ଭୁବନେଶ୍ବର: ବିପଦସଂକୁଳ ଅବସ୍ଥାରେ ବିଏମ୍ସିର ୩୨ନମ୍ବର ୱାର୍ଡ ଅନ୍ତର୍ଗତ ଝାରପଡ଼ା କେନାଲ ବ୍ରିଜ୍। ବ୍ରିଜ୍ର ଉଭୟପାର୍ଶ୍ବ ଗାର୍ଡୱାଲ୍ ଭାଙ୍ଗିଯିବା ସହ ବ୍ରିଜ୍ ତଳୁ ସିମେଣ୍ଟ୍ ଛାଡ଼ିଯାଇଛି। ଫଳରେ ବ୍ରିଜ୍ଟି ପୂରା ଦୁର୍ବଳ ହୋଇଯାଇଛି। ଏହା ଉପରେ ବଡ଼ବଡ଼ ଭାରୀଯାନ ଯାତାୟାତ କଲେ ବ୍ରିଜ୍ ଥରୁଛି। ଏବେଠାରୁ ବ୍ରିଜ୍ର ମରାମତି କରା ନଗଲେ ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି। ବ୍ରିଜ୍ ଉପରେ ଆଖପାଖ ୩ଟି ୱାର୍ଡର ୩୦ରୁ ୪୦ହଜାର ଲୋକ ନିର୍ଭରଶୀଳ। ତେଣୁ ତୁରନ୍ତ ଏହାର ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଭାରୀଯାନ ଗଲେ ଥରୁଛି
ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ୪୦ ହଜାର ଲୋକ
ବ୍ରିଜ୍ ପାଇଁ କାଳ ସାଜିଛି ଦୟାୱେଷ୍ଟ୍ର ବିଷାକ୍ତ ପାଣି
୭ ଦିନ ଭିତରେ ମରାମତି ହେବ: ବିଭାଗୀୟ ଯନ୍ତ୍ରୀ
ସୂଚନାନୁସାରେ, ଲକ୍ଷ୍ମୀସାଗର ଛକରୁ କେଶୁରା ଯିବା ରାସ୍ତାରେ ଥିବା ବ୍ରିଜ୍ ଦେଇ ଲୋକେ ଝାରପଡ଼ା, ବ୍ୟାଙ୍କର୍ସ କଲୋନି, କେଶୁରା, କୋରଡ଼କଣ୍ଟା ଆଦି ଅଞ୍ଚଳକୁ ଯାତାୟାତ କରିଥା’ନ୍ତି। ପ୍ରତିଦିନ ଅନ୍ୟୁନ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହା ଉପରେ ଯାତାୟାତ କରିଥା’ନ୍ତି। ହେଲେ ପୂର୍ତ୍ତ ବିଭାଗ ଅଧୀନରେ ଆସୁଥିବା ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବ୍ରିଜ୍କୁ ଦୀର୍ଘଦିନ ଧରି ଅଣଦେଖା କରାଯାଉଛି। ବ୍ୟାବହାରିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ ଏଯାବତ୍ ଏହାର ମରାମତି ନହେବା ବିଭାଗୀୟ ଦାୟିତ୍ବହୀନତା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବ୍ରିଜ୍ର ଗୋଟିଏ ପାଖର ଗାର୍ଡୱାଲରୁ ସିମେଣ୍ଟ୍ ଝଡ଼ି ପଡି ରାସ୍ତାରେ ଗଦା ହୋଇଛି। ତଳପାର୍ଶ୍ବ ଢଳେଇରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଛି।
ଦୟାୱେଷ୍ଟ କେନାଲରେ ଆବର୍ଜନା ପାଣି ପ୍ରବାହିତ ହେବା ଦ୍ବାରା ବ୍ରିଜ୍ର ତଳ ଭାଗ ଲୁହାରଡ୍ ସବୁ ଦୁର୍ବଳ ହୋଇଗଲାଣି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ବ୍ରିଜ୍ର ସ୍ଥିତି ଭଲ ଥିଲା। ଦୟାୱେଷ୍ଟ କେନାଲରେ ଯେବେଠାରୁ ବର୍ଜ୍ୟଜଳ ଛଡ଼ଗଲା, ସେବେଠାରୁ ଏହାର ଅବକ୍ଷୟ ଆରମ୍ଭ ହୋଇଛି। ବିଷାକ୍ତ ବର୍ଜ୍ୟଜଳ ପ୍ରବାହିତ ହେବା ଦ୍ବାରା ବ୍ରିଜ୍କୁ ବିପଦ ମାଡ଼ି ବସିଲା। ଏହାସହ ପ୍ରତିବର୍ଷ ଏହାର ମରାମତି କିମ୍ବା ତଦାରଖ କରା ନଯିବାରୁ ଆଜି ବ୍ରିଜ୍ର ଏଭଳି ଅବସ୍ଥା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ରିଜ୍ ଦୁରବସ୍ଥା ବିଷୟରେ ଆମେ ଅବଗତ ଅଛୁ। ଆସନ୍ତା ୭ ଦିନ ଭିତରେ ‘ବାର୍ଷିକ ରକ୍ଷଣାବେକ୍ଷଣା ବ୍ୟବସ୍ଥା(ଏଏମ୍ପି)’ରେ ବ୍ରିଜ୍ର ମରାମତି କାମ ଆରମ୍ଭ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/65-1.jpg)