କଟକଣାରେ ଝାମୁଯାତ୍ରା: ମେଣ୍ଢାଶାଳ ମେରୁଯାତ ସରିଲା ଉଗ୍ରତପ, ଆଜି ଝାମୁଚଲା

ରାଜଧାନୀରେ ନିରାଡ଼ମ୍ବର ମେରୁ ଯାତ୍ରା, ପୁରୁଣା ଭୁବନେଶ୍ବର‌େର ବି ହେବନି

ମେଣ୍ଢାଶାଳ: ରାଜଧାନୀ ଉପକଣ୍ଠ ମେଣ୍ଢାଶାଳର ପ୍ରସିଦ୍ଧ ଝାମୁଯାତ୍ରା ଅବସରରେ ଆଜି ଉଗ୍ରତପ ବା ଅଘୋରତପ ଉତ୍ସବ ସାମାହିତ ହୋଇଯାଇଛି। କରୋନା କଟକଣା ପାଇଁ କେବଳ ଦଣ୍ଡପାଟୁଆ ଓ କାଳିସୀଙ୍କୁ ବାଦ୍‌ ଦେଲେ, ଅନ୍ୟ ଶ୍ରଦ୍ଧାଳୁମାନଙ୍କୁ ଝାମୁ ପଡ଼ିଆକୁ ଛଡ଼ା ଯାଇନଥିଲା। ଦୁଇ ଶହ ଫୁଟ ଦୂରରୁ ଝାମୁ ପଡ଼ିଆକୁ ବାଉଁଶ ବାଡ଼ ଦ୍ବାରା ଆବଦ୍ଧ କରାଯାଇଥିଲା। ଆସନ୍ତାକାଲି ପାଟୁଆମାନେ ଅଘୋରତପର ଅନ୍ତିମ ପର୍ଯ୍ୟାୟ ନିଆଁରେ ଚାଲିବା ବା ଝାମୁ ଚାଲିବା ପରେ ମେରୁ ବ୍ରତ ସମାପନ କରିବେ। ପ୍ରଥା ଓ ପରମ୍ପରା ଅନୁଯାୟୀ ଝାମୁରେ ମିଶିଥିବା ପାଟୁଆ ଓ ଦଣ୍ଡକାଳିସୀମାନେ ସାତ ଦିନ ପୂର୍ବରୁ ବ୍ରତ ଧାରଣ କରିଥାନ୍ତି। ପଣା ସଂକ୍ରାନ୍ତିର ପୂର୍ବ ଦିନ ଅର୍ଥାତ୍ ମେରୁ ଦିନ ଉଗ୍ର ତପ ଆରମ୍ଭ ହୁଏ। ଗ୍ରାମଦେବତୀଙ୍କ ପାଖରେ ଗୁହାରିଆ ପଡ଼ିବା ପରେ ଇଷ୍ଟଦେବତା ଶ୍ରୀ ଶ୍ରୀ ଭଗବତବାସୁଦେବଙ୍କ ପ୍ରାଙ୍ଗଣରେ ଉତପ୍ତ ବାଲିରେ ଗଡ଼ନ୍ତି। ଏହାକୁ ମେରୁଦଣ୍ଡ ବା ଧୂଳିଦଣ୍ଡ ଗଡ଼ିବା କୁହାଯାଏ। ସେଠାରୁ ଗଡ଼ିଗଡ଼ି ସେମାନେ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥାନ୍ତି। ଏହାକୁ ଅଘୋର ତପର ପ୍ରଥମ ସୋପାନ କୁହାଯାଏ। ଆଜି ପାଟୁଆମାନେ ବାଲୁଙ୍କେଶ୍ବର ମନ୍ଦିରରେ ପହଞ୍ଚିବା ପରେ ମା’ ପାର୍ବତୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରୁ ଜଣେ ମାନସିକଧାରୀ ପାଟୁଆଙ୍କୁ ନେଇ ପୁଣି ଥରେ ଗାଧୋଇ ଦେଇଥିଲେ ଓ ତାଙ୍କୁ ଅଘୋରତପ ଯଜ୍ଞକୁଣ୍ଡକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଯଜ୍ଞକୁଣ୍ଡରେ ନିଆଁ ଭିତରେ ଝୁଲା ଯାଇଥିଲା।

ବାଲିଅନ୍ତା: କରୋନା କଟକଣା ଯୋଗୁଁ ଚଳିତ ବର୍ଷ ସରକଣାରେ ଫୋଡ଼ା ପାଟୁଆ ଓ ଚରକି ଝୁଲା ଯାତ୍ରା ଫିକା ପଡ଼ିବ। ପରଂପରା ଓ ବିଧି ରକ୍ଷା ପାଇଁ କେବଳ ମା’ ମଙ୍ଗଳାଙ୍କର ରୀତିନୀତି ସଂପନ୍ନ କରାଯିବ। ଯାତ୍ରା ପଡ଼ିଆରେ ଖାଇ ଖୁଣ୍ଟ ପୋତାଯିବ ନାହିଁ କି ମାନସିକଧାରୀମାନେ ଚରକି ଚାରି ପାଖରେ ଝୁଲିବେ ନାହିଁ। ମା’ଙ୍କର ଚରକି ବୁଲା ବିଧି ବନ୍ଦ ରହୁଥିବାରୁ ମାନସିକଧାରୀମାନେ ଏଥର ଫୋଡ଼ା ପାଟୁଆ ବ୍ରତ ରଖି ନାହାନ୍ତି। ସେହିଭଳି ଏଥର ପାଟୁଆମାନେ ଗାଁକୁ ଗାଁ ବୁଲି ନିଆଁ ଝୁଣା ଖାଇବେ ନାହିଁ କିମ୍ବା ପିଠିରେ କଣ୍ଟାଫୋଡ଼ା ହେବ ନାହିଁ। ଯାତ୍ରାପଡ଼ିଆକୁ ମଧ୍ୟ ଠାକୁରାଣୀ ଶୋଭାଯାତ୍ରାରେ ଯିବେ ନାହିଁ।

ଚନ୍ଦ୍ରଶେଖରପୁର: କରୋନା କଟକଣା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରରେ ଆଜି ନିରାଡ଼ମ୍ବର ଭାବରେ ମହାମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଙ୍ଗମାଟିଆ, ଗାଡ଼କଣ, ପଟିଆ, ଡମଣା, ଦାରୁଠେଙ୍ଗ, ଓସ୍ତପଡ଼ା, କଳାରାହାଙ୍ଗ, କଲ୍ୟାଣପୁର, ଗଣ୍ଡରପୁର, ଟାଙ୍ଗିମନ୍ତ, ଭୋଟପଡ଼ା, କାଣ୍ଡି ସାହି, ପଦା ସାହି, ବାଲିପଡ଼ା, ରଘୁନାଥପୁର, ଅଳଶୁଆ, ଚକେଇସିଆଣି ଓ ମଞ୍ଚେଶ୍ବରରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ମହାମେରୁ ଯାତ୍ରା ଫିକା ପଡ଼ିଥିବା ଜଣାପଡ଼ିଛି। ବିଧି ଅନୁସାରେ ଦଣ୍ଡୁଆମାନେ ଉତପ୍ତ ବାଲିରେ ଗଡ଼ିବା ସହିତ କାଳିସୀମାନଙ୍କଠାରୁ ଝୁଣାମାଡ଼ ଖାଇଥିଲେ। ତେବେ ମେରୁ ଗଡ଼ିବା ବେଳେ ଢ଼ୋଲ ଓ ତୂରୀ ଭଳି ବାଜା ବାଜିନଥିଲା। କେବଳ ଘଣ୍ଟ ମାଡ଼ରେ କାମ ଚଳାଇ ନିଆଯାଇଥିଲା। ତେବେ ଏସବୁ ସ୍ଥାନରେ ଆସନ୍ତାକାଲି ଝାମୁ ଯାତ୍ରା ହେବ ନାହିଁ ବୋଲି କୁହାଯାଇଛି। କୋଭିଡ୍‌ କଟକଣା ପାଇଁ ପୂଜା କମିଟି ପକ୍ଷରୁ କେବଳ ପୀଠରେ ହୋମ ଓ ଯଜ୍ଞ କରାଯିବ ବୋଲି ସୂଚନା ମିଳିଛି।

ପୁରୁଣା ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ ଚଳିତ ବର୍ଷ ଦଣ୍ଡଯାତ୍ରା ବନ୍ଦ ହୋଇଛି। ୬୬ରୁ ଅଧିକ ବ‌ର୍ଷର ପରମ୍ପରାରେ କରୋନା ମହାମାରୀ ପ୍ରତିବନ୍ଧକ ଲଗାଇଥିବା ବେଳେ ଦଣ୍ଡୁଆମାନେ ଏହି ଯାତ୍ରାନେଇ ପ୍ରସ୍ତୁତି ମଧ୍ୟ ବନ୍ଦ କରିଦେଇଛନ୍ତି। ଗ୍ରାମଦେବୀ ମା’ ଜାଗେଶ୍ବରୀ ପୀଠରେ ଏହି ଦଣ୍ଡଯାତ୍ରା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ଏହି ପରମ୍ପରା ବାତିଲ ହୋଇଯାଇଛି। ମାତ୍ର ପୀଠରେ କେବଳ ପୂଜା ଚାଲିବ ବୋଲି କୁହାଯାଇଛି। ପୂଜକଙ୍କ ଦ୍ବାରା ଶକ୍ତିପୂଜା କରାଯିବା ସହ ମା’ଙ୍କ ପାଖରେ ପଣା ପ୍ରସ୍ତୁତ କରାଯାଇ ଅର୍ପଣ କରାଯିବ।

ସମ୍ବନ୍ଧିତ ଖବର