ଲକ୍ଡାଉନ୍ରେ ଆରମ୍ଭ ହୋଇଥିଲା ପ୍ରେମ
ପରିବାର ଲୋକଙ୍କ ତାଗିଦ୍ ମାନି ନ ଥିଲେ
ରାଗରେ ସିମକାର୍ଡ ଭାଙ୍ଗି ଦେଇଥିଲେ ବାପା
ଭୁବନେଶ୍ବର : ଝରାଫୁଲ... ଏହି ନାଁ ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ମୟୂରଭଞ୍ଜର ଯଶିପୁରରୁ ଭୁବନେଶ୍ବର ଆସି ପ୍ରେମିକ ସହ ରାତି କଟାଇବା ପରେ ଘଟିଥିଲା ସନ୍ଦେହଜନକ ମୃତ୍ୟୁ। ପ୍ରେମିକ ରାକେଶ ସ୍ବାଇଁ ସହଯୋଗୀ ଶେଖର ସହ ମିଶି ମୃତଦେହକୁ ଦୁଇଟି ଜିଲ୍ଲା ଡେଇଁ ଯାଜପୁର କୁଆଖିଆ ଅଞ୍ଚଳରେ ଫିଙ୍ଗିବା ଘଟଣା ଆହୁରି ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। କିନ୍ତୁ ଏହା ପଛରେ ଯେଉଁ ପ୍ରେମ କାହାଣୀ ଲୁଚିଛି ତାହା କୌଣସି ସିନେମା କାହାଣୀଠାରୁ ମଧ୍ୟ କମ୍ ନୁହେଁ। ପରିବାର ଲୋକଙ୍କ ଯାବତୀୟ ବାଧା ଓ ତାଗିଦକୁ ନ ଶୁଣି ଝରାଫୁଲ କିପରି ରାକେଶର ପ୍ରେମରେ ଅନ୍ଧ ହୋଇ ଯାଇଥିଲେ ଏବଂ ଶେଷରେ ଏହି ପ୍ରେମକାହାଣୀର ଦୁଃଖଦ ଅନ୍ତ ହେଲା; ତାହା ଖୋଦ୍ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଆମ ପ୍ରତିନିଧିଙ୍କ ଆଗରେ ବର୍ଣ୍ଣନା କଲାବେଳେ କୋହ ସମ୍ବରଣ କରିପାରି ନାହାନ୍ତି।
ଉପାନ୍ତ ଜିଲ୍ଲା ମୟୂରଭଞ୍ଜ ଯଶିପୁରର ଝିଅ ଝରାଫୁଲ ନାୟକ। ଘରେ ଗେହ୍ଲାରେ ଡାକନ୍ତି ଝିଲି। ରମାଦେବୀ ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗର ଯୁକ୍ତ ୩ ଦ୍ବିତୀୟ ବର୍ଷର ଜଣେ ମେଧାବୀ ଛାତ୍ରୀ ଥିବା ଝରାଫୁଲଙ୍କ ଲକ୍ଷ୍ୟ ଥିଲା ଓଏଏସ୍ ଅଫିସର ହେବା। ଲକ୍ଡାଉନ୍ରେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବା ପରେ ଗାଁକୁ ଚାଲି ଯାଇଥିଲେ ଝରାଫୁଲ। ତେବେ ଝରାଫୁଲଙ୍କ ମା’ ଜଣେ ଅଙ୍ଗନବାଡ଼ି କର୍ମୀ ହୋଇଥିବାରୁ ସପରିବାର ଠାକୁରମୁଣ୍ଡା ମହୁଲଡିହା ଅଞ୍ଚଳରେ ରହୁଥିଲେ। ତେଣୁ ପ୍ରଥମେ ସେ ମହୁଲଡିହାରେ ପ୍ରାୟ ସପ୍ତାହେ କାଳ ରହିବା ପରେ ନିଜ ଗାଁ ଘର ଯଶିପୁରକୁ ଚାଲି ଆସିଥିଲେ। ସେତେବେଳେ ସେଠାରେ ପାଇପ୍ ବିଛା କାମ ଚାଲିଥିଲା। ଘରଠାରୁ ଅଳ୍ପ ଦୂରରେ ଥିବା ଦୋକାନ ନିକଟରେ ପାଇପ୍ ଠିକା ସଂସ୍ଥାର କ୍ୟାମ୍ପ ପଡ଼ିଥିଲା। ସେହି ସଂସ୍ଥାର ସୁପରଭାଇଜର କାମ କରୁଥିବା ରାକେଶ ସ୍ବାଇଁ ସେତେବେଳେ ସେଠାରେ ରହୁଥିଲା। ଝରାଫୁଲ ସେହି ଦୋକାନକୁ ଯାଇଥିବାବେଳେ ସେଠାରେ ରଙ୍ଗିନ ମିଜାଜର ରାକେଶ ମଧ୍ୟ ଉପସ୍ଥିତ ଥିଲା। ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହେବା ପରେ ଆଖିରେ ଆଖିରେ ଇସାରା ହୋଇଥିଲା। ଉଭୟ ଉଭୟଙ୍କ ଫୋନ୍ ନମ୍ବର ଦିଆନିଆ ହୋଇଥିଲେ। ଏହା ପରେ ଝରାଫୁଲ ଠାକୁରମୁଣ୍ଡା ଫେରି ଆସିଥିଲେ। ଏହା ପରଠାରୁ ସେମାନଙ୍କ ଭିତରେ ଫୋନରେ କଥାବାର୍ତ୍ତା, ହ୍ବାଟ୍ସଆପ୍ ଚାଟିଂ, ଭିଡିଓ କଲିଂ ଚାଲିଥିଲା। ଏପରିକି ମଝିରେ ମଝିରେ ଝରାଫୁଲ ଯଶିପୁର ଆସି ରାକେଶ ସହ ଦେଖା ସାକ୍ଷାତ ମଧ୍ୟ କରୁଥିଲେ। ଧୀରେ ଧୀରେ ଖବର ଗାଁରେ ପ୍ରଚାରିତ ହେବାକୁ ଲାଗିଲା। ଝରାଫୁଲଙ୍କ ଭାଇଙ୍କ କାନରେ ଏ କଥା ପଡ଼ିବା ପରେ ସେ ତାଙ୍କ ବାପାଙ୍କୁ ସବୁ କଥା ଜଣାଇଥିଲେ। ଏହା ଶୁଣି ବାପା ରାଗିବା ସହ ଝରାଫୁଲ ବ୍ୟବହାର କରୁଥିବା ସିମକାର୍ଡକୁ ଭାଙ୍ଗି ଦେଇଥିଲେ। ନିଜର ଆଉ ଏକ ସିମକାର୍ଡ ବ୍ୟବହାର କରିବାକୁ ଦେଇଥିଲେ। ଏପରିକି ଘରୁ କୁଆଡ଼େ ନ ଯିବା ଲାଗି ମଧ୍ୟ ତାଗିଦ୍ କରିଥିଲେ। ମାତ୍ର ଦୁହିଁଙ୍କ ପ୍ରେମ ଏତେ ଆଗକୁ ବଢ଼ି ଯାଇଥିଲା ଯେ ଝରାଫୁଲ ଆଉ ଅଟକିବା ସ୍ଥିତିରେ ନ ଥିଲେ। ସେ ନିଜ ମୋବାଇଲରେ ବାପାଙ୍କ ସିମକାର୍ଡ ବ୍ୟବହାର କରି ଅନଲାଇନ୍ କ୍ଲାସ୍ କରୁଥିଲେ। ଏହା ସହ ରାକେଶ ସହ ହ୍ବାଟସଆପ୍ ଅଡିଓ କଲ୍, ମେସେଜ୍ ଚାଟିଂ ଓ ଭିଡିଓ ଚାଟିଂ ମଧ୍ୟ ଜାରି ରଖିଥିଲେ।
ନଭେମ୍ବରରେ ପୁଣି ତାଗିଦ୍ କରିଥିଲେ ବାପା
ଏମିତି କିଛିଦିନ ଚାଲିବା ପରେ ଗତ ନଭେମ୍ବର ମାସରେ ଯେତେବେଳେ ବସ୍ ସେବା ସ୍ବାଭାବିକ ହୋଇଥିଲା, ସେତେବେଳେ ଝରାଫୁଲ ବହି କିଣିବେ କହି ଭୁବନେଶ୍ବର ଆସିଥିଲେ। ଠାକୁରମୁଣ୍ଡା ମହୁଲଡିହା ଥାନାଠାରୁ ଛାଡୁଥିବା ବସ୍ରେ ଭୁବନେଶ୍ବର ଆସି ପୁଣି ରାତିରେ ସେହି ବସ୍ରେ ଫେରିଥିଲେ। ତେବେ ରାତିରେ ଝରାଫୁଲ ଘରକୁ ଫେରି ଶୋଇ ପଡ଼ିବା ପରେ ତାଙ୍କ ବାପା ଯେତେବେଳେ ମୋବାଇଲ ଫୋନ୍ ଯାଞ୍ଚ କରିଥିଲେ; ସେତେବେଳେ ରାକେଶ ଓ ଝରାଫୁଲ ମଧ୍ୟରେ ହୋଇଥିବା କିଛି ହ୍ବାଟସଆପ୍ ଚାଟିଂ ଦେଖିବାକୁ ପାଇଥିଲେ। ଝରାଫୁଲ ନିର୍ଦ୍ଦିଷ୍ଟ ବସ୍ରେ ଭୁବନେଶ୍ବର ଯାଉଥିବା ଓ ବାଣୀବିହାର ଛକରେ ଓହ୍ଲାଇବା ନେଇ ସମସ୍ତ ବିବରଣୀ ରାକେଶ ପାଖକୁ ହ୍ବାଟ୍ସଆପରେ ମେସେଜ୍ କରିଥିଲେ ଝରାଫୁଲ। ଏହା ଜାଣିବା ପରେ ବାପା ପୁଣି ତାଗିଦ୍ କରିବା ସହ ଓଏଏସ୍ ହେବା ନେଇ ଯେଉଁ ଲକ୍ଷ୍ୟ ରହିଛି ସେ ସମ୍ପର୍କରେ ଚେତାଇ ଦେଇଥିଲେ। କିନ୍ତୁ ଝରାଫୁଲଙ୍କୁ କିଛି ଫରକ୍ ପଡ଼ି ନ ଥିଲା।
୨୪ରେ ବି ରାକେଶ ସହ ବୁଲିଥିଲେ ଝରାଫୁଲ
ଜାନୁଆରି ୨୪ରେ ବିଶ୍ବବିଦ୍ୟାଳୟରେ କାମ ଥିବା କହି ଭୁବନେଶ୍ବର ଆସିବା ପାଇଁ ସକାଳୁ ଘରୁ ବାହାରିଥିଲେ ଝରାଫୁଲ। ସେହି ନିର୍ଦ୍ଦିଷ୍ଟ ବସ୍ରେ ସକାଳ ପ୍ରାୟ ୫ଟା ୨୦ରେ ବାହାରି ପୂର୍ବାହ୍ନ ସାଢେ ୯ଟାରେ ବାଣୀବିହାରରେ ଓହ୍ଲାଇଥିଲେ। ବିଶ୍ବବିଦ୍ୟାଳୟରେ ଜଣେ ମାଡାମଙ୍କୁ ଦେଖା କରିବା ସହ କିଛି ସିନିୟରଙ୍କ ସହ କଥା ହେବେ ବୋଲି ବାପାଙ୍କୁ ଜଣାଇଥିଲେ। ଅପରାହ୍ନରେ ପଟିଆ ନିକଟରେ ରହୁଥିବା ସ୍ଥାନୀୟ ଅଭିଭାବକ ଚନ୍ଦ୍ରକାନ୍ତ ବେହେରାଙ୍କ ଘରକୁ ଯିବେ ବୋଲି ଜଣାଇଥିଲେ। ୨୭ ତାରିଖରେ ଝରାଫୁଲଙ୍କ ମୃତଦେହ ମିଳିବା ପରେ ଯେଉଁ ଖୋଳତାଡ଼ ଆରମ୍ଭ ହେଲା; ସେତେବେଳେ ପୁଲିସକୁ ମିଳିଥିଲା ସାଂଘାତିକ ତଥ୍ୟ।
୨୪ ତାରିଖରେ ଝରାଫୁଲ ଆଦୌ ବିଶ୍ବବିଦ୍ୟାଳୟକୁ ଆସି ନ ଥିବା ସ୍ପଷ୍ଟ ହୋଇଥିଲା। ସେହିଦିନ ପୂର୍ବାହ୍ନ ସାଢେ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସେ ରାକେଶ ସହ ବୁଲାବୁଲି କରିଥିଲେ। ପ୍ରାୟ ସାଢେ ୫ଟାରେ ସ୍ଥାନୀୟ ଅଭିଭାବକ ଚନ୍ଦ୍ରକାନ୍ତ ବେହେରା ବିଶ୍ବବିଦ୍ୟାଳୟ ସାମ୍ନାରୁ ଝରାଫୁଲଙ୍କୁ ନିଜ ଘରକୁ ନେଇଥିଲେ। ୨୬ ତାରିଖ ଦିନ ୧୧ଟାବେଳେ ଶ୍ରୀ ବେହେରା ଝରାଫୁଲଙ୍କୁ ଘରକୁ ଫେରିବା ପାଇଁ ଝାଡ଼େଶ୍ବର ବସ୍ରେ ବସାଇ ଦେଇଥିଲେ। ମାତ୍ର ସେ ବାଣୀବିହାର ନିକଟରେ ଓହ୍ଲାଇ ରୂପାଲି ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ରାକେଶ ତାଙ୍କୁ ସ୍କୁଟିରେ ବସାଇ ନେବା ପରେ ଳିଙ୍ଗରାଜ ଷ୍ଟେସନ ନିକଟରେ ବିରିୟାନି ଖାଇବାକୁ ଯାଇଥିଲେ। ଦୁହେଁ ବୁଲାବୁଲି କରି ସାରିବା ପରେ ଖଣ୍ଡଗିରି ଧର୍ମବିହାରସ୍ଥିତ ଶିବସାଇ ଓୟୋ ଗେଷ୍ଟହାଉସ୍ରେ ରାତି କଟାଇଥିଲେ। ତେବେ ବିଳମ୍ବିତ ରାତିରେ ଝରାଫୁଲଙ୍କର ରହସ୍ୟମୟ ଭାବେ ମୃତ୍ୟୁ ଘଟିଥିଲା ଏବଂ ସକାଳେ ରାକେଶ ସହଯୋଗୀ ଶେଖର ସହ ମିଶି ମୃତଦେହକୁ ସ୍କୁଟିରେ ଧରି ଦୁଇ ଜିଲ୍ଲା ଡେଇଁ କୁଆଖିଆ ନିକଟରେ ଫିଙ୍ଗି ଦେଇଥିଲେ। ଅର୍ଥାତ ୨୦୨୦ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀ ଜାନୁଆରି ୨୬ ତାରିଖରେ ଶେଷ ହୋଇ ଯାଇଥିଲା।