ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠ ଗ୍ରାମଗୁଡ଼ିକରେ ଆଜି ଝାମୁଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାଝରୀ ଓସ୍ତପଡ଼ାରେ ରୋହିତ ସାମଲଙ୍କ ନେତୃତ୍ବରେ ଅନୁଷ୍ଠିତ ଝାମୁଯାତ୍ରାରେ ମା’କାଳୀ ଲାଗିଥିବା କାଳିସୀ ଝାମୁଯାତ୍ରା ପୀଠରେ ଜୀଅନ୍ତା କୁକୁଡ଼ା ଖାଇ ଶ୍ରଦ୍ଧାଳୁଙ୍କୁ ହୁକୁମ ଦେଇଥିଲେ। ସେହିଭଳି ପୀଠରେ ମା’ ମଙ୍ଗଳା ଲାଗିଥିବା କାଳିସୀ ତତଲା ପିତ୍ତଳ ହାଣ୍ଡିରେ ଫୁଟୁଥିବା ଖିରିକୁ ହାତ ପୂରାଇ ଖାଇଥିଲେ। ଏପରି କରି କାଳିସୀ ନିଜକୁ ଦଣ୍ଡଦେଇ ଶ୍ରଦ୍ଧାଳୁଙ୍କ ନିକଟରେ ପରୀକ୍ଷା ଦେଇଥିଲେ। ସେହିଭଳି ଦଳରେ ଥିବା ଶତାଧିକ ଦଣ୍ଡୁଆ ଗାଁ ଦାଣ୍ଡ ଧୂଳିରେ ଗଡ଼ିଗଡ଼ି ଝୁଣାମାଡ଼ ଖାଇଥିଲେ। ସକାଳୁ ଗାଁ ମାଗୁଣି କରି ମଧ୍ୟାହ୍ନରେ ପୀଠରେ ପହଞ୍ଚି ହୋମଯଜ୍ଞରେ ନିଜକୁ ପବିତ୍ର କରି ଗାଧୋଇବା ପାଇଁ ଦୟାୱେଷ୍ଟ କେନାଲକୁ ଯାଇ ଝାମୁଯାତ୍ରା ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ଖୋଳାଯାଇଥିବା ଗାତରେ ପ୍ରସ୍ତୁତ କରାଯାଇଥିବା ରଡ଼ ନିଆଁରେ ଚାଲିଥିଲେ। ସେହିଭଳି ରଙ୍ଗମାଟିଆ ମା’ ବାସୁଳାଇ ପୀଠରେ ଭଗବାନ ମହାରଣାଙ୍କ ନେତୃତ୍ବରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା।
ଯେଉଁଥିରେ ଗ୍ରାମ କମିଟି ଓ ଯୁବକ ସଂଘର ସମସ୍ତ ସଭ୍ୟ ସହଯୋଗ କରିଥିଲେ। ଆଜି ସକାଳୁ ଦଣ୍ଡୁଆମାନଙ୍କ ସହ କାଳିସୀମାନେ ଗ୍ରାମବୁଲି ମାଗୁଣି କରିଥିଲେ। ଏହି ସମୟରେ ଲୋକମାନେ ସେମାନଙ୍କ ପାଦକୁ ହଳଦୀ ପାଣିରେ ଧୋଇ ପଣା ପିଇବାକୁ ଦେଇଥିଲେ। ମଧ୍ୟାହ୍ନରେ ପୀଠକୁ ସମସ୍ତେ ଫେରି ହୋମ ଯଜ୍ଞରେ ନିଜକୁ ପବିତ୍ର କରି ଗାଧୋଇବା ପାଇଁ ରଙ୍ଗମାଟିଆ ପୋଖରୀକୁ ଯାଇଥିଲେ। ସେଠାରୁ ନୂଆ ପୋଷାକ ପିନ୍ଧି ଦଣ୍ଡୁଆମାନେ ଝାମୁଯାତ୍ରା ପଡ଼ିଆକୁ ଆସିଥିଲେ। ଏହି ସମୟରେ କାଳିସୀମାନଙ୍କ ଆଖିକୁ ଗାମୁଛାରେ ବନ୍ଦ କରି ଦିଆଯାଇ ଅଘୋର ତପରେ ଝୁଲାଯାଇଥିଲା। ଏହାପରେ ଦଣ୍ଡକାଳିସୀ ନିଆଁଗାଡ଼ ଚାରିପଟେ ବୁଲି ଝୁଣାମାରି ମାନସିକଧାରୀ ପିଲାମାନଙ୍କୁ କାଖରେ ଧରି ନିଆଁରେ ଚାଲିଥିଲେ। ଏହାପରେ ଅନ୍ୟ ସମସ୍ତ ଦଣ୍ଡୁଆମାନେ ନିଆଁ ଗାଡ଼ରେ ପଶି ଚାଲିଥିଲେ।
ଫୋଡ଼ା ପାଟୁଆ ଯାତ୍ରା ଉଦଯାପିତ
ବାଲିଅନ୍ତା: ସରକଣା ପଞ୍ଚାୟତ ପ୍ରସିଦ୍ଧ ଫୋଡ଼ା ପାଟୁଆ ଯାତ୍ରା ଉଦ୍ଯାପିତ ହୋଇଛି। ସକାଳେ ମା’ଙ୍କୁ ଏକ ସୁସଜ୍ଜିତ ବିମାନରେ ବିରାଜମାନ କରାଇ କାଳିସୀ ଓ ପାଟୁଆ ଦିୱାନ ପୋଖରୀ ନିକଟକୁ ଶୋଭାଯାତ୍ରାରେ ନିଆଯାଇଥିଲା। ସେଠାରେ ମା’ଙ୍କ ସ୍ନାନନୀତି ସଂପାଦନ ହୋଇଥିଲା। ମା’ଙ୍କ ନିକଟରେ ପଣା ଭୋଗ ଲାଗି ହୋଇଥିଲା। ଢୋଲ, ମହୁରି , ହରିବୋଲ ଓ ହୁଳହୁଳି ପକାଇ ପୋଖରୀରେ ପଡ଼ିଥିବା ଖାଇ ଖୁମ୍ବ ଓ ଚରକିକୁ ଉପରକୁ ଉଠାଇ ଯାତ୍ରାପଡ଼ିଆକୁ ନିଆଯାଇଥିଲା। ଅପରାହ୍ନ ୨ଟାରୁ ପାଟୁଆମାନଙ୍କ ପିଠିରେ କଣ୍ଟା ଫୋଡ଼ା ବିଧି ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ସରକଣା ଯାତ୍ରା ପଡ଼ିଆରେ ପୋତା ଯାଇଥିବା ଖାଇ ଖୁମ୍ବରେ ପ୍ରଥମେ ମା’ଙ୍କ କାଳିସୀ ଗଙ୍ଗାଧର ବେହେରା ଚରକି ବୁଲିଥିଲେ। ପରେ ବିଧି ଅନୁସାରେ ବଡ଼ ପାଟୁଆ ଭରତ ଭୋଇ ଓ ଅନ୍ୟମାନେ ଚରକି ବୁଲି ଜିଅନ୍ତା କୁକୁଡ଼ା, ଫଳ ଓ ଆମ୍ବ ଶ୍ରଦ୍ଧାଳୁଙ୍କ ଉଦ୍ଧେଶ୍ୟରେ ଫିଙ୍ଗିଥିଲେ।
ଝାମୁରେ ଚାଲିଲେ କାଳିସୀ
ବାଲିପାଟଣା: ପମ୍ପାଲୋ ପଞ୍ଚାୟତ ସରାଟ ଶାସନ ମା ମଙ୍ଗଳାଙ୍କ ଝାମୁ ଯାତ୍ରା ପ୍ରସିଦ୍ଧ ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ମୁଖ୍ୟ କାଳିସୀଙ୍କ ସହ ପାଞ୍ଚ ଜଣ ମାନସିକଧାରୀ ଝାମୁରେ ଚାଲିଥିଲେ। ଯମୁନା ସ୍ନାନ ପରେ କାଳିସୀଙ୍କୁ ପାଳଙ୍କି ଝାମୁ ପାଖକୁ ନିଆଯାଇଥିଲା। ନୀଳକଣ୍ଠେଶ୍ବରଙ୍କ ପୂଜକ ମାନସ ପଣ୍ଡା ଖନ୍ଦା ହୋମରେ କର୍ତ୍ତା ଭୂମିକା ତୁଲାଇ ଥିଲେ। ଝାମୁରେ ପ୍ରଥମେ ମୁଖ୍ୟ କାଳିସୀ ଏବଂ ପରେ ମାନସିକଧାରୀ ଚାଲିଥିଲେ। ଝାମୁଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ଚଣାହଟ୍ଟାରେ ଫୋଡ଼ା ପାଟୁଆ ହୋଇଥିଲା। ଅଠାନ୍ତର, ଚଣାହଟ୍ଟା, କୁଳନ୍ତିରା, ଗାରେଡ଼ିପାଞ୍ଚଣ, ପମ୍ପାଲୋ, ଭାକର ସାହି, ନରିଶୋ, ବଡ଼ ପୋଖରୀସାହି, ବାଡ଼ୁଅସାହି, ନିଧିସାହି, ଆଳୋଇ, ଆମେଣାକୁଦ, ମାର୍ଥାପୁର, ପନ୍ଦାରସାହି, ସୁମୂଦି, ଗୁଆପୁର, କୁଳନ୍ତିରା, ସରିପୁର ପ୍ରଭୃତି ସ୍ଥାନରେ ଝାମୁ ଯାତ୍ରା ଓ ଫୋଡ଼ା ପାଟୁଆ ଅନୁଷ୍ଠିତ ହୋଇଛି। ପଣା ସଂକ୍ରାନ୍ତି ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଜନଗହଳି ସ୍ଥାନରେ ପଣା ଓ ପାଣି ବଣ୍ଟନ କରାଯାଇଛି। ବାଲିପାଟଣା ପୁଲିସ ପକ୍ଷରୁ ପ୍ରତ୍ୟେକ ଅଞ୍ଚଳର ସୁରକ୍ଷା ଦାୟିତ୍ୱ ତଦାରଖ କରାଯାଇଥିଲା।