ଭୁବନେଶ୍ବର: ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କଲେ। ଏହାପରେ ଖେଳିଗଲା ଖୁସିର ମାହୋଲ। ଅନ୍ତୁଡ଼ିଶାଳରେ ନବଜାତ ଯୀଶୁଙ୍କ ପଦାର୍ପଣ ପରେ ଚଳଚଞ୍ଚଳ ହୋଇଉଠିଲା ସମଗ୍ର ଚର୍ଚ୍ଚ ପରିବେଶ। ପ୍ରଭୁଙ୍କ ଦିବ୍ୟଦର୍ଶନ କରିବା ସହ ଶ୍ରଦ୍ଧାଳୁମାନେ ଖୁସିରେ ପରସ୍ପରକୁ ଆଲିଙ୍ଗନ କରି ଜଣାଇଲେ ‘ମେରି ଖ୍ରୀଷ୍ଟ୍‌ମାସ’। ବଡ଼ଦିନର ଶୁଭେଚ୍ଛା ବାର୍ତ୍ତା କୋଳାହଳରେ କମ୍ପିଉଠିଲା ଚର୍ଚ୍ଚ ପରିସର। କେବଳ ଚର୍ଚ୍ଚ ନୁହେଁ, ପ୍ରତି ଘରେ ବଡ଼ଦିନ ପାଳିତ ହେବା ସହ କେକ୍ କଟାଯାଇଥିଲା।

Advertisment

ଭିନ୍‌ସେଣ୍ଟ କ୍ୟାଥ୍‌ଲିକ୍‌ରେ ଜନ୍ମ ବୃତ୍ତାନ୍ତ ବଖା‌ଣିଲା ୨ ଅନ୍ତୁଡ଼ିଶାଳ
ସତ୍ୟନଗରସ୍ଥିତ ‘ଭିନ୍‌ସେଣ୍ଟ କ୍ୟାଥ୍‌ଲିକ୍‌’ ଚର୍ଚ୍ଚ ଓ ୟୁନିଟ୍‌-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚରେ ଆଜି ବଡ଼ଦିନର ଅୟମାରମ୍ଭ ଚିତ୍ର ବେଶ୍‌ ଆକର୍ଷଣୀୟ ହୋଇଥିଲା। ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ସମସ୍ତେ ଖୁସି ମନାଇଥିଲେ। ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ଆଜି ଦିନ ତମାମ ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। ବେଶ୍ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥିଲା। ରଙ୍ଗିନ ଆଲୋକମାଳାରେ ଚର୍ଚ୍ଚ ସବୁ ଝଲମଲ କରୁଥିଲା। ସଂଧ୍ୟାରୁ ଚର୍ଚ୍ଚମାନଙ୍କରେ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଭୁଙ୍କ ଧରାବତରଣ ସ୍ବଚକ୍ଷୁରେ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ପହଞ୍ଚିଥିଲେ। ଚର୍ଚ୍ଚ ସମ୍ମୁଖସ୍ଥ ଦୋକାନଗୁଡ଼ିକରୁ ମହମବତି ଓ ଗୋଲାପ ଫୁଲ କିଣି ସତ୍ୟନଗର କ୍ୟାଥ୍‌ଲିକ୍‌ ଚର୍ଚ୍ଚରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ କାରୋଲ୍‌ ଗାନ କରାଯାଇଥିବା ବେଳେ ୧୧ଟାରୁ ଦିବ୍ୟ ଯଜ୍ଞ ତଥା ବାଇବେଲ୍‌ ପାଠ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଶୀତକୁ ଖାତିର ନକରି ଇଶ୍ବରଙ୍କ ବାଣୀ ଶୁଣୁଥିଲେ। ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରୁଥିଲା ଚର୍ଚ୍ଚରେ ସ୍ବତନ୍ତ୍ର ଭାବେ ନିର୍ମିତ ୨ଟି ଅନ୍ତୁଡ଼ିଶାଳ। ଶେଷରେ ସେଇ ପ୍ରତୀକ୍ଷିତ ମୁହୂର୍ତ୍ତ ପହଞ୍ଚିଥିଲା ଏବଂ ପ୍ରଭୁ ଯୀଶୁ ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ। ଆସନ୍ତାକାଲି ପୂର୍ବାହ୍ନ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଦିବ୍ୟ ଯଜ୍ଞ ଆୟୋଜନ କରାଯିବ।

publive-image

ୟୁନିୟନ୍‌ ଚର୍ଚ୍ଚରେ ଓଡ଼ିଆ ଭାଷାରେ ବାଇବେଲ୍‌
ୟୁନିଟ୍‌-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚରେ ରାତି ୧୧ଟାରୁ ୱାଚ୍‌ ନାଇଟ ସର୍ଭିସ୍‌ ପ୍ରୋଗ୍ରାମ୍‌ କେ. ସିଂହ ଆରମ୍ଭ କରିଥିଲେ। ଏଥିରେ ଉପାସନା ଗୀତ ଗାନ କରାଯାଇଥିଲା। ବାଇବେଲ୍‌ରୁ ଈଶ୍ବରଙ୍କ ବାଣୀକୁ ଭକ୍ତମାନଙ୍କୁ ଶୁଣାଯାଇଥିଲା। ଆସନ୍ତାକାଲି ୧୦ଟାରୁ ଅଣଓଡ଼ିଆ ଖ୍ରୀଷ୍ଟଧର୍ମୀଙ୍କ ପାଇଁ ଏଠାରେ ଇଂରାଜୀ ଭାଷାରେ ବାଇବେଲ୍‌ ପାଠ କରାଯିବ। ଅପରାହ୍‌ଣ ସାଢ଼େ ୩ଟାରେ ଓଡ଼ିଆ ଖ୍ରୀଷ୍ଟଧର୍ମୀଙ୍କ ପାଇଁ ଓଡ଼ିଆ ଭାଷାରେ ବାଇବେଲ୍‌ ପାଠ କରାଯିବ। ଏହି ସଭାରେ ଜୋନ୍‌ କେ ଜନ୍ ଅତିଥି ଭାବେ ଯୋଗଦେବେ ବୋଲି ଚର୍ଚ୍ଚ ପକ୍ଷରୁ କୁହାଯାଇଛି।

publive-image

ରେଡିଓ ଚକଲେଟ୍‌ ପକ୍ଷରୁ ‘ମିଠା ମିଠା ଖ୍ରୀଷ୍ଟମାସ୍‌’, ପଲ୍‌ ପଲ୍‌ ପଡ଼େ ପଲକ...
ଭୁବନେଶ୍ବର: ପଲ୍‌ ପଲ୍‌ ପଡ଼େ ପଲକ ମୋ ନିଦ ନାହିଁ ଆଖିରେ...କେବେଠୁ ଆସିଲି ଜୀବନରେ... ଆଦି ଓଲିଉଡ୍‌ ଓ ବଲିଉଡ୍‌ ଆଲବମ୍‌ ଓ ଚଳିଚ୍ଚିତ୍ର ସଂଗୀତ ମଞ୍ଚରୁ ଭାସି ଆସୁଥିଲା। ମଞ୍ଚ ଉପରେ କଣ୍ଠଶିଳ୍ପୀମାନଙ୍କ ଏଭଳି ସଂଗୀତ ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରି ଦେଇଥିଲା। ଗୀତର ତାଳେ ତାଳେ ଦର୍ଶକଙ୍କ ପାଦ ବି ଅଥୟ ହୋଇ ଉଠୁଥିଲା। ଏହା ସାଙ୍ଗକୁ ଡିଜେର ଛାତିଥରା ଶବ୍ଦରେ କୁନି କୁନି ପିଲା ଦର୍ଶକ ଗ୍ୟାଲେରିରେ ନାଚି ଯାଉଥିଲେ। ଏହି ଅବସରରେ ସାନ୍ତାକ୍ଲସ୍‌ଙ୍କ ଗହଣରେ କୁନିକୁନି ପିଲାମାନେ କେକ୍‌ କାଟି ବଡ଼ଦିନକୁ ପାଳନ କରିଥିଲେ। ରାତି ଯେତିକି ବଢ଼ୁଥିଲା, ଭିଡ଼ ବି ସେହି ଅନୁସାରେ ବଢ଼ି ବଢ଼ି ଚାଲିଥିଲା। ଅବସର ଥିଲା, ପବିତ୍ର ଖ୍ରୀଷ୍ଟମାସ ଉପଲକ୍ଷେ ‘ରେଡିଓ ଚକଲେଟ୍‌’ ପକ୍ଷରୁ ଆୟୋଜିତ ‘ମିଠା ମିଠା ଖ୍ରୀଷ୍ଟମାସ୍‌’ର ସପ୍ତମ ସଂସ୍କରଣର। ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜି ମଲ୍‌କୁ ଆସିଥିବା ଗ୍ରାହକମାନେ ଭରପୂର ମନୋରଞ୍ଜନ କରିବାର ସୁଯୋଗ ପାଇଥିଲେ। କଣ୍ଠଶିଳ୍ପୀ ଜେମ୍ସ, ରୋଜାଲିନ, ନେହା ନିହାରିକା ପରିବେଷଣ କରି ଦର୍ଶକଙ୍କ ମନ ଜିଣିଥିଲେ। ସେହିପରି ଆଇଏନ୍ ଆଇଏଫ୍‌ଡି ଭୁବନେଶ୍ବର ପକ୍ଷରୁ କୁନି କୁନି ପିଲା‌ମାନଙ୍କ ଦ୍ବାରା ଫ୍ୟାସନ୍ ସୋ’ ପରିବେଷଣ କରାଯାଇଥିଲା। ଏହା ଆଡିକ୍ସନ ଫ୍ୟାସନ ପକ୍ଷରୁ ଆୟୋଜିତ ହୋଇଥିଲା। କୁନି କୁନି ପିଲାମନେ ସମ୍ବଲପୁରୀ କପଡ଼ା‌ରେ ତିଆରି ହୋଇଥିବା ବିଭିନ୍ନ ଫ୍ୟାସନେବଲ୍‌ ଡ୍ରେସ୍‌ ପିନ୍ଧି ରାମ୍ପରେ ଚାଲିଥିଲେ। ଏହାସହ ଅଭିନେତ୍ରୀ ଭୂମିକା ଓ ‌‌ଅଭିନେତା ଶ୍ରେୟାଂଶ ଯୋଗଦେଇ ନିଜର ନୂଆ ଚଳଚ୍ଚିତ୍ର ଅପରେସନ ୧୨/୧୭ର ପ୍ରମୋସନ କରିଥିଲେ। ମଞ୍ଚରେ ଏଭଳି ଭରପୂର ମନୋରଂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ବିଭୋର୍‌ ହୋଇଥିଲେ। କାର୍ଯ୍ୟକ୍ରମକୁ ଆର୍‌.ଜେ ଅନିଲ୍‌ ଉପସ୍ଥାପନା କରିଥିଲେ।

publive-image