ଭୁବନେଶ୍ବର: ଆସ କେ ଆସ ଦେଖିବ ପରା ଗୋ, ଶୋଇଛି କି ଶିଶୁ ଗୁହାଳ କୁଣ୍ଡରେ। ନାରାୟଣ ନର ଦେହେ ଦିଶେ କି ତୋରା ସଙ୍ଗୀତରେ ଗୁଞ୍ଜରିତ ହେଉଥିଲା ରାଜଧାନୀର ଚର୍ଚ୍ଚ। ପ୍ରତିକୂଳ ପାଗ ସତ୍ତ୍ୱେ ଶହ ଶହ ସଂଖ୍ୟାରେ ଭକ୍ତ ଯୋଗଦେଇ ପ୍ରଭୁଙ୍କ ଆଗମନକୁ ପ୍ରତୀକ୍ଷା କରି ରହିଥିଲେ। ବାଇବେଲ୍‌ ବାଣୀ ପଢ଼ି ପ୍ରଭୁଙ୍କୁ ଆରାଧନା କରୁଥିଲେ। ଶେଷରେ ଭକ୍ତମାନଙ୍କ ପ୍ରାର୍ଥନାରେ ବିଭୋର ହୋଇ ମଧ୍ୟରାତ୍ରିରେ ଧରାବତରଣ କଲେ ପ୍ରଭୁ ଯୀଶୁ। ଏହାପରେ ଉତ୍ସବ ମୁଖର ହୋଇପଡ଼ିଲା ଚର୍ଚ୍ଚ। ସମବେତ ସ୍ୱରରେ ମେରି ଖ୍ରୀଷ୍ଟମାସ୍ କହି ପରସ୍ପରକୁ ଆଲିଙ୍ଗନ କଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ। ଇଂରାଜୀ, ହିନ୍ଦୀ, ଓଡ଼ିଆ ଓ ମାଲାୟାଲମ୍ ଭାଷାରେ ଯାଜକମାନେ ପ୍ରଭୁ ଯୀଶୁଙ୍କ ବାଣୀ ଭକ୍ତମାନଙ୍କୁ ଶୁଣାଇଥିଲେ। ପ୍ରଭୁ ଯୀଶୁଙ୍କ ଆବିର୍ଭାବକୁ ଅନୁଭବ କରିବା ପାଇଁ ରାଜଧାନୀରେ ଥିବା ତିରିଶିରୁ ଊର୍ଦ୍ଧ୍ୱ ଚର୍ଚ୍ଚରେ ଆଜି ପ୍ରବଳ ଜନସମାଗମ ହୋଇଥିଲା। 

Advertisment

ୟୁନିଟ୍‌-୮ ସିଏନ୍‌ଆଇ ଚ୍ୟାପେଲ୍‌ରେ କ୍ୟାମ୍ପ୍‌ ଫାୟାର୍‌

ୟୁନିଟ-୮ସ୍ଥିତ ସିଏନ୍‌ଆଇ ଚ୍ୟାପେଲ୍‌ରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ କ୍ୟାରୋଲ୍‌ ସଙ୍ଗୀତ ପରେ ଯୁବଗୋଷ୍ଠୀମାନେ ପ୍ରଭୁ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତ ଭକ୍ତମାନଙ୍କୁ ଶୁଣାଇଥିଲେ। ପ୍ରଭୁଙ୍କ ଜନ୍ମ ପରେ ଚର୍ଚ୍ଚ ପରିସରରେ ହୋଇଥିବା କ୍ୟାମ୍ପ୍‌ ଫାୟାର୍‌ରେ ଶତାଧିକ ଭକ୍ତ ପ୍ରଭୁ ଯୀଶୁଙ୍କ ପ୍ରାର୍ଥନା ଓ ସଙ୍ଗୀତ ଗାନ କରିଥିଲେ। ସେହିପରି ଚର୍ଚ୍ଚ ସମେତ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ନିଜ ନିଜ ଘରେ ମଧ୍ୟ କେକ୍‌ କାଟି ଓ ପ୍ରାର୍ଥନା କରି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଥିଲେ।