ଭୁବନେଶ୍ବର: ଚଳିତ ବର୍ଷ ଝାରପଡ଼ା ଦୁର୍ଗାପୂଜାରେ ହେବାକୁ ଥିବା ତୋରଣ ବଖାଣିବ ଐତିହାସିକ ବୌଦ୍ଧଗଡ଼ ଦୁର୍ଗର  ଗୌରବ ଓ ବୀରତ୍ବର ଗାଥା। ଆଜି ଝାରପଡ଼ା ମେଳଣ ପଡ଼ିଆରେ ଦୁର୍ଗାପୂଜା ସମିତି ସଭାପତି ପ୍ରଭାତ କୁମାର ମାର୍ଥାଙ୍କ ପୌରୋହିତ୍ୟରେ ଅନୁ‌ଷ୍ଠିତ ଏକ ବୈଠକରେ ସମିତିର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ପ୍ରଧାନ ଏହି ତୋରଣର ଡିଜାଇନ୍‌କୁ ଲୋକାର୍ପଣ କରିଥିଲେ। ସେ କହିଲେ ଯେ ସ୍ଥାନୀୟ କୀର୍ତ୍ତିକୁ ପ୍ରସାର କରିବାରେ ବୌଦ୍ଧଗଡ଼ ଦୁର୍ଗ ତୋରଣ ହେବ ଏକ ଅଭିନବ ପ୍ରୟାସ। କଟକର ଚଗଲା ସାହୁ ଓ ୪୦ ଜଣ ସହଯୋଗୀ ଏହି ୧୨୦ ଫୁଟ୍ ଲମ୍ବା ଓ ୯୦ ଫୁଟ୍ ଉଚ୍ଚତାର ‌ତୋରଣ ନିର୍ମାଣ କରିବେ। 

Advertisment

ଏହା ସହିତ  ଚଳିତ ବର୍ଷ ମା’ଙ୍କର ମୂର୍ତ୍ତି ନିର୍ମାଣ ଓ ଆଲୋକ ସଜ୍ଜାକୁ ଅଧିକ ଆକର୍ଷଣୀୟ କରାଯିବ। ଆଲୋକ ସଜ୍ଜା ପାଇଁ ୭ଟି ବଡ ଏଲ୍‌ଇଡି ଗେଟ୍ ଓ ୨୦ଟି ମଧ୍ୟମ ଧରଣର ଗେଟ୍ ନିର୍ମାଣ କରାଯିବ। ବଡ଼ ଏଲ୍‌ଇଡି ମାଧ୍ୟମରେ ବିଭିନ୍ନ ଛକରେ ମାଙ୍କ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସିଧାପ୍ରସାରଣ  ହେବ। ସ୍ବନାମଧନ୍ୟ ମୂର୍ତ୍ତି କାରିଗର ମନୋରଞ୍ଜନ ବେହେରା ଓ ତାଙ୍କର ୧୨ ଜଣ ସହଯୋଗୀ ଆକର୍ଷଣୀୟ ରୂପେଲି ମେଢ଼ରେ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି।  ସମ୍ପୂର୍ଣ୍ଣ ଓଡ଼ିଆ ରୀତିନୀତି ଓ ବିଧି ମୁତାବକ ଷଷ୍ଠୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା କରାଯିବ। ଷଷ୍ଠୀରୁ ବିଜୟା ଦଶମୀ ପର୍ଯ୍ୟନ୍ତ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ମଣ୍ଡପ ନିକଟରେ ୭ଟି ପ୍ରବେଶ ଦ୍ବାର ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ  ୫ ଶହରୁ ଅଧିକ ସେବା ସହଯୋଗୀ ଓ ୫୦ ସୁରକ୍ଷା କର୍ମୀ ନିୟୋଜିତ ହେବେ। ମା’ଙ୍କ ମେଲାଣି ଓ ଭସାଣି ଉତ୍ସବ କିପରି ଶାନ୍ତିଶୃଙ୍ଖଳା ସହିତ ସମାପନ ହେବ ସେ ନେଇ ସମିତି ସ୍ବତନ୍ତ୍ର ଦୃଷ୍ଟି ଦେଇ ପାରମ୍ପରିକ ବାଦ୍ୟ ନୃତ୍ୟ ଓ ବାଣ ରୋଶଣୀ ସହିତ ମା’ଙ୍କୁ ମେଲାଣି ଦେବ।

ଆଜିର ବୈଠକରେ ଝାରପଡ଼ା ଦୁର୍ଗାପୂଜା ସମିତି ସମ୍ପାଦକ ପ୍ରକାଶ କୁମାର ସାମନ୍ତରାୟ, ସାଧାରଣ ସମ୍ପାଦକ (ସଂଗଠନ) ସୁରେଶ ଚନ୍ଦ୍ର ଜେନା, ଉପସଭାପତି ସୁନିଲ କୁମାର ଜେନା, ଝାରପଡ଼ା ୱେଲ୍‌ଫେୟାର ଆସୋସିଏସନ ସଭାପତି ଗୋରାଚାନ୍ଦ ମଙ୍ଗରାଜ, ସମିତିର ସମ୍ପାଦକ ଉମାକାନ୍ତ ଜେନା,  ଉପସଭାପତି ନିବାସ କୁମାାର ଜେନା, କୋଷାଧ୍ୟକ୍ଷ କଲୀମ୍‌ଉଦିନ ଖାନ, ଉପଦେଷ୍ଟା ରବୀନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।