ଭୁବନେଶ୍ବର : ଡେଲ୍‌ଟା ଛକସ୍ଥିତ ନୀଳିମା କଂପ୍ଲେକ୍ସ ଲକ୍ଷ୍ମୀନାରାୟଣ ଜୁଏଲର୍ସରୁ ୭୦ ଲକ୍ଷ ଟଙ୍କାର ଗହଣା ଲୁଟ୍‌ ଘଟଣା‌ରେ ପୁଲିସକୁ ଏକ ନୂଆ ତଥ୍ୟ ମିଳିଛି। ଝାରପଡ଼ା ଜେଲ୍‌ରେ ଲୁଟ୍‌ର ବ୍ଲୁ-ପ୍ରିଣ୍ଟ ଓ ଗ୍ୟାଙ୍ଗ ଗଢ଼ା ହୋଇଥିବା ପୁଲିସ୍‌ ଜାଣିବାକୁ ପାଇଛି। ଗ୍ୟାଙ୍ଗ୍‌ର ସବୁ ସଦସ୍ୟ ଜାମିନ୍‌ରେ ବାହାରିବା ପରେ ଗତ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ନୂଆପଲ୍ଲୀରୁ ଖଣ୍ଡଗିରି ଅଞ୍ଚଳରେ ଥିବା ୮ଟି ଦୋକାନରୁ ଲୁଟ୍‌ ଉଦ୍ୟମ କରିଥିଲେ। ସବୁଥର ବିଫଳ ହୋଇଥିବା ବେଳେ ଲକ୍ଷ୍ମୀନାରାୟଣ ଜୁଏଲାର୍ସ ଲୁଟିବାରେ ସେମାନଙ୍କୁ ସଫଳତା ମିଳିଥିଲା। ତେବେ ଏହି ଗ୍ୟାଙ୍ଗ୍‌ ଜେଲ୍‌ରେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିବା ସମୟରେ ଜଣେ ସାଥୀ କଏଦୀ ସବୁ ଖବର ପାଇଥିଲା। ସେହି କଏଦୀର ସୂଚନା ଅନୁସାରେ, ପୁଲିସ ଏବେ ଝାରପଡ଼ା ଜେଲ୍‌ମୁହାଁ ହୋଇଛି। ଜେଲ୍ ଯାଇ ଅଧିକ ତଦନ୍ତର ଅଗ୍ରଗତି କରିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିବ।

Advertisment

ଖବର ଅନୁସାରେ, ପୁଲିସ ଏବେ ପ୍ରଥମେ ଉକ୍ତ କଏଦୀକୁ ଜେଲ୍ ନେଇ ଉକ୍ତ ସେଲ୍‌କୁ ଯିବ ଏବଂ ସେଠାରେ ପୂର୍ବରୁ ଥିବା କଏଦୀଙ୍କ ତାଲିକା ବାହାର କରିବ। ଉକ୍ତ ସେଲ୍‌ରେ ଯେଉଁମାନେ ଥିଲେ ଏବଂ ସେମାନଙ୍କର ବିସ୍ତୃତ ତଥ୍ୟ ବାହାର କରିବା ପରେ ସେମାନଙ୍କର ଅପରାଧ ଘଟାଇବାର ତରିକାକୁ ଆଧାର କରି ତଦନ୍ତ କରାଯିବ। ପରେ ସେମାନଙ୍କ ସାଥୀ ଲୁଟେରା ଓ ଗୁପ୍ତ ଆଡ଼ାରେ ଚଢ଼ଉ କରି ଏହି ଗ୍ୟାଙ୍ଗ୍‌ର ପର୍ଦାଫାସ୍ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ହାଇପ୍ରୋଫାଇଲ୍‌ ଲୁଟ୍‌ ଘଟଣାକୁ ସପ୍ତାହେରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଏବେ ବି ପୁଲିସ ହାତ ଖାଲି। ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିପାରିନାହିଁ। ପୁଲିସ ଟାୱାର୍‌ ଡମ୍ପିଂ ଓ ସିଡିଆର୍‌ ରିପୋର୍ଟ ବାହାର କରି ତଦନ୍ତ ଚଳାଇଛି। ଏପରିକି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ବ୍ରହ୍ମପୁରରେ ଥିବା ଖବର ପାଇ ସେଠାରେ ଚଢ଼ଉ କରିଥିଲା। କିନ୍ତୁ କିଛି ପାଇ ନଥିଲା।