଯିବ। ଏତିକିରେ ସରିଲାନି। ଅନ୍ୟଏକ ପ୍ରସଙ୍ଗରେ ବିଏସ୍ସିଏଲ୍ ଯେତେବେଳେ ବିଏମ୍ସିର ଦ୍ବାରସ୍ଥ ହେଲା ସେତେବେଳେ ବିଏମ୍ସି ବି ସୁଧ ମୂଳ ସହ ଉତ୍ତର ଫେରାଇଲା।
ସହିଦନଗରରରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଦୁଇଟି ପାର୍କ ନିର୍ମାଣ କରିଛି। ଗୋଟିଏ ସ୍ମାର୍ଟ ପାର୍କ ଓ ଗୋଟିଏ ସେନ୍ସୋରି ପାର୍କ। ସେହିଭଳି ଖାରବେଳନଗରରେ ସୋସିଓ ଇକ୍ୟୁଟି ସେଣ୍ଟର, ସହିଦନଗର ଓ ବାପୁଜୀନଗରରେ ଦୁଇଟି ଆଇପିଏସ୍ସି କୋଠା ମଧ୍ୟ ବିଏସ୍ସିଏଲ୍ ନିର୍ମାଣ କରିଛି। ଏଗୁଡ଼ିକ ରକ୍ଷଣାବେକ୍ଷଣ ପାଇଁ ବିଏମ୍ସିକୁ ହସ୍ତାନ୍ତର କରିବାକୁ ବିଏସ୍ସିଏଲ୍ ଗତ ବର୍ଷ ଡିସେମ୍ବର ମାସରେ ଚିଠି ଲେଖିଥିଲା। ବିଏମ୍ସି ସଫା ସଫା ଶୁଣାଇଦେଲା କି ଜନପଥରେ ଯେଉଁ ସବୁ ବିଜ୍ଞାପନ ହୋର୍ଡିଂ ଲାଗିଛି ସେଥିରୁ ଆଦାୟ ହେଉଥିବା ଅର୍ଥ ବିଏମ୍ସିକୁ ସ୍ମାର୍ଟେ ସିଟି ପ୍ରଦାନ କରୁ। ନଚେତ୍ ଆମେ ଏହି ସବୁ ପାର୍କ ଓ କୋଠାର ରକ୍ଷଣାବେକ୍ଷଣ ନେବୁ ନାହିଁ। ନିୟମ ଅନୁଯାୟୀ ବିଏମ୍ସି ପରିସୀମାରେ ରହୁଥିବା ଯେ କୌଣସି ଜାଗାରେ ବିଜ୍ଞାପନ ଅଧିକାର କେବଳ ବିଏମ୍ସିର ରହିଛି। କିନ୍ତୁ ଜନପଥରେ ସ୍ମାର୍ଟ ସିଟି ପାଖରେ ଏହି ଅଧିକାର ରହିଛି।