ଝରାଫୁଲ ହତ୍ୟାକୁ ୧୫ ଦିନ ବିତିଲାଣି : ଖୋଲୁନି ରହସ୍ୟ; ଧରାପଡୁନି ଶେଖର

ଭିସେରା ରିପୋର୍ଟ ପାଇଲା ପରେ ବି ପୁଲିସ ଚୁପ୍

ଭୁବନେଶ୍ବର/ଯାଜପୁର : ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା ଘଟଣାକୁ ୧୫ ଦିନ ବିତିଗଲାଣି। କିନ୍ତୁ ରହସ୍ୟ ଉପରୁ ପରଦା ହଟାଇବାରେ ପୁଲିସ ଏଯାଏ ସଫଳ ହୋଇପାରିନି। ଭିସେରା ରିପୋର୍ଟ ମିଳିବା ପରେ ହତ୍ୟା ରହସ୍ୟ ଉନ୍ମୋଚିତ ହେବ ବୋଲି ଆରମ୍ଭରୁ କହି ଆସୁଥିଲା ପୁଲିସ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ ହେଲା ତଦନ୍ତାକାରୀ ଅଧିକାରୀଙ୍କ ହାତରେ ଭିସେରା ରିପୋର୍ଟ ଲାଗି ସାରିଛି। ଝରାଫୁଲଙ୍କୁ ହତ୍ୟା କରାଯିବା ନେଇ ପୁଲିସ ସ୍ପଷ୍ଟ କରି ସାରିଥିଲେ ମଧ୍ୟ କାହିଁକି, କେମିତି ହତ୍ୟା କରାଗଲା ଓ ଏହା ପଛର କାରଣ କ’ଣ ତାହା ଏବେ ବି ରହସ୍ୟ ହୋଇ ରହିଛି। ଏହା ଏକ ସମ୍ବେଦନଶୀଳ ଓ ଚର୍ଚ୍ଚିତ ଘଟଣା ହୋଇଥିବାରୁ ଏହାର ଫଳାଫଳ ନେଇ ସାରା ରାଜ୍ୟର ଲୋକଙ୍କ ନଜର ରହିଛି। ଯାଜପୁର ପିଇଓ ସ୍ମିତାରାଣୀ, ନୟାଗଡ଼ ପରୀ ଓ ଅନ୍ୟ ହାଇପ୍ରୋଫାଇଲ ମାମଲା ଭଳି ଏହି ଘଟଣାରେ ମଧ୍ୟ ପୁଲିସ ତଦନ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ଏଭଳି କାର୍ଯ୍ୟଶୈଳୀକୁ ଦେଖି ଯାଜପୁର ପୁଲିସର ପାରିବାପଣିଆ ଆଡ଼କୁ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଛି।

ଗତ ମାସ ୨୬ ତାରିଖ ରାତିରେ ରମାଦେବୀ ଛାତ୍ରୀ ଝରାଫୁଲଙ୍କର ଭୁବନେଶ୍ବର ଧର୍ମବିହାରସ୍ଥିତ ଗେଷ୍ଟହାଉସ୍‌ରେ ଏକ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇ ଯାଇଥିଲା। ଝରାଫୁଲଙ୍କ ଶବକୁ ଅଭିଯୁକ୍ତ ରାକେଶ ଓ ଶେଖର ଏକ ସ୍କୁଟରରେ ଭୁବନେଶ୍ବରରୁ ଆଣି କୁଆଖିଆ ଥାନା ଅଞ୍ଚଳରେ ଫିଙ୍ଗି ଦେଇଥିଲେ। ପ୍ରଥମେ କୁଆଖିଆ ଥାନା ଅଧିକାରୀ ଏବଂ ପରେ ଯାଜପୁରରୋଡ ଏସ୍‌ଡିପିଓ ଚିନ୍ମୟ ନାୟକ ଏହାର ତଦନ୍ତ ଭାର ଗ୍ରହଣ କରିଥିଲେ। ପୁଲିସ ତଦନ୍ତରୁ ଝରାଫୁଲକୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ହେଲେ ଇତିମଧ୍ୟରେ ହତ୍ୟା ଘଟଣାକୁ ୧୫ ଦିନ ବିତିଥିଲେ ମଧ୍ୟ ଝରାଫୁଲଙ୍କୁ ରାକେଶ କାହିଁକି ହତ୍ୟା କଲା ଏବଂ ୨୬ ତାରିଖ ରାତିରେ ସେହି ଗେଷ୍ଟ ହାଉସ୍‌ରେ କ’ଣ ଘଟିଥିଲା, ପୁଲିସ ତାହା ସ୍ପଷ୍ଟ କରିପାରୁନି। ବହୁ ଖୋଜାଖୋଜି ପରେ ଶବ ବୋହିବାରେ ବ୍ୟବହୃତ ସ୍କୁଟରକୁ ପୁଲିସ ଜବତ କରିଥିଲେ ହେଁ ଦ୍ବିତୀୟ ଅଭିଯୁକ୍ତ ଶକ୍ତିଶେଖର ସ୍ବାଇଁ ଓରଫ୍ ଶେଖରକୁ ଧରିବାରେ ସମର୍ଥ ହୋଇନି। ଶେଖର ଧରାପଡ଼ିଲେ ସଂପୂର୍ଣ୍ଣ ଘଟଣା ଉପରୁ ପରଦା ହଟିବ ବୋଲି ଆଶା ରଖି ପୁଲିସ ଅପେକ୍ଷା କରିରହିଛି।

କିଛି ଅପରାଧ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ରାକେଶ ଘଟଣାର ଗୋଟିଏ ଦିନ ପରେ ଅର୍ଥାତ୍ ୨୮ ତାରିଖ ରାତିରେ ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା। ସେହିଦିନ ରାତିରେ ହିଁ ଏୟାରଫିଲ୍ଡ ଥାନାରୁ ଯାଜପୁର ପୁଲିସ ତରବରିଆ ଭାବେ ରାକେଶକୁ ନେଇ ପଳାଇଥିଲା। କିନ୍ତୁ ଫେରାର ଥିବା ଅନ୍ୟତମ ସହଯୋଗୀ ଶେଖରକୁ ପୁଲିସ ଖୋଜି ନ ଥିଲା। ରାକେଶ ଧରାପଡ଼ିବା ପରେ ଭୁବନେଶ୍ବରରେ ରଖି ଅଧିକ ଚଢ଼ଉ କରି ପ୍ରମାଣ ଯୋଗାଡ଼ କରିବା ପରିବର୍ତ୍ତେ କାହିଁକି ତରବରିଆ ଭାବେ ଯାଜପୁର ନେଇ ପଳାଇଥିଲା ପୁଲିସ? ସେହିଦିନ ଗେଷ୍ଟ ହାଉସକୁ ଯିବା ପରିବର୍ତ୍ତେ କାହିଁକି ୪ଦିନ ପରେ ପୁଲିସ ସେଠାକୁ ଯାଇଥିଲା? ରାକେଶ ଓ ସହଯୋଗୀ ଶକ୍ତିଶେଖର ଗେଷ୍ଟହାଉସରୁ ଝରାଫୁଲଙ୍କ ମୃତଦେହକୁ ସାଙ୍ଗରେ ନେଇ ଯିବା ପରେ କର୍ମଚାରୀ ସେହି ରୁମ୍‌କୁ ସଫା କରି ଦେଇଥିଲେ। ତେଣୁ ୪ ଦିନ ପରେ ପୁଲିସ ସେଠାରୁ ଯାଇ କ’ଣ ଅଧିକ ପ୍ରମାଣ ସଂଗ୍ରହ କରିଥିଲା? ଘଟଣା ପରେ ରାକେଶ ବ୍ୟବହୃତ ପ୍ୟାଣ୍ଟ, ସାର୍ଟ, ମୋବାଇଲ ଫୋନ୍, ଗାଡ଼ି ଲୁଚାଇବା, ଶେଖରକୁ ଫେରାର କରାଇବା, କିଛି ଆପତ୍ତିଜନକ ସାମଗ୍ରୀ, ନିଶାଦ୍ରବ୍ୟକୁ ବାଟରେ ଫିଙ୍ଗି ପ୍ରମାଣ ନଷ୍ଟ କରିଥିଲା। ରାକେଶ ଧରାପଡ଼ିବା ପରେ ତତ୍‌କ୍ଷଣାତ ଅଭିଯୁକ୍ତକୁ ଧରି ପୁଲିସ ତଦନ୍ତ ଆରମ୍ଭ ନ କରି ବିଳମ୍ବ କରିବାରୁ ଅନେକ ପ୍ରମାଣ ସଂଗ୍ରହ ମଧ୍ୟ ହୋଇପାରି ନାହିଁ। ଯାହାଫଳରେ ପୁଲିସର ତଦନ୍ତ ପ୍ରକ୍ରିୟା ସନ୍ଦେହ ଭିତରକୁ ଠେଲି ହୋଇଯାଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ସାବ୍ୟସ୍ତ କରିବା ଲାଗି ଅଧିକ ପ୍ରମାଣ ଯୋଗାଡ଼ କରିବା ଏବଂ ଏବେ ଅନ୍ୟତମ ଅଭିଯୁକ୍ତ ଶେଖରକୁ ଧରିବା କଷ୍ଟକର ହୋଇପଡ଼ିଛି।

ଅନ୍ୟପକ୍ଷରେ ଭିସେରା ରିପୋର୍ଟ ପାଇଲା ପରେ ମଧ୍ୟ କାହିଁକି ତଦନ୍ତକାରୀ ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚି ପାରୁନାହିଁ? ଭିସେରା ରିପୋର୍ଟରୁ ଯେଉଁ ତଥ୍ୟ ମିଳିବ ଓ ତାହାକୁ ଆଧାର କରି ମାମଲାର ପର୍ଦ୍ଦାଫାସ୍ କରିବ ବୋଲି ପୁଲିସ ଯେଉଁ ଆଶା ରଖିଥିଲା ସେପରି ପ୍ରମାଣ ମିଳିଲା ନାହିଁ କି? ନା ପୁଲିସ ଉପରେ କୌଣସି ଅଜଣା ଚାପ ରହୁଛି? ହତ୍ୟା ପଛରେ ଯେଉଁ ତିନୋଟି କାରଣ କଥା ଚର୍ଚ୍ଚା ହେଉଛି ଓ ସନ୍ଦେହ କରାଯାଉଛି ସେହି ଦିଗରେ ପୁଲିସ ଆଉ ଆଗେଇ ପାରୁନାହିଁ ନା ଆଉ କେଉଁଠି ଅସୁବିଧା ରହୁଛି? କାହିଁକି ପୁଲିସ ଦିନ ଗଡ଼ାଉଛି ଓ ଆଉ କେତେ ଦିନ ସମୟ ଲାଗିବ ତାକୁ ନେଇ ମଧ୍ୟ ସାଧାରଣରେ ଅନେକ ପ୍ରଶ୍ନ ଉଠିଲାଣି।

ଆହୁରି ମଧ୍ୟ ଅଭିଯୋଗ ହେଉଛି ଯେ ପୁଲିସ ନିଜସ୍ବ ଶୈଳୀରେ ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବା ଅପେକ୍ଷା ଅଭିଯୁକ୍ତର ବୟାନ ଉପରେ ଅଧିକ ଭରସା କରି ତଦନ୍ତକୁ ଆଗେଇ ନେଇଛି । ପୁଲିସ ରାକେଶଙ୍କୁ ୩ ଦିନିଆ ରିମାଣ୍ଡ ନେଇ ଜେରା କରିଥିଲେ ମଧ୍ୟ ତା’ ନିକଟରୁ ହତ୍ୟା ପଛର କାରଣ ଉଗାରିବାରେ ଅସମର୍ଥ ହୋଇଛି। ରାକେଶ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରହିବ। ଏହାପରେ କୋର୍ଟରେ ଶୁଣାଣି ଚାଲିବ। ଏହା ପୂର୍ବରୁ ରାକେଶକୁ ପୁଣିଥରେ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରୁଛି। ରାକେଶକୁ ରିମାଣ୍ଡରେ ନେବା ପାଇଁ ସମୟ ଶେଷ ହୋଇଯାଉଥିବାରୁ ପୁଲିସ ପାଇଁ ଅଡୁଆ ବଢ଼ୁଛି। ତେଣୁ ଏହା ତଦନ୍ତକାରୀ ପୁଲିସର ଦୁର୍ବଳତା ବୋଲି ସାଧାରଣରେ ଆଲୋଚନା ହେଉଛି। ପରବର୍ତ୍ତୀ ସମୟରେ ମାମଲାର ଶୁଣାଣି ବେଳେ ପୁଲିସର ଏହି ଦୁର୍ବଳ ‌ତଦନ୍ତ ଯୋଗୁଁ ଅଭିଯୁକ୍ତ ଖସିଯିବାର ଆଶଙ୍କା ରହିଛି ବୋଲି କେହିକେହି ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର