ଭୁବନେଶ୍ବର: କରୋନା ଭୂତାଣୁର ଭୟଙ୍କର ରୂପ ବଢ଼ି ଚାଲିଥିବା ବେଳେ ଏବେ ଝାରପଡ଼ା ଜେଲ୍ ସ୍ଥିତି ଚିନ୍ତାଜନକ ପାଲଟିଛି। କ୍ଷମତା ଠାରୁ ଯଥେଷ୍ଟ ଅଧିକ ହେଲାଣି କଏଦୀଙ୍କ ସଂଖ୍ୟା। ପ୍ରତି ଵାର୍ଡରେ କଏଦୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଯଦି ଜଣେ ବି କଏଦୀ ପଜିଟିଭ୍ ବାହାରନ୍ତି ତାହେଲେ ପରିସ୍ଥିତି ସାଂଘାତିକ ହୋଇ ବେକାବୁ ହୋଇଯିବ ବୋଲି ଆଶଙ୍କା କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ଝାରପଡ଼ା ଜେଲରେ କଏଦୀଙ୍କ କ୍ଷମତା ୭୫୦। କିନ୍ତୁ ଏହି ସଂଖ୍ୟା ଏବେ ହଜାରେ ଛୁଇଁଲାଣି। ଦିନେ ଦିନେ ହଜାରେ ଟପି ଯାଉଛି। ୨୫ଟି ପୁରୁଷ ଵାର୍ଡ ରହିଥିବା ବେଳେ ୨ଟି ମହିଳା ଵାର୍ଡ ରହିଛି। ସବୁ ଓ୍ବାର୍ଡରେ ଧାର୍ଯ୍ୟ ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ କଏଦୀ ରହିବାକୁ ବାଧ୍ୟ ହେଉଛନ୍ତି। ଏବେ କରୋନାର ଦ୍ବିତୀୟ ଲହର ପ୍ରଥମ ଠାରୁ ଅଧିକ ଭୟଙ୍କର ରହିଛି। କଏଦୀ ସଂଖ୍ୟା କମାଇବା ଲାଗି ଜେଲ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଝାରପଡ଼ା ଜେଲରୁ ୮୫ କଏଦୀଙ୍କୁ ବାଣପୁର ଜେଲକୁ ସ୍ଥାନାନ୍ତର ପାଇଁ ପ୍ରାୟ ମାସକ ତଳେ କାରାଗାର ବିଭାଗକୁ ଅନୁମତି ଲାଗି ଚିଠି ଲେଖା ଯାଇଥିଲା। କିନ୍ତୁ ଏଯାଏ ଅନୁମତି ମିଳିପାରି ନାହିଁ। କେବେ ମିଳିବ ତାହା ମଧ୍ୟ ଜଣାପଡ଼ି ନାହିଁ। ଏଭଳି ସ୍ଥିତିରେ ପ୍ରତିଦିନ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି।
ଝାରପଡ଼ା ଜେଲ ଅଧୀକ୍ଷକ ଡି.ଏନ୍ ବାରିକ କହିଛନ୍ତି, ନିୟମିତ ଜେଲ୍ ସାନିଟାଇଜ୍ କରାଯାଉଛି। କୋଭି଼ଡ୍ ନିୟମ କଡ଼ାକଡ଼ି ପାଳନ କରାଯାଉଛି। ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟ ସ୍ଥାନାନ୍ତର ନିର୍ଦ୍ଦେଶ ଆସିଲା ପରେ କଏଦୀଙ୍କୁ ବାଣପୁର ଜେଲକୁ ପଠାଯିବ। ସୂଚନାଯୋଗ୍ୟ, ଗତବର୍ଷ ବିଭିନ୍ନ ଜେଲରୁ ୭୦ରୁ ଅଧିକ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରିକି ଝାରପଡ଼ା ଜେଲର ଦୁଇଜଣ ବିଚାରଧୀନ କଏଦୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jharpada-special-jail.jpg)