ଭୁବନେଶ୍ବର: ପାର୍ବଣ ପୂର୍ବରୁ ଭୁବନେଶ୍ବରରେ ଆଡ଼ା ଜମାଇଥିବା ଝାଡ଼ଖଣ୍ଡ ତିନିପାହାର ଅଞ୍ଚଳର ଏକ ଲୁଟେରା ଗ୍ୟାଙ୍ଗ୍କୁ ଗିରଫ କରିବାରେ ସଫଳ ହୋଇଛି କ୍ୟାପିଟାଲ୍ ଥାନା ପୁଲିସ। ସେମାନେ ହେଲେ ଗ୍ୟାଙ୍ଗ୍ର ସର୍ଦ୍ଦାର ଝାଡ଼ଖଣ୍ଡ ସାହେବଗଞ୍ଜ ଜିଲ୍ଲା ତିନିପାହାର ଅଞ୍ଚଳର ଅମରନାଥ ମାହାତୋ ଓରଫ ଗିଲ୍ଲା (୩୩), ମହମ୍ମଦ ଜାମଲ୍ ଶେଖ୍(୨୫), ଶିବ କୁମାର ମାହାତୋ(୩୨) ଓ ଦୁଇ ନାବାଳକ। ନାବାଳକଦ୍ବୟଙ୍କୁ ଖୋର୍ଦ୍ଧା ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି ଏବଂ ସେମାନଙ୍କୁ ବାଳ ସୁଧାରଗୃହକୁ ପଠାଇଦିଆଯାଇଛି। ଗିଲ୍ଲା ସହ ତା’ର ଦୁଇ ସହଯୋଗୀ ଶିବ ଓ ଜାମଲ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି। ସେମାନଙ୍କ ନିକଟରୁ ୬୦ଟି ମୋବାଇଲ, ଫ୍ଲାଇଟ୍ ଟିକେଟ୍, ହୋଟେଲ୍ ବିଲ୍ ଜବତ କରାଯାଇଛି।
କେମିତି ଧରାପଡ଼ିଲେ
କିଛି ଦିନ ହେଲା ଅର୍ଥାତ ଗଣେଶ ପୂଜା ସମୟରୁ ଏହି ଗ୍ୟାଙ୍ଗ୍ ରାଜଧାନୀରେ ସକ୍ରିୟ ହୋଇଉଠିଥିଲା। ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ମୋବାଇଲ୍ ଲୁଟ୍ ନେଇ ଅଭିଯୋଗ ହୋଇଆସୁଥିଲା। ଆମ ବସ୍ଷ୍ଟାଣ୍ଡ, ହାଟ, ରେଳଷ୍ଟେସନ, ମାର୍କେଟ ବିଲ୍ଡିଂ, କଳିଙ୍ଗନଗର, ରସୁଲଗଡ଼, ସୁନ୍ଦରପଦା, କଳ୍ପନା ସ୍କୋୟାର, ଲିଙ୍ଗରାଜ ମନ୍ଦିର ଭଳି ଗହଳି ଅଞ୍ଚଳକୁ ଟାର୍ଗେଟ୍ କରି ଏହି ଗ୍ୟାଙ୍ଗ୍ ମୋବାଇଲ ଲୁଟୁଥିଲା। ସେହିଭଳି ପୁରୀ, କଟକ, ଖୋର୍ଦ୍ଧା ଆଦି ସହରରୁ ବି ମୋବାଇଲ୍ ଲୁଟ୍ ମାମଲା ବଢ଼ିଯାଇଥିଲା। ମାଳମାଳ ଅଭିଯୋଗ ହେବା ପରେ ପୁଲିସର ମୁଣ୍ଡବିନ୍ଧା ବଢ଼ିଯାଇଥିଲା। ଏହା କୌଣସି ବାହାର ଗ୍ୟାଙ୍ଗ୍ର କାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେଣୁ ପୁଲିସ ଏହି ଗ୍ୟାଙ୍ଗ୍କୁ ଧରିବା ଲାଗି ଜାଲ ବିଛାଇଥିଲା। ୧୧ ତାରିଖ ଦିନ ସନ୍ଧ୍ୟାରେ ୧ନମ୍ବର ହାଟ ମୁଖ୍ୟ ଫାଟକ ନିକଟରୁ ଜଣେ ବ୍ୟକ୍ତିଙ୍କ ପକେଟ୍ରୁ ଏକ ନାବାଳକ ମୋବାଇଲ୍ ଲୁଟି ଦୌଡ଼ିଥିଲା। ବ୍ୟକ୍ତିଜଣକ ପାଟି କରି ପିଛା କରିଥିଲେ ମଧ୍ୟ ନାବାଳକ ଲୁଟେରାଟି ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇଯାଇଥିଲା। କ୍ୟାପିଟାଲ ଥାନା ପୁଲିସ କାଳ ବିଳମ୍ବ ନ କରି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହିତ ମୋବାଇଲ୍କୁ ଟ୍ରାକ୍ କଲା ଏବଂ ମୋବାଇଲ୍ଟି ମାଷ୍ଟରକ୍ୟାଣ୍ଟିନ ରେଳଷ୍ଟେସନ ନିକଟରେ ସ୍ବିଚ୍ ଅଫ୍ ହୋଇଥିବା ଜଣାପଡ଼ିଥିଲା। ତେଣୁ ଏକ ପୁଲିସ ଟିମ୍ ରେଳଷ୍ଟେସନ ନିକଟରେ ସାଦାପୋଷାକରେ ପଇଁତରା ମାରି ସନ୍ଦିଗ୍ଧ ନାବାଳକକୁ ଖୋଜିବାରେ ଲାଗିପଡ଼ିଥିଲା। ଶେଷରେ ଦୁଇ ନାବାଳକଙ୍କୁ ଠାବ କରାଯାଇଥିଲା ଏବଂ ସେମାନଙ୍କୁ ନେଇ ଗିଲ୍ଲା ନିକଟରେ ପୁଲିସ ପହଞ୍ଚି ଯାଇଥିଲା।
କେମିତି ଅପରେଟ୍ ହେଉଥିଲା ଗ୍ୟାଙ୍ଗ୍
ଏହି ଗ୍ୟାଙ୍ଗ୍ର ସର୍ଦ୍ଦାର୍ ଗିଲ୍ଲା ଲୁଟ୍ପାଟ ପାଇଁ ନାବାଳକଙ୍କୁ ନିଯୁକ୍ତି ଦେଉଥିଲା। ପ୍ରତିଦିନ ୧୦ଟି ମୋବାଇଲ୍ ଝାମ୍ପିବାକୁ ଟାର୍ଗେଟ୍ ଦେଉଥିଲା। ପିଲାଙ୍କୁ ମାସକୁ ୫୦ହଜାର ଦରମା ଦେବାକୁ କହି ଗ୍ୟାଙ୍ଗ୍ରେ ମିଶାଉଥିଲା ଏବଂ ଲୁଟ୍ପାଟ୍ର ତରିକା ଶିଖାଉଥିଲା। ଫ୍ଲାଇଟ୍ରେ ଆସି ଗିଲ୍ଲା ଭୁବନେଶ୍ବରରେ ହୋଟେଲରେ ରହୁଥିଲା ଏବଂ ନାବାଳକଙ୍କ ସହ ଶିବ ଓ ଜାମଲ୍ ବୁଲିବୁଲି ଲୁଟ୍ କରୁଥିଲେ। ନାବାଳକମାନେ ମୋବାଇଲ୍ ଲୁଟିବା ପରେପରେ ଶିବ ଓ ଜାମଲ୍ଙ୍କ ହାତକୁ ବଢ଼ାଇ ଦେଉଥିଲେ। ପାଖାପାଖି ୫୦ ମୋବାଇଲ୍ ଲୁଟିବା ପରେ ଗିଲ୍ଲା ସେସବୁକୁ କୋଲକାତା ଚୋର ବଜାରକୁ ପଠାଇ ଦେଉଥିଲା। କିଛି ଦାମୀ ମୋବାଇଲ୍କୁ ଗିଲ୍ଲା ସାଇବର ଠକ ରୢାକେଟ୍କୁ ଯୋଗାଉଥିଲା। ସାଇବର ଠକ ଗ୍ୟାଙ୍ଗ୍ ସହ ଗିଲ୍ଲାର ସମ୍ପର୍କ ଥିବା ଜଣାପଡ଼ିଥିବାରୁ ତାକୁ ରିମାଣ୍ଡରେ ଆଣି ଅଧିକ ଛାନ୍ଭିନ୍ କରାଯିବ ବୋଲି ପୁଲିସ ସୂଚନା ଦେଇଛି।