ଝରାଫୁଲ ମୃତ୍ୟୁ ଘଟଣା : ଶବଫିଙ୍ଗା ଡେମୋ ଦେଖାଇଲା ରାକେଶ

କୁଆଖିଅ‌ା ଥାନାରେ ଝରାଫୁଲଙ୍କ ବାପା ଓ ଭାଇ
ଗେଷ୍ଟହାଉସ୍‌ର ୨ କର୍ମଚାରୀଙ୍କୁ ଡକାଇ ଜେରା

ଭୁବନେଶ୍ବର/ଯାଜପୁର/ରସୁଲପୁର/ନଠୁଆବର : ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ପୁଲିସ ରିମାଣ୍ଡରେ ଆଣି ଆଜି କୁଆଖିଆ ଥାନାରେ ମାରାଥନ ଜେରା କରିଛି। ଝରାଫୁଲର ଶବ ପଡ଼ିଥିବା ସ୍ଥାନକୁ ରାକେଶକୁ ନେଇ ‌ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ମୃତ ଝରାଫୁଲର ବାପା ଓ ଭାଇଙ୍କୁ ମଧ୍ୟ ପୁଲିସ ଆଜି ଥାନାକୁ ଡକାଇ ପଚରାଉଚରା କରିଛି। ଝରାଫୁଲର ଶେଷ ମ୍ୟାସେଜ୍ ଥିବା ତାଙ୍କ ଭାଇର ମୋବାଇଲକୁ ପୁଲିସ ଆଜି ଜବତ କରିଛି। ସେହିପରି ଆଜି ରାତିରେ ଭୁବନେଶ୍ବର ଶିବସାଇ ଓୟୋ ଗେଷ୍ଟହାଉସ୍‌ର ୨ କର୍ମଚାରୀଙ୍କୁ ମଧ୍ୟ ଥାନାକୁ ଡକାଇ ପୁଲିସ ଜେରା କରୁଥିବା ଜଣାପଡ଼ିଛି।

ଝରାଫୁଲ ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ କୁଆଖିଆ ପୁଲିସ ଆଜି ସକାଳ ପ୍ରାୟ ୬ଟା ୩୦ରେ ଯାଜପୁର ସବ୍‌ଜେଲ୍‌ରୁ ରିମାଣ୍ଡରେ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ସେଠାରୁ ତା’କୁ ସିଧା କୁଆଖିଆ ଥାନାକୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇଥିଲା। ଦୀର୍ଘ ସମୟ ଧରି ଜେରା ପରେ ଦିନ ୧୨ଟା ୪୫ରେ ଝରାଫୁଲର ଶବ ପକାଇଥିବା ସ୍ଥାନକୁ ରାକେଶକୁ ନିଆଯାଇଥିଲା। ପୁଲିସ ଗାଡ଼ିରେ ବସିଥିବା ଅବସ୍ଥାରେ ରାକେଶକୁ ଦିଆଲଖଣ୍ତ ଗ୍ରାମ ମୁଣ୍ତ ପର୍ଯ୍ୟନ୍ତ ନିଆଯାଇଥିଲା। ଶବ ପଡ଼ିଥିବା ସ୍ଥାନରେ ଗାଡ଼ି ନ ରଖି ସେଠାରୁ ପ୍ରାୟ ୨ଶହ ମିଟର ଦୂରରେ ଏକ ସ୍ଥାନରେ ଗାଡ଼ି ବେଗ କମ୍ କରାଯାଇଥିଲା। ସେଠାରେ ରାକେଶ ଝରାଫୁଲର ମୋବାଇଲ୍ ଫୋପାଡ଼ିଥିବା କଥା ପୁଲିସକୁ କହିଥିଲା। ତେବେ ସେହି ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ମୋବାଇଲ ମିଳି ନ ଥିଲା। ପରେ ରାକେଶକୁ ଥାନାକୁ ଆଣି ପୁଣି ଜେରା କରିଥିଲା ପୁଲିସ।

ଏହି ହତ୍ୟାକାଣ୍ଡର ତଦନ୍ତ ଅଧିକାରୀ ଯାଜପୁରରୋଡ଼ ଏସ୍‌ଡିପିଓ ଚିନ୍ମୟ ନାୟକ ତଦନ୍ତ ସମ୍ପର୍କରେ ମୁହଁ ଖୋଲିନାହାନ୍ତି। ଆଜି କୁଆଖିଆ ଥାନାରେ ଅଭିଯୁକ୍ତ ରାକେଶକୁ ରଖାଯିବ କିମ୍ବା ଅନ୍ୟ କେଉଁଠି କି ନିଆଯିବ, ସେ ସଂପର୍କରେ ମଧ୍ୟ ପୁଲିସ କୌଣସି ସୂଚନା ଦେଉନି। ତେବେ ରାତିରେ ଗେଷ୍ଟହାଉସ୍‌ର ୨ କର୍ମଚାରୀଙ୍କୁ କୁଆଖିଆ ନେଇ ଜେରା କରାଯାଉଛି।

ଅନ୍ୟପକ୍ଷରେ ଆଜି ଦିନ ପ୍ରାୟ ୧୨ଟା ବେଳେ ମୃତା ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଓ ଭାଇ କୁଆଖିଆ ଥାନାରେ ପହ‌ିଞ୍ଚିଥିଲେ। ପୁଲିସ ତାଙ୍କୁ ଡକାଇଥିବା କଥା ଶ୍ରୀ ନାୟକ ସୂଚନା ଦେଇଥିଲେ। ଅର ହତ୍ୟାକାରୀଙ୍କୁ କଠୋର ଦଣ୍ତ ମିଳୁ ବୋଲି ରମାକାନ୍ତ ଦାବି କରିଛନ୍ତି। ଏହି ଘଟଣାରେ ରାକେଶ ଓ ଶେଖର ସହ ଅନ୍ୟ କେହି ସଂପୃକ୍ତ ଅଛନ୍ତି ନା ନାହିଁ ସେ ସଂପର୍କରେ ଜଣାପଡ଼ିନାହିଁ।

ସପ୍ତାହେ ବିତିଲା: ସହଯୋଗୀ ଶେଖରର ପତ୍ତା ପାଉନି ପୁଲିସ
ଆବଶ୍ୟକ ପଡ଼ି‌ଲେ ରାକେଶର ମିଛଧରା ପରୀକ୍ଷା ହେବ
ଝରାଫୁଲର ମୃ୍ତ୍ୟୁକୁ ଇତିମଧ୍ୟରେ ସପ୍ତାହେ ବିତି ସାରିଲାଣି। ହେଲେ ପୁଲିସର ତଦନ୍ତ ଏଯାଏ କେବଳ ଝରାଫୁଲର ପ୍ରେମିକ ରାକେଶ ପାଖରେ ହିଁ ଅଟକିଯାଇଛି। ବହୁ ଖୋଜାଖୋଜି ପରେ ବି ରା‌କେଶର ସହଯୋଗୀ ଶେଖର ଜ୍ୟୋତି ସ୍ବାଇଁ ଓ ଶବ ବୋହିବାରେ ବ୍ୟବହୃତ ସ୍କୁଟିର ସନ୍ଧାନ ମିଳୁନାହିଁ। ରାକେଶ ପୁଲିସକୁ ଯେଉଁ ବୟାନ ଦେଉଛି, ସେହି ବୟାନ ଆଧାରରେ ହିଁ ତଦନ୍ତ ଆଗକୁ ବଢ଼ୁଛି। କିନ୍ତୁ ରାକେଶ କେତେ ସତ କହୁଛି, କେତେ ମିଛ କହୁଛି, ତାହା ଏଯାଏ ସ୍ପଷ୍ଟ ହୋଇ ପ‌ାରୁନାହିଁ। ପ୍ରଶ୍ନ ଉଠୁଛି, ଯଦି ଝରାଫୁଲ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହୋଇ ବି ରାକେଶ ଦିନକ ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରିପାରିଲା, କେବଳ ଶବ ବୋହିବାରେ ସହାୟତା କରିଥିବା ଶେଖର କାହିଁକି ଏଯାଏ ଲୁଚି ରହିଛି? ଏହି ମାମଲାରେ ଶେଖରର ଆଉ କିଛି ବଡ଼ ଭୂମିକା ନାହିଁ ତ? ରାକେଶ ଜାଣିଶୁଣି ପୁଲିସକୁ ମିଛ ବୟାନ ଦେଇ ଖସିଯିବାକୁ ଚାହୁ ନାହିଁ ତ? ଶେଖର ପୁଲିସ ହାତରେ ଧରା ନ ପଡ଼ିବା ଯାଏ ଏବଂ ପୁଲିସ ତା’କୁ ଜେରା ନ କରିବା ଯାଏ ପୂରା ଘଟଣାର ସତ ସାମ୍ନାକୁ ଆସିବ ନାହିଁ ବୋଲି ବିଚାର କରାଯାଉଛି। ତେଣୁ ଶେଖର ଧରା ନ ପଡ଼ିବାରୁ ପୁଲିସର ମୁଣ୍ଡ ବ୍ୟଥା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସତ କ’ଣ ଜାଣିବା ଲାଗି ପୁଲିସ ରାକେଶର ଲାଏ-ଡିଟେକ୍ସନ୍ ଟେଷ୍ଟ ବା ମିଛଧରା ପରୀକ୍ଷା ମଧ୍ୟ କରିପାରେ ବୋଲି ଗୋଟିଏ ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର