ଖୋଲୁନି ଝରାଫୁଲ ହତ୍ୟା ରହସ୍ୟ : ବିଧାନସଭା ଆଗରେ ବାପାଙ୍କ ଆତ୍ମାହୁତି ଧମକ

ପୁଲିସ ପାଇଁ ଅକଳରେ ପଡ଼ିପାରନ୍ତି ସରକାର
ମୁହଁ ଖୋଲୁ ନାହାନ୍ତି ଯାଜପୁର ଏସ୍‌ପି, ପୁଲିସ ଡିଜି

ଭୁବନେଶ୍ବର : ଦିନ ପରେ ଦିନ ଗଡ଼ି ଚାଲୁଛି। ୧୮ ଦିନ ବିତି ଗଲାଣି। ଘଟଣାର ଗୋଟିଏ ଦିନ ପରେ ପୁଲିସ ହାତରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। ରିମାଣ୍ଡରେ ନେଇ କ୍ରାଇମ ସିନ୍ ରିକ୍ରିଏଟଠାରୁ ଆରମ୍ଭ କରି ସାକ୍ଷୀଙ୍କ ବୟାନ ରେକର୍ଡ, ବ୍ୟବହୃତ ସାମଗ୍ରୀ ଜବତ, ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସବୁ କିଛି ପୁଲିସ ହାତରେ ଲାଗି ସାରିଛି। କିନ୍ତୁ ରହସ୍ୟ ଉନ୍ମୋଚନ କରିପାରୁ ନାହିଁ ପୁଲିସ। ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାରେ ଯାଜପୁର ପୁଲିସର ଅହେତୁକ ନିରବତା ଏବେ ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି କଲାଣି। କାହିଁକି ପୁଲିସ ଏହି ମୃତ୍ୟୁ ଉପରୁ ପରଦା ଉଠାଇବାରେ ସମର୍ଥ ହୋଇପାରି ନାହିଁ? ଏଭଳି ଏକ ସମ୍ବେଦନଶୀଳ ମାମଲାର ପର୍ଦ୍ଦାଫାସ୍ ପାଇଁ ତଦନ୍ତକାରୀ ପୁଲିସକୁ କେତେ ସମୟ ଲାଗିବ? ଯଦି ଅସୁବିଧା ରହୁଛି, ତାହାଲେ ବିଶେଷଜ୍ଞଙ୍କ ସହାୟତା ନିଆଯାଉ ନାହିଁ କାହିଁକି? ମାମଲାର ପର୍ଦ୍ଦାଫାସ୍ ନ କରିବା ପାଇଁ ପୁଲିସ ଉପରେ ଅଦୃଶ୍ୟ ଚାପ ପଡୁଛି କି? ଏଭଳି ଅନେକ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ଝିଅ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠୁ ନଥିବା ବେଳେ ତାଙ୍କ ବାପା ରମାକାନ୍ତ ନାୟକ ପୁଲିସ ପ୍ରଶାସନକୁ ଦାୟୀ କରିଛନ୍ତି। ଯଦି ମାମଲାର ପର୍ଦ୍ଦାଫାସ୍ ନ ହୁଏ, ତାହେଲେ ବିଧାନସଭା ସାମ୍ନାରେ ସପରିବାର ଆତ୍ମାହୁତି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

କମିସନରେଟ୍ ପୁଲିସ୍‌ ରାଜଧାନୀରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଭଳି ମାମଲାର ୭ଦିନରେ ପର୍ଦ୍ଦାଫାସ୍ କଲା। କିନ୍ତୁ ଝରାଫୁଲ ମାମଲାରେ ଯାଜପୁର ପୁଲିସ ହାତରେ ଅଭିଯୁକ୍ତ ଧରାପଡ଼ିବା, ବ୍ୟବହୃତ ସ୍କୁଟି ଜବତ ହେବା, ବାଣୀବିହାରଠାରୁ ଆରମ୍ଭ କରି ଗେଷ୍ଟ ହାଉସରୁ ସିସିଟିଭି ଫୁଟେଜ୍ ମିଳିବା ସହ ଅନେକ ସାକ୍ଷ୍ୟ ପ୍ରମାଣ ଥିଲେ ବି ରହସ୍ୟ ଉନ୍ମୋଚନ ହୋଇ ପାରୁନଥିବାରୁ ବାପା ରାମାକାନ୍ତ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଏପରିକି ଝିଅକୁ ନ୍ୟାୟ ମିଳିବ କି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହି ୧୮ଦିନ ହେଲା ଆମକୁ ନାନା ମାନସିକ ଦୁଶ୍ଚିନ୍ତାରେ ଦିନ କାଟିବାକୁ ପଡୁଛି। ଆମେ ଆଦିବାସୀ ବୋଲି ନ୍ୟାୟ ମିଳିବାରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି। ଏଣେ ଝରାଫୁଲଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ସାଙ୍ଗମାନେ ମଧ୍ୟ ଦାବି କଲେଣି।

ଗୋଟିଏ ପରେ ଗୋଟିଏ ଘଟଣାରେ ପୁଲିସ ତଦନ୍ତକୁ ନେଇ ଅକଳରେ ପଡୁଛନ୍ତି ସରକାର। ସାଧାରଣରେ ଛବି ମଧ୍ୟ ମଳିନ ହେଉଛି। ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଆରମ୍ଭରୁ ପୁଲିସ ତଦନ୍ତରେ ଅବହେଳା କରିଥିଲା। ପରୀ ବାପା ମା’ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିବା ପରେ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିଥିଲା। ଏସ୍‌ଆଇଟି ଗଠନ କରାଯାଇ ଯେତେବେଳେ ତଦନ୍ତ ଆରମ୍ଭ ହେଲା, ସେତେବେଳକୁ ଅନେକ ପ୍ରମାଣ ନଷ୍ଟ ହୋଇସାରିଥିଲା। ସେହିପରି ନିକଟରେ ଘଟିଥିବା ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ମଧ୍ୟ ପୁଲିସ ତଦନ୍ତକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ। ଖାଲି ସେତିକି ନୁହେଁ, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ସେହିପରି ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ଯାଜପୁର ପୁଲିସ ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଏ ସବୁ ଘଟଣାକୁ ନେଇ ସରକାର ଅକଳରେ ପଡ଼ିଥିବା ବେଳେ ଝରାଫୁଲ ମୃତ୍ୟୁ ମାମଲାର ରହସ୍ୟ ଆଉ ଏକ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି।

ଝରାଫୁଲଙ୍କ ମୃତ୍ୟୁ ସମ୍ପର୍କରେ ଯାଜପୁର ଏସ୍‌ପି ପି.ଆର୍‌ ରାହୁଲଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ। ପୁଲିସ୍‌ ଡିଜି ଅଭୟଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର