ଝରାଫୁଲ ମୃତ୍ୟୁ ପୂରା ଘଟଣା ଭୁବନେଶ୍ବରରେ : କାହିଁକି ଚୁପ୍ କମିସନରେଟ ପୁଲିସ?

ମାମଲା ସ୍ଥାନାନ୍ତର କରିପାରିବ ଯାଜପୁର ପୁଲିସ: ବିଶେଷଜ୍ଞ
ରଶ୍ମିରଞ୍ଜନ ଅପହରଣ ହତ୍ୟା ମାମଲାକୁ ରାଞ୍ଚିରୁ ଅଣାଯାଇଥିଲା
ଯାଜପୁର ପୁଲିସକୁ ସମସ୍ତ ସହଯୋଗ କରାଯାଉଛି: ସିପି

ଭୁବନେଶ୍ବର/ଯାଜପୁର/ନଠୁଆବର : ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ କ୍ରମଶଃ ଅଡୁଆ ସୂତା ଭିତରେ ଛନ୍ଦି ହୋଇ ଯାଉଛି। ଘଟଣାର ୯ ଦିନ ପରେ ବି ରହସ୍ୟ ଉନ୍ମୋଚନ ହୋଇ ପାରୁ ନ ଥିବା ବେଳେ ତଦନ୍ତ ଧୀରେ ଧୀରେ ଦିଗହରା ହୋଇ ପଡ଼ିଲାଣି। ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆରେ ଫିଙ୍ଗା ଯାଇଥିବା ବେଳେ ପୂରା ଘଟଣା କିନ୍ତୁ ଘଟିଛି ଭୁବନେଶ୍ବରରେ। ବସ୍‌ରୁ ଓହ୍ଲାଇବା, ପ୍ରେମିକ ରାକେଶଙ୍କ ସହ ବସି ସ୍କୁଟିରେ ଯିବା, ଫାଷ୍ଟଫୁଡ୍ ଦୋକାନରେ ଖାଇବା, ଖଣ୍ଡଗିରି ଧର୍ମବିହାର ଶିବସାଇ ଗେଷ୍ଟହାଉସ୍‌ରେ ରହିବା ଓ ସେଠାରେ ଝରାଫୁଲଙ୍କ ମୃତ୍ୟୁ ହେବା ସବୁ କିଛି ରାଜଧାନୀର ୧୫ କିଲୋମିଟର ଇଲାକା ଭିତରେ ହୋଇଛି। ତେଣୁ ଏହି ମାମଲାର ତଦନ୍ତ ଭୁବନେଶ୍ବର କମିସନରେଟ୍ ପୁଲିସ ନ କରି କେବଳ ଶବ ଫିଙ୍ଗା ହୋଇଥିବା ଇଲାକା କୁଆଖିଆ ଥାନା ପୁଲିସ କରୁଥିବାରୁ ରହସ୍ୟ ଉପରୁ ପରଦା ହଟୁ ନ ଥିବା ଆଲୋଚନା ହେଉଛି।

ଝରାଫୁଲ ଭୁବନେଶ୍ବରରେ ରହି ପଢୁଥିବା ବେଳେ ଅଭିଯୁକ୍ତ ରାକେଶର ଘର ଭୁବନେଶ୍ବରରେ। ଘଟଣା ଘଟିଲା ଭୁବନେଶ୍ବର ସ୍ଥିତ ଧର୍ମବିହାର ଓୟୋ ଗେଷ୍ଟହାଉସ୍‌ରେ। କେବଳ ପ୍ରମାଣ ନଷ୍ଟ କରିବା ପାଇଁ ରାକେଶ ଓ ତାର ସହଯୋଗୀ ଶେଖର ୯୦ କିଲୋମିଟର ଦୂର ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅଞ୍ଚଳରେ ମୃତଦେହକୁ ଫିଙ୍ଗି ଦେଇ ପୁଣି ଭୁବନେଶ୍ବର ଫେରି ଆସିଥିଲେ। ଝରାଫୁଲ ରହୁଥିବା ରୁମ୍‌କୁ କେବଳ ରାକେଶ ନା ଆଉ କେଉଁମାନେ ଯାଇଥିଲେ? ସେଠାରେ ରାତିରେ କଣ ଘଟିଲା ଯେ ଝରାଫୁଲଙ୍କ ମୃତ୍ୟୁ ଘଟିଲା? ଏଭଳି ଅନେକ ପ୍ରଶ୍ନର ଉତ୍ତର କୁଆଖିଆ ପୁଲିସ ଭୁବନେଶ୍ବର ଯାଇ ଖୋଜିବା ସହଜ ନୁହେଁ। କେବଳ ଘଟଣା ନୁହେଁ; ରାକେଶ ଯେଉଁଠି ବିରିୟାନି ଖାଇଥିଲା ସେହି ଫାଷ୍ଟଫୁଡ୍ ଦୋକାନୀ, ଗେଷ୍ଟ ହାଉସ କର୍ମଚାରୀଙ୍କ ଘର ମଧ୍ୟ ଭୁବନେଶ୍ବରରେ। ଅଭିଯୁକ୍ତଙ୍କୁ ଘରୁ ଯିବା ହେଉ କି ଫାଷ୍ଟଫୁଡ୍ ଦୋକାନୀ ଓ ଗେଷ୍ଟ ହାଉସ କର୍ମଚାରୀଙ୍କୁ ପଚରାଉଚରା, ଘଟଣାସ୍ଥଳରେ ଛାନଭିନ୍ କମିସନରେଟ ପୁଲିସ ତଦନ୍ତ କଲେ ଅଧିକ ସୁବିଧା ହେବ। ଏପରିକି ମାମଲାର ଶୁଣାଣି ସମୟରେ ମଧ୍ୟ ବେଶ୍ ସହାୟକ ହେବ। କିନ୍ତୁ ତଦନ୍ତ ପ୍ରକ୍ରିୟା ଧୀରେ ଧୀରେ ଦିଗହରା ହେବାକୁ ଲାଗିଥିବାବେଳେ ଏହି ଘଟଣାର ତଦନ୍ତ କମିସନରେଟ୍‌ ପୁଲିସ କରିଥିଲେ ଅଧିକ ସଫଳତା ମିଳିପାରନ୍ତା ବୋଲି କୁହାଯାଉଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ କମିସନରେଟ୍‌ ପୁଲିସ ଚୁପ୍ ବସିଛି ଏବଂ ପ୍ରଥମ ଦିନରୁ ହିଁ କୁଆଖିଆ ପୁଲିସକୁ ମାମଲାର ତଦନ୍ତ ଦାୟିତ୍ବ ମିଳିଛି। ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ କମିସନରେଟ ପୁଲିସ ନିଜ ଆଡ଼ୁ ଆଗ୍ରହ ପ୍ରକାଶ ନ କରିବା ପଛର କାରଣ କ’ଣ ହୋଇପାରେ ବୋଲି ଏବେ ପ୍ରଶ୍ନ ଉଠିଲାଣି। କମିସନରେଟ୍‌ ପୁଲିସର ଦକ୍ଷ ଓ ଅଭିଜ୍ଞ ଅଧିକାରୀ ଥାଉଥାଉ ସମ୍ବେଦନଶୀଳ ଘଟଣାଠାରୁ ଦୂରେଇ ରହିବାକୁ ସାଧାରଣ ଲୋକେ ସହଜରେ ହଜମ କରିପାରୁ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ବହୁଚର୍ଚ୍ଚିତ ୨୦୦୭ରେ କେନ୍ଦୁଝରର ଖଣି ବ୍ୟବୟାୟୀ ରଶ୍ମିରଞ୍ଜନ ମହାପାତ୍ର ଓ ତାଙ୍କ ଡ୍ରାଇଭରଙ୍କୁ ଅପହରଣ ପରେ ଝାଡ଼ଖଣ୍ଡ ରାଞ୍ଚି ସୁନାହାଟରେ ହତ୍ୟା କରି ପୋଡ଼ି ଦେଇଥିଲେ ଦୁର୍ବୃତ୍ତ। ମୃତଦେହ ମିଳିବା ପରେ ରାଞ୍ଚି ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିଏନ୍‌ଏ ପରୀକ୍ଷା ପରେ ମୃତଦେହ ରଶ୍ମିରଞ୍ଜନଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଏହି ସଂଗିନ ମାମଲାକୁ ଭୁବନେଶ୍ବର ଆଣିବା ଲାଗି ସେତେବେଳେ ସହିଦନଗର ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରା ଯାଇଥିଲା। କୋର୍ଟଙ୍କ ଅନୁମତି ମିଳିବା ପରେ ସହିଦନଗର ଥାନା ପୁଲିସ ଅପହରଣ ଓ ହତ୍ୟା ମାମଲା ରୁଜୁ କରିବା ସହ ମାମଲାର ପର୍ଦ୍ଦାଫାସ୍ କରିଥିଲା। ତେଣୁ ଝରାଫୁଲଙ୍କ ମୃତ୍ୟୁ ଘଟଣାରେ କୁଆଖିଆ ଥାନା ପୁଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ହେଁ ପୂରା ଘଟଣା ଜଣାପଡିବା ପରେ ମାମଲା ଏଠାକୁ ଆସିପାରିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି।

ଆଇନ ଅନୁସାରେ ଯାଜପୁର ପୁଲିସ ମଧ୍ୟ ମାମଲା ସ୍ଥାନାନ୍ତର କରିପାରିବ। ଜଣେ ଅବସରପ୍ରାପ୍ତ ପୁଲିସ ଡିଜିଙ୍କ କହିବା ଅନୁସାରେ ସିଆର୍‌ପିସି ଧାରା ୧୫୬ ଅନୁସାରେ ତଦନ୍ତକାରୀ ଅଧିକାରୀ ଜୁରିଡିକସନ୍ କ୍ଷେତ୍ରରେ ଏହାକୁ ଯେଉଁ ଅଞ୍ଚଳରେ ଘଟିଥିବା ସେଠାକୁ ସ୍ଥାନାନ୍ତର କରି ଦେଇପାରିବେ। ପୂରା ଘଟଣା ଯେଉଁ ଅଞ୍ଚଳରେ ଘଟିଛି ସେଠାରେ ତଦନ୍ତ ହେଲେ ଅଧିକ ସହଜ ହୋଇପାରିବ। ତେଣୁ ଏ ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇ ପାରିବ। ଏପରିକି ଏସ୍‌ପି ଏବଂ ଡିଜି ଚାହିଁଲେ ବି ମାମଲାକୁ ସ୍ଥାନାନ୍ତର କରି ଦେଇପାରିବେ।

ହେଲେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଆରମ୍ଭରୁ କମିସନରେଟ ପୁଲିସ କୁଆଖିଆ ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରି ଆସୁଛି। ମୁଖ୍ୟ ଅଭିଯୁକ୍ତକୁ ଧରିବା, ବ୍ୟବହୃତ ଗାଡ଼ି ଜବତ କରିବାଠାରୁ ଆରମ୍ଭ କରି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି। ମୃତ ଘୋଷଣା, ଶବ ବ୍ୟବଚ୍ଛେଦ ସବୁ କିଛି ଯାଜପୁରରେ ହୋଇଛି। ମାମଲା ସ୍ଥାନାନ୍ତର ହେଲେ ଆଇନଗତ ଜଟିଳତା ସୃଷ୍ଟି ହୋଇପାରେ।

ସମ୍ବନ୍ଧିତ ଖବର