ଝରାଫୁଲ ମୃତ୍ୟୁ ଘଟଣା : ମିଳି ସାରିଲାଣି ପ୍ରମାଣ, ଆଉ ଖସିପାରିବନି ରାକେଶ

ରାତିରେ ଶବ ନେଇଯିବାକୁ ଯୋଜନା କରିଥିଲା

ପ୍ରଥମେ ରାକେଶ କହୁଥିଲା ଯେ ଝରାଫୁଲର କେମିତି ମୃତ୍ୟୁ ହେଲା ସେ କିଛି ଜାଣିନି। ଯାହାକୁ ସେ ଏତେ ଭଲ ପାଉଥିଲା, ତା’କୁ ହତ୍ୟା କରିବ କିପରି? ପୁଲିସ ଭାବିଥିଲା, ରାକେଶ ବୋଧହୁଏ ସତ କହୁଛି। କିନ୍ତୁ ତଦନ୍ତ ଯେତେ ଆଗେଇଲା, ପୁଲିସ ଆଗରେ ରହସ୍ୟ ଧୀରେ ଧୀରେ ଉନ୍ମୋଚିତ ହେବାକୁ ଲାଗିଲା। ଶେଷରେ ରାକେଶ ଝରାଫୁଲକୁ ହତ୍ୟା କରିଥିବା ନେଇ ଏତେ ପ୍ରମାଣ ମିଳି ସାରିଲାଣି ଯେ ଏବେ ରାକେଶ ଆଉ ଏଥିରୁ ଖସି ପାରିବନି।

ଭୁବନେଶ୍ବର: ୨୬ ତାରିଖ ବିଳମ୍ବିତ ରାତିରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିଲା। ସେହି ରାତିରେ ହିଁ ଶବକୁ ବାହାରକୁ ନେଇଯାଇ ଫିଙ୍ଗିଦେବାକୁ ଯୋଜନା କରିଥିଲା ରାକେଶ। ମାତ୍ର ଗେଷ୍ଟହାଉସ୍‌ର ମେନ୍‌ଗେଟ୍‌ ବିଳମ୍ବିତ ରାତିରେ ବନ୍ଦ ରହୁଥିବାରୁ ଶବ ବାହାରକୁ ଆଣିଲେ ଧରାପଡ଼ିଯିବାର ଅଧିକ ଆଶଙ୍କା ରହିଥିଲା। ଏହି କାରଣରୁ ସକାଳୁ ଗେଷ୍ଟ ହାଉସ୍‌ର ଗେଟ୍‌ ଖୋଲିବା ପରେ ରାକେଶ ତାର ସଂପର୍କୀୟ ଭାଇ ଶକ୍ତିଶେଖର ଓରଫ ଶେଖରକୁ ଡାକିଥିଲା। ଉଭୟ ରାକେଶର ସ୍କୁଟରରେ ଶବକୁ ମଝିରେ ରଖି କୁଆଖିଆ ଥାନା ଅଞ୍ଚଳରେ ଫିଙ୍ଗି ଦେଇଥିଲେ। ପ୍ରଥମେ ସେମାନେ ଶବକୁ ଝରାଫୁଲର ଗାଁକୁ ନେବାକୁ ଯୋଜନା କରିଥିଲେ। ତେବେ ରାସ୍ତାରେ ଝରାଫୁଲଙ୍କ ଶବର ଗୋଡ଼ ବାରମ୍ବାର ଘୋଷାଡ଼ି ହେବାରୁ ‌ଦେଖଣାହାରୀଙ୍କ ସନ୍ଦେହ ବଢ଼ିଥିଲା। ଏହି କାରଣରୁ ସେମାନେ ଶବକୁ କୁଆଖିଆ ଥାନା ଅନ୍ତଗର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ସେଠାକାର ଇଟା ଫ୍ୟାକ୍ଟ୍ରିର ସିସିଟିଭିରେ ଶବ ପକାଯିବା ବେଳର ଦୃଶ୍ୟ କଏଦ ହୋଇଥିଲା। ଝରାଫୁଲଙ୍କ ବାପାଙ୍କ ବୟାନ ଏବଂ ସିସିଟିଭି ଫୁଟେଜ୍‌ ଯୋଗୁଁ ରାକେଶ ଅତି ସହଜରେ ପୁଲିସ ହାତରେ ଧରାପଡ଼ି ଯାଇଥିଲା। କେଶ ଓ ଶେଖର ସ୍କୁଟରର ନମ୍ବର ପ୍ଲେଟ୍‌ ବାହାର କରି ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଏଭଳି କି ରାକେଶ ୨୬ତାରିଖ ଦିନ ପିନ୍ଧିଥିବା ପ୍ୟାଣ୍ଟ, ସାର୍ଟକୁ ମଧ୍ୟ ଲୁଚାଇ ଦେଇଥିଲା। ମାତ୍ର ପରେ ପୁଲିସ ସ୍କୁଟର ଓ ପୋଷାକ ଖୋଜି ବାହାର କରିବାକୁ ସମର୍ଥ ହୋଇଥିଲା।

୨୬ ରାତିରେ କ’ଣ ଘଟିଥିଲା ଗେଷ୍ଟହାଉସ୍‌ରେ?
ରାକେଶକୁ ଜେରା ବେଳେ ପୁଲିସ ଏଭଳି ଅନେକ ତଥ୍ୟ ପାଇଛି। ତେବେ ୨୬ ତାରିଖ ରାତିରେ କ’ଣ ଘଟିଲା ଯେ ରାକେଶ ନିଜ ପ୍ରେମିକ ଝରାଫୁଲକୁ ସବୁଦିନ ପାଇଁ ଶେଷ କରିଦେବାକୁ ଚାହିଁଲା? ଏହା ହତ୍ୟ‌ାକାଣ୍ଡ ବୋଲି ପ୍ରମାଣ କରିବାକୁ ହେଲେ ଏହି ରହସ୍ୟ ଉପରୁ ତଦନ୍ତାକରୀ ପୁଲିସକୁ ପରଦା ଉଠା‌ଇବାକୁ ପଡ଼ିବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ୨୬ ତାରିଖ ଦିନ ରାତିରେ ଗେଷ୍ଟହାଉସ୍‌ରେ ଏଭଳି କିଛି କରିବା ପାଇଁ ରାକେଶ ବାଧ୍ୟ କରିଥିଲା, ଯାହା ଝରାଫୁଲ ପସନ୍ଦ କରି ନ ଥିଲେ ବା କରିବାକୁ ଚାହିନଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା ଏବଂ ଶେଷରେ ଏହି କାରଣରୁ ଝରାଫୁଲଙ୍କ ଜୀବନ ଗଲା। ତେଣୁ ୨୬ ତାରିଖ ଦିନ ଝରାଫୁଲ ଏବଂ ରାକେଶ କେଉଁକେଉଁ ସ୍ଥାନକୁ ଯାଇଥିଲେ? କାହାକୁ ଭେଟିଥିଲେ? ସେଦିନ ଗେଷ୍ଟହାଉସ୍‌ର ସେହି ରୁମ୍‌କୁ ଆଉ କେଉଁମାନେ ଆସିଥିଲେ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ତଦନ୍ତକାରୀ ପୁଲିସ ଉଦ୍ୟମ ଚଳାଇଛି। ଏଥିସହ ଅନ୍ୟତମ ଅଭିଯୁକ୍ତ ଶେଖରକୁ ଧରିବା ପାଇଁ ମଧ୍ୟ ପୁଲିସ ଜାଲ ବିଝା‌ଇଛି। ଶେଖର ସୁନ୍ଦରପଦା ଏବଂ ଏହାର ଆଖପାଖ ଅଞ୍ଚଳର କିଛି ସଂପର୍କୀୟଙ୍କ ସହ ଯୋଗାଯୋଗରେ ରହିଥିବା ପୁଲିସ ଜାଣିବାକୁ ପାଇଛି। ଖୁବ୍‌ଶୀଘ୍ର ସେ ପୁଲିସ ପଞ୍ଝାରେ ପଡ଼ିବ ବୋଲି ପୁଲିସ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି।

ବାଲିଅନ୍ତାରେ ପିଉସୀଙ୍କ ଘରେ ରାତି କଟାଇଥିଲା
୨୭ ତାରିଖ ସକାଳେ ରାକେଶ ଓ ଶେଖର ଝରାଫୁଲର ମୃତଦେହକୁ କୁଆଖିଆ ଅଞ୍ଚଳରେ ଫିଙ୍ଗିବା ପରେ ଭୁବନେଶ୍ବର ଫେରି ଆସିଥିଲେ। ସେମାନେ ସିଧା ସୁନ୍ଦରପଦାକୁ ଯାଇଥିଲେ। ସେଠାରେ ଶେଖରକୁ ଛାଡ଼ିବା ପରେ ରାକେଶ ତାଙ୍କ ଘରଠାରୁ କିଛି ଦୂରରେ ଏକ ନିର୍ମାଣାଧୀନ ଘର ନିକଟରେ ଥିବା ବାଲିଗଦାରେ ସ୍କୁଟି ଲୁଚାଇ ଦେଇଥିଲା। ଏହା‌ପରେ ସେ ଅନ୍ୟ ଏକ ବାଇକ୍‌ରେ ବାଲିଅନ୍ତା ସୁବାଲୋରେ ଥିବା ପିଉସୀଙ୍କ ଘରକୁ ଯାଇଥିଲା। ରାକେଶ ରାତି ପ୍ରାୟ ୯ଟାରେ ପହଞ୍ଚିବାରୁ ଏତେ ରାତିରେ କାହିଁକି ହଠାତ୍ ଆସିଲୁ ବୋଲି ପିଉସୀ ପଚାରିଥିଲେ। ଉତ୍ତରରେ ରାକେଶ ସେହି ଅଞ୍ଚଳରେ କାମ ଥିବା କହିଥିଲା। ରାତ୍ରିଭୋଜନ କରିବାକୁ ପିଉସୀ ଡାକିଥିଲେ ମଧ୍ୟ ସେ ଖାଇବାକୁ ମନା କରି ଦେଇଥିଲା। କେବଳ ଚା ମାଗି ପିଇଥିଲା। ତହିଁ ପରଦିନ ସକାଳ ପ୍ରାୟ ୭ଟାରେ ସେ ପିଉସୀଙ୍କ ଘରୁ ବାହାରିଥିଲା। ରାକେଶ ବ୍ୟସ୍ତ ବିବ୍ରତ ଥିବା ଦେଖି ପିଉସୀ ପୁଅ ଭାଇ ଏ ସମ୍ପର୍କରେ ତାକୁ ପଚାରିଥିଲେ। ରାକେଶ ତାଙ୍କୁ ପୂରା ଘଟଣା ସେ କହିଥିଲେ ମଧ୍ୟ ଝରାଫୁଲକୁ ହତ୍ୟା କରିଥିବା କଥା ଲୁଚାଇଥିଲା। ପରେ ରାକୋ ଫୋନରେ ପିଉସୀ ପୁଅ ଭାଇଙ୍କ ସହ କଥା ହୋଇଥିବାରୁ ପୁଲିସ ଟ୍ରାକିଂ କରି ସେଠାରେ ପହଞ୍ଚିଥିଲା। ପୁଲିସ ପିଉସୀ ଭାଇ ଓ ନିକଟସ୍ଥ ପତୁପଡା ଗାଁର ଆଉ ଜଣେ ସମ୍ପର୍କୀୟ ଭାଇଙ୍କୁ ଯାଜପୁର କୁଆଖିଆ ଥାନାକୁ ଡକାଇ ଜେରା କରିଥିଲା। ଉଭୟଙ୍କ ବୟାନ ରେକର୍ଡ କରିବା ପରେ ଆଜି ପୁଲିସ ସେମାନଙ୍କୁ ଛାଡ଼ି ଦେଇଛି। ସେହିପରି ସନ୍ଦେହଜନକ ଅବସ୍ଥାରେ ରାକେଶ ସହଯୋଗୀ ଶେଖର ସହ ମିଶି ଝରାଫୁଲଙ୍କ ମୃତଦେହକୁ ଗେଷ୍ଟହାଉସରୁ ବାହାର କରି ନେଇଥିଲେ ମଧ୍ୟ କାହିଁକି ଗେଷ୍ଟହାଉସ କର୍ମଚାରୀ ପୁଲିସକୁ ଜଣାଇ ନ ଥିଲେ ବୋଲି ପୁଲିସ ସେମାନଙ୍କୁ ଜେରା କରିଥିଲା। ମାମଲାର ଶୁଣାଣି ସମୟରେ ଏମାନେ ସାକ୍ଷୀ ହୋଇପାରନ୍ତି।

ସମ୍ବନ୍ଧିତ ଖବର