ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠ କଳାଝରୀ ଓସ୍ତପଡ଼ା ଗ୍ରାମର ଗ୍ରାମ ଦେବତୀ ମା’ ମଙ୍ଗଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ଝାମୁଯାତ୍ରା। ଆଜି ସକାଳୁ ୨୦ ଜଣିଆ ଏକ ପାଟୁଆ ଦଳ କାକଟପୁର ମା’ ମଙ୍ଗଳାଙ୍କ ପୀଠରୁ ଆଜ୍ଞାମାଳ ନେଇ ଗ୍ରାମରେ ପହଞ୍ଚିଛନ୍ତି। ୯ ଦିନ ଧରି ଯାତ୍ରା ଚାଲିବ ବୋଲି ଓସ୍ତପଡ଼ା ଝାମୁଯାତ୍ରା କମିଟିର ମୁଖ୍ୟ କାଳିସି ରୋହିତ ସାମଲ ସୂଚନା ଦେଇଛନ୍ତି। ଯାତ୍ରାରେ ଆଜି ରାତିସୁଦ୍ଧା ୩୦ ଜଣ ପାଟୁଆ ଓ ୫ ଜଣ କାଳିସି ଯୋଗଦେଇଛନ୍ତି।
ଆଜିଠାରୁ ୭ଦିନ ପୀଠରେ ଅଧିଆ ପଡ଼ିବା ପରେ ସମସ୍ତେ ୮ମ ଦିନ ତତଲା ବାଲିରେ ଗଡ଼ି ଝୁଣାମାଡ଼ ଖାଇ ଭକ୍ତିର ପରୀକ୍ଷା ଦେବେ। ଯାହାକୁ ମହାମେରୁ ଯାତ୍ରା ବୋଲି କୁହାଯାଏ। ସେହିଭଳି ଝାମୁଯାତ୍ରା ଦିନ କମିଟି ପକ୍ଷରୁ କାଳିସିମାନଙ୍କ ପାଇଁ ଖିରିହାଣ୍ଡି ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଛି। ଯେଉଁଥିରେ କାଳିସିମାନେ ଚୁଲିରେ ଫୁଟୁଥିବା ତତଲା ଖିରିକୁ ଖାଲି ହାତରେ ଆଣି ନିଜେ ପ୍ରସାଦ ଭାବରେ ପାଇବେ। ପରେ ଏକ ୪ ଫୁଟ୍ର ଗାତରେ ରଡ଼ ନିଆଁ କରାଯାଇ ସେଥିରେ ପାଟୁଆ ଓ ଅନ୍ୟ ସମସ୍ତ କାଳିସି ଚାଲି ଝାମୁଯାତ୍ରା କରିବେ। ଏହି ସମୟରେ ମାନସିକଧାରୀ ଶ୍ରଦ୍ଧାଳୁମାନେ କାଳିସିମାନଙ୍କୁ ନୂଆ ଲୁଗା ଓ ଅନ୍ୟାନ୍ୟ ଭୋଗ ମାର୍ଜନା କରିବା ସହ ପୀଠରେ ହୁକୁମ ନେବେ ବୋଲି ପରିଚାଳନା କମିଟି ପକ୍ଷରୁ ସୁଶୀଲ ଭୋଇ ପ୍ରକାଶ କରିଛନ୍ତି।