କ୍ୟାସ୍ ଡ୍ର’ରୁ ନେଇଗଲେ ଦେଢ଼ ଲକ୍ଷ
ସାଇଣ୍ଟିଫିକ୍ ଟିମ୍ର ଛାନଭିନ୍, ୩ଜଣଙ୍କ ଫିଙ୍ଗରପ୍ରିଣ୍ଟ୍ ଠାବ
ମାସେ ତଳେ ପାଖ ସୁନା ଦୋକାନରୁ ୩ଥର ଲୁଟ୍ ଉଦ୍ୟମ
ଭୁବନେଶ୍ୱର : ଶନିବାର ବିଳମ୍ବିତ ରାତିରେ ଡେଲ୍ଟା ଛକସ୍ଥିତ ନୀଳିମା କମ୍ପ୍ଲେକ୍ସରେ ଥିବା ଲକ୍ଷ୍ମୀନାରାୟଣ ଗହଣା ଦୋକାନରୁ ଲୁଟ୍ ହୋଇଛି। ଲୁଟେରାମାନେ ଗ୍ୟାସ୍ କଟର୍ ସାହାଯ୍ୟରେ ଦୋକାନର ସଟର୍ କାଟି ପ୍ରାୟ ୬୦ ଲକ୍ଷ ଟଙ୍କାର ସୁନା, ୧୦ ଲକ୍ଷ ଟଙ୍କାର ରୁପା ଅଳଙ୍କାର, ନଗଦ ଦେଢ଼ ଲକ୍ଷ ଟଙ୍କା ଓ ସିସି କ୍ୟାମେରାରର ଡିଭିଆର୍ ମେସିନ୍ ଲୁଟି ନେଇଛନ୍ତି। ପୂରା ଦୋକାନରେ କଳାକନା ବୁଲାଇ ଦେଇଛନ୍ତି। ଏ ସଂପର୍କରେ ଆଜି ମାଲିକ ସନ୍ଦୀପ ସାହୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ସନ୍ଦୀପ ରବିବାର ସକାଳ ପ୍ରାୟ ୭ଟା ବେଳେ ଦୋକାନ ଖୋଲିବାକୁ ଯାଇଥିବା ବେଳେ ଦୋକାନ ସଟର୍ କଟା ଯାଇଥିବା ଦେଖିବାକୁ ପାଇଥିଲେ। ଦୋକାନ ଭିତରେ ପଶିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଦୋକାନ କବାଟଠାରୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ୍ ପର୍ଯ୍ୟନ୍ତ ସବୁ କବାଟକୁ ଗ୍ୟାସ୍ କଟର୍ରେ କଟା ଯାଇଥିଲା। ଦୋକାନରେ ଥିବା ପ୍ରାୟ ୭୦ଲକ୍ଷ ଟଙ୍କାର ଅଳଙ୍କାର ସମେତ କ୍ୟାସ୍ ଡ୍ର’ରେ ଥିବା ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହୋଇଯାଇଥିଲା। ଲୁଟେରାମାନଙ୍କ କାରନାମା ସିସି କ୍ୟାମେରାରେ କଏଦ୍ ହୋଇଥିବ ଭାବି ଡିବିଆର୍ ମେସିନ୍ ଖୋଜିବା ବେଳକୁ ତାହା ମଧ୍ୟ ନଥିଲା। ଲୁଟେରାମାନେ ଧରାପଡ଼ିଯିବା ଭୟରେ ତାକୁ ବି ସାଥିରେ ନେଇ ପଳାଇଥିଲେ।
ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛକରେ ଲାଗିଥିବା ସିସି କ୍ୟାମେରା ଏବଂ ପାଖ ଦୋକାନରେ ଥିବା ସିସି ଫୁଟେଜ୍ ଆଧାରରେ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଛି। ଫରେନ୍ସିକ୍ ଟିମ୍ ଲୁଟ୍ ଗହଣା ଦୋକାନରେ ପହଞ୍ଚି ନମୁନା ସଂଗ୍ରହ କରିଛି। ଘଟଣାସ୍ଥଳରୁ ଅଧାକଟା ସଟର୍, ଗହଣା ଦୋକାନର କବାଟ, ସୁନା ବାକ୍ସ ଏବଂ କ୍ୟାସ୍ ଡ୍ର’ରୁ ଫିଙ୍ଗର୍ ପ୍ରିଣ୍ଟ ନମୁନା ସଂଗ୍ରହ କରିଛି। ମୋଟ ୩ଜଣ ନୂଆ ଲୋକଙ୍କ ଫିଙ୍ଗର୍ ପ୍ରିଣ୍ଟ ଠାବ କରାଯାଇଥିବା ସୂଚନା ମିଳିଛି। ତେଣୁ ୩ କିମ୍ବା ତଦୂର୍ଦ୍ଧ୍ବ ଲୁଟେରା ଏହି କାଣ୍ଡ ଭିଆଇଥିବା ପୁଲିସ ଜାଣିବାକୁ ପାଇଛି।
୨ ମାସରେ ୫ ଗହଣା ଦୋକାନକୁ ଟାର୍ଗେଟ୍
ପାଇକନଗରରୁ ସୌଭାଗ୍ୟନଗର ମଧ୍ୟରେ ଥିବା ଗହଣା ଦୋକାନଗୁଡ଼ିକୁ ଲୁଟେରାମାନେ ଟାର୍ଗେଟ୍ କରୁଥିବା ସୂଚନା ମିଳିଛି। ପାଖାପାଖି ୧ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ଅଞ୍ଚଳରେ ଗତ ୨ମାସ ମଧ୍ୟରେ ୪ଟି ସୁନା ଦୋକାନରୁ ଲୁଟ୍ ଉଦ୍ୟମ ହୋଇଛି। ଏତେ ସବୁ ପରେ ବି ରାତିରେ ପୁଲିସ ପାଟ୍ରୋଲିଂକୁ ଗୁରୁତ୍ବ ଦିଆ ନଯିବାରୁ ଗତ ରାତିରେ ଲୁଟେରାମାନେ ଲକ୍ଷ୍ମୀନାରାୟଣ ଗହଣା ଦୋକାନରୁ ଲୁଟ୍ କରିବାରେ ସଫଳ ହେଲେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ସୌଭାଗ୍ୟନଗରରେ ଥିବା ଏହି ଗହଣା ଦୋକାନର ଅନ୍ୟ ଏକ ଶାଖାକୁ ଦୁର୍ବୃତ୍ତମାନେ ଗତ ମାସରେ ୩ଥର ଟାର୍ଗେଟ୍ କରିଥିଲେ। ଗ୍ୟାସ୍ କଟର୍ ସାହାଯ୍ୟରେ ଦୋକାନ ସଟର୍ କାଟି ଦୋକାନ ଭିତରେ ପଶିଥିଲେ ହେଁ ଷ୍ଟ୍ରଙ୍ଗରୁମ୍ ଭାଙ୍ଗି ପାରିନଥିଲେ। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ବି ହୋଇଥିଲା। ଅପରପକ୍ଷେ ଗତ ଅକ୍ଟୋବର ୧୦ ତାରିଖରେ ପାଇକନଗର ଟ୍ରାଫିକ୍ ଛକରେ ଥିବା ଜଳେଶ୍ବର ଜୁଏଲାରି ଵାର୍କସପ୍ରେ ମଧ୍ୟ ସମାନ ଢଙ୍ଗରେ ଲୁଟ୍ ଉଦ୍ୟମ କରିଥିଲେ। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗ୍ୟାସ୍ କଟର୍ରେ ଦୋକାନ କାଟି ସୁନା ଦୋକାନର କବାଟ, ଷ୍ଟ୍ରଙ୍ଗ୍ ରୁମ୍ ଓ ସମସ୍ତ ଗହଣା ଲୁଟିବାକୁ ଅତିକମ୍ରେ ଘଣ୍ଟାଏ ସମୟ ଲାଗିବ। ଦୀର୍ଘ ସମୟ ଧରି ଏଭଳି ଲୁଟ୍ପାଟ୍ ହେଉଥିଲେ ବି ରାତିରେ ପଇଁତରା ମାରୁଥିବା ପିସିଆର୍ ନଜରରେ ନିଶ୍ଚିତ ଚୋରି ଧରାପଡ଼ିବା କଥା। ମାତ୍ର ଗତକାଲିର ଲୁଟ୍ ଘଟଣାକୁ ମିଶାଇ ସମସ୍ତ ୫ଟି ଘଟଣା ରାତିରେ ଘଟିଥିଲେ ବି ପିସିଆର୍ କୌଣସି ଘଟଣାରେ ଲୁଟ୍ର ଟେର୍ ପାଇନଥିଲା। ଏଥିରୁ ପୁଲିସ ରାତିରେ କେମିତି ରାଜଧାନୀ ଜଗୁଛି, ତାହା ସ୍ପଷ୍ଟ ଜଣାପଉଛି।