କରୋନା କଟକଣାକୁ ଫୁ’ : ‌‌ଜେଲ୍‌ରେ ଜମୁଛି ‘ଟିଟୋ’ର ଖଟି, ପଦାକୁ ଆସିଲା ଚାରିକାନ୍ଥର ଗୁମର

ଏକାଧିକ କଏଦୀଙ୍କ ହାତରେ ସ୍ମାର୍ଟ ଫୋନ୍‌, କମିସନରେଟ ପୁଲିସ କରିବ ତଦନ୍ତ

ଭୁବନେଶ୍ୱର : ଝାରପଡ଼ା ଜେଲ୍ ଭିତରେ ବି ଚାଲିଛି ଗ୍ୟାଙ୍ଗଷ୍ଟର ଟିଟୋର ରାଜ୍। କଏଦୀଙ୍କ ସହ ଏକାଠି ବସିବା, ଖାଇବା, ଖଟି କରିବାର ଭିଡିଓ ସାମ୍ନାକୁ ଆସିଛି। ଖାଲି ଟିଟୋ କାହିଁକି, ଅନ୍ୟ କଏଦୀଙ୍କ ହାତରେ ବି ସ୍ମାର୍ଟଫୋନ୍ ଦେଖିବାକୁ ମିଳିଛି। ଯାହା ଜେଲ୍ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିଟୋ ଗ୍ୟାଙ୍ଗର ସଦସ୍ୟ ଏବେ ବି ସକ୍ରିୟ ଥିବା ବେଳେ ଜେଲ ଚାରିକାନ୍ଥ ଭିତରୁ ଅପରାଧର ବ୍ଲୁ ପ୍ରିଣ୍ଟ ତିଆରି ହେବା ନେଇ ପୁଣି ସନ୍ଦେହ ପ୍ରକାଶ ପାଇଛି।

ଭାଇରାଲ ଭିଡ଼ିଓରୁ ଦେଖିବାକୁ ମିଳିଛି, ଜେଲ୍‌ ପରିସରରେ ଥିବା ଏକ ଗଛମୂଳେ ଗ୍ୟାଙ୍ଗଷ୍ଟର ଟିଟୋ ବସିଛି। ତା’ ଚାରିପାଖରେ କିଛି କଏଦୀ ବସିଛନ୍ତି। ଜଣେ ଦୁଇଜଣ କଏଦୀ ଛିଡ଼ା ହୋଇଥିବାର ଚିତ୍ର ମଧ୍ୟ ଭିଡ଼ିଓରେ ଦେଖାଯାଉଛି। ଟିଟୋ କିଛି ଖାଇବା ସହ ଅନ୍ୟ କଏଦୀଙ୍କ ସହ ଗପସପ କରୁଛି। ଖାଲି ସେତିକି ନୁହେଁ, କିଛି ଦୂରରେ କାନ୍ଥକୁ ଆଉଜି ଆଉ ଦୁଇଜଣ ସ୍ମାର୍ଟ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି। ଝାରପଡ଼ା ଜେଲର ୨୯ ସେକେଣ୍ଡର ଏହି ଭିଡ଼ିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଗ୍ୟାଙ୍ଗଷ୍ଟର ଟିଟୋ ଉପରେ ଜେଲ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ରହୁନାହିଁ କି? ଜେଲ୍‌ ଭିତରେ ରହି ଟିଟୋ ତାର ଅପରାଧ ସାମ୍ରାଜ୍ୟ ଜାରି ରଖିଛି କି? ହାଇସିକ୍ୟୁରିଟି ଝାରପଡ଼ା ଜେଲ ଭିତରକୁ ମୋବାଇଲ ଫୋନ୍ ଯାଉଛି କେମିତି? କେମିତି ଜେଲ୍‌ ଭିତରେ କଏଦୀ କଥାବାର୍ତ୍ତା କରୁଛନ୍ତି? କାହିଁକି ଜେଲ୍‌ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ରହୁନାହିଁ? ଏ ସବୁ ପ୍ରଶ୍ନ ଜେଲ୍‌ ବିଭାଗର ଭୂମିକାକୁ ବିବାଦ ଭିତରେ ଛନ୍ଦିଦେଇଛି।

କେବଳ ଏହି ଗୋଟିଏ ଭିଡ଼ିଓ ନୁହେଁ, ଅନ୍ୟ ଏକ ଭିଡ଼ିଓ ମଧ୍ୟ ପଦାକୁ ଆସିଛି। ଜେଲ୍ ଭିତରେ ଏକ ସ୍ବତନ୍ତ୍ର ସେଲରେ ପୂଜାର୍ଚ୍ଚନା ମଧ୍ୟ ଚାଲିଛି। ଅନ୍ୟ ଏକ ଵାର୍ଡ ଭିତରେ କଏଦୀମାନେ ଏକାଠି ବସି ଟିଭି ଦେଖୁଥିବା ବେଳେ କାହା ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତ୍ବ ମଧ୍ୟ କେହି ମାନୁ ନ ଥିବା ଦେଖିବାକୁ ମିଳିଛି। କରୋନା କଟକଣାକୁ ଫୁ’ କରି ଏ ସବୁ କାର୍ଯ୍ୟ ଚାଲିଥିବା କୁହାଯାଉଛି। ଜେଲ୍ କର୍ମଚାରୀମାନେ ଏହାକୁ କିପରି ଦେଖିପାରୁ ନାହାନ୍ତି କିମ୍ବା କେହି କେମିତି ତାଗିଦ୍ କରୁ ନାହାନ୍ତି, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ବଡ଼ କଥା ହେଲା, କିଏ ଏହି ଭିଡ଼ିଓ ରେକର୍ଡିଂ କରିଛି, ଜେଲ୍‌ର ସୁରକ୍ଷାବଳୟ ଭେଦ କରି କାହା ଜରିଆରେ ମୋବାଇଲ ଫୋନ୍ ଭିତରକୁ ଯାଉଛି, ପ୍ରବେଶ ପଥରେ ଯାଞ୍ଚ କରୁଥିବା କର୍ମଚାରୀ କେମିତି ଜାଣିପାରୁ ନାହାନ୍ତି, ଭିତରକୁ ଫୋନ୍ ଯିବା ପଛରେ ଜେଲ୍‌ର କେଉଁ କର୍ମଚାରୀଙ୍କ ହାତ ରହିଛି, ସେମାନଙ୍କ ବିରୋଧରେ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ? ଏ ସମ୍ପର୍କରେ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ ପୁଲିସକୁ ରେଫର୍‌ କରାଯାଇଛି। ଯଦି ଭିଡ଼ିଓ ସତ ହୋଇଥାଏ, ତାହାଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୮ରେ ବହୁଚର୍ଚ୍ଚିତ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଅପହରଣ ଓ ହତ୍ୟା ମାମଲାର ବ୍ଲୁ ପ୍ରିଣ୍ଟ ଝାରପଡ଼ା ଜେଲ ଭିତରୁ ତିଆରି ହୋଇଥିଲା। ଗ୍ୟାଙ୍ଗଷ୍ଟର୍‌ ହାଇଦର୍‌ ଏହି ବ୍ଲୁ ପ୍ରିଣ୍ଟ ତିଆରି କରି ସଫଳ ହୋଇଥିଲା। ଏକାଧିକ ବ୍ୟକ୍ତିଙ୍କୁ ଦାଦାବଟି, ଅପରାଧ ମାମଲାର ବ୍ଲୁ ପ୍ରିଣ୍ଟ ଝାରପଡ଼ା ଜେଲ ଭିତରୁ ତିଆରି ହୋଇଥିବାର ପ୍ରମାଣ ମଧ୍ୟ ରହିଛି।

ମୋବାଇଲକୁ କେନ୍ଦ୍ର କରି ହୋଇଥିଲା ଆକ୍ରମଣ
ମୋବାଇଲ ଫୋନ୍‌ରେ କଥା ହେବାକୁ କେନ୍ଦ୍ର କରି ଗତ ମେ’ ମାସରେ ଜଣେ କଏଦୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଅଭିଯୋଗ ଥିଲା, ଜଣେ ଅଣଓଡ଼ିଆ କଏଦୀ ଅନ୍ୟ ଏକ କଏଦୀ ଗୋଷ୍ଠୀଙ୍କ ମୋବାଇଲ ଫୋନରେ କଥାବାର୍ତ୍ତା ହୁଅନ୍ତି। ଏଥିପାଇଁ ସମ୍ପର୍କୀୟଙ୍କ ଜରିଆରେ ଇ-ରିଚାର୍ଜ ମଧ୍ୟ କରି ଦିଅନ୍ତି। କିନ୍ତୁ ଗୋଟିଏ ଥର ରିଚାର୍ଜ କରି ନ ଥିବାରୁ ଫୋନ୍ ରଖିଥିବା କଏଦୀମାନେ ସମ୍ପୃକ୍ତ ଅଣଓଡ଼ିଆ କଏଦୀଙ୍କୁ ଆକ୍ରମଣ କରିଥିଲେ। ଅନ୍ୟ ଏକ ଘଟଣାକ୍ରମେ, ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ଲକ୍ଷ୍ନୌର କଏଦୀ ଅରୁଣ ଚତୁର୍ବେଦୀଙ୍କୁ ମଧ୍ୟ ଆକ୍ରମଣ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା। ଜେଲରେ ପରିମଳ ବ୍ୟବସ୍ଥା ନେଇ ସ୍ବର ଉଠାଇଥିବାରୁ ଆକ୍ରମଣ ନେଇ ଅଭିଯୋଗ ହୋଇଥିଲା। ଏହାପରେ ଅରୁଣଙ୍କୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

କାମ କରୁନି ଜାମର୍
ଜେଲ୍ ଭିତରେ ବେଧଡ଼କ୍ ଫୋନରେ କଥାବାର୍ତ୍ତା ଚାଲୁଥିବା ବେଳେ କାମ କରୁନି ଜାମର୍। ୩ଜି ଓ ୪ଜି ଫୋନ୍ କାମ କରୁଥିବା ବେଳେ ଜାମର୍ କିନ୍ତୁ କାମ କରୁନି। ଏବେ ବି ୨ଜି ଜାମର୍ ଲାଗିଥିବା ଜଣାପଡ଼ିଛି। ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ଜେଲରେ ଅନେକଥର ମୋବାଇଲ ଯିବା ଘଟଣା ପଦାକୁ ଆସିଛି। ୨୦୧୯ରେ କମିସନରେଟ୍‌ ପୁଲିସ୍‌ ଚଢ଼ଉ କରି ମୋବାଇଲ ଫୋନ୍ ଜବତ ମଧ୍ୟ କରିଥିଲା।

ସମ୍ବନ୍ଧିତ ଖବର