ଝାରପଡ଼ା ଦୁର୍ଗାପୂଜା ସମିତି: କରୋନାମୁକ୍ତ ବିଶ୍ବ ପାଇଁ ପ୍ରାର୍ଥନା

ଭୁବନେଶ୍ବର: ଚଳିତ ବର୍ଷ ରାଜଧାନୀର ପୂଜା ମଣ୍ଡପଗୁଡ଼ିକରେ ଦେଖିବାକୁ ମିଳିବନି ସୁଉଚ୍ଚ ତୋରଣ ସାଙ୍ଗକୁ ରାବଣପୋଡ଼ି ଦୃଶ୍ୟ। କରୋନା କଟକଣା ପାଇଁ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ନେଇ ପୂଜା ମଣ୍ଡପଗୁଡ଼ିକ ଏଥର ନିରାଡ଼ମ୍ବର ପୂଜା ଆୟୋଜନ କରୁଛନ୍ତି। ୧୦ ବର୍ଷରେ ପଦାର୍ପଣ କରିଥିବା ଝାରପଡ଼ା ଦୁର୍ଗାପୂଜା ସମିତି ମଧ୍ୟ ଚଳିତଥର ସମାଜରୁ କରୋନା ମୁକ୍ତ କରିବା ପାଇଁ ମା’ଙ୍କ ନିକଟରେ ପୂଜା କରୁଛି। ସମିତି ପକ୍ଷରୁ ଗଲାଥର ଆୟୋଜିତ ହେଉଥିବା ୪୦ ଫୁଟିଆ ରାବଣ ପୋଡ଼ିକୁ ନେଇ ରାଜଧାନୀ ପୂଜା ବଜାରରେ ଚର୍ଚ୍ଚିତ ହୋଇଥିବା ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ଏଥର କମିସନରେଟ୍ ପୁଲିସର ମାର୍ଗଦର୍ଶିକା ଅନୁଯାୟୀ ପୂଜା ଆୟୋଜନ କରିବ। ବିନା ରାବଣପୋଡ଼ି ସାଙ୍ଗକୁ ଦେବୀଙ୍କ ମୂର୍ତ୍ତିକୁ ୪ ଫୁଟ୍ ସୀମିତ ରଖାଯିବା ସହ କୌଣସି ପ୍ରକାର ଭଜନ ସମାରୋହ କିମ୍ବା ମେଲୋଡି କାର୍ଯ୍ୟକ୍ରମ କରାଯିବ ନାହିଁ। ଏପରିକି ଲୋକେ ଯେପରି ଦେବୀଙ୍କ ଦର୍ଶନ ପାଇଁ ନଆସିବେ ସେଥିପାଇଁ ପୂଜାମଣ୍ଡପ ମୁଖ୍ୟ ଦ୍ବାରକୁ ଛାଡ଼ି ଚାରିପଟୁ ବାଟ ବନ୍ଦ କରାଯାଇଛି। ମହାଷ୍ଟମୀ ଦିନ ମହିଳାଙ୍କ ଆସିବାକୁ ବାରଣ କରାଯିବ ସହିତ ଦଶମୀ ଦିନ ଯେପରି ମଣ୍ଡପରେ ଗାଡ଼ି ପୂଜା ନ ହେବ ସେଥିପାଇଁ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ସେହିଭଳି ବିଧି ରକ୍ଷା ପାଇଁ ଆୟୋଜନ ହେଉଥିବା ପୂଜାର ଅଟକଳ ମୂଲ୍ୟ ମାତ୍ର ୩ ଲକ୍ଷ ଟଙ୍କାରେ ରଖାଯାଇଥିବା ସମିତି ସୂଚନା ଦେଇଛି।

ପ୍ରଶାସନର ମାର୍ଗଦର୍ଶିକା ଅନୁଯାୟୀ ପୂଜା ହେବ
ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ପାଳନ କରାଯାଇ ଏଥର ଦୁର୍ଗାପୂଜା ଆୟୋଜନ କରାଯାଉଛି। ଜନସାଧାରଣ ମଣ୍ଡପକୁ ନଆସିବା ପାଇଁ ଏକ ବଡ଼ ପୋଷ୍ଟରରେ ମରାଯିବ। ଯାହା ଦ୍ବାରା ଲୋକେ ସଚେତନ ହୋଇ ଘରେ ଦେବୀଙ୍କ ପୂଜା କରିବେ। ୭ଜଣଙ୍କ ମଧ୍ୟରେ ପୂଜାକୁ ସୀମିତ ରଖାଯିବା ସହିତ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତ ଧୋଇବା ଆଦି ସଚେତନତା ବାର୍ତ୍ତା ଦିଆଯିବ।
ଶିଖର ଚନ୍ଦ୍ର ଜେନା (ସଭାପତି, ଝାରପଡ଼ା ଦୁର୍ଗାପୂଜା ସମିତି)

ସମାଜରୁ କରୋନା ଦୂର କରିବାକୁ ମା’ଙ୍କୁ ପ୍ରାର୍ଥନା
​କରୋନାକୁ ପ୍ରତିହତ କରିବା ପାଇଁ ଚଳିତ ବର୍ଷ ଦୁର୍ଗାପୂଜାରେ ସମିତି ପକ୍ଷରୁ ମା’ଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ବିନା ସାଜ୍ଜସଜାରେ ଦୁର୍ଗାପୂଜା କରାଯିବ। କରୋନା ମହାମାରୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ଘରେ ରହି ଦେବୀଙ୍କୁ ପୂଜାର୍ଚ୍ଚନା ସ୍ଥାନୀୟ ବାସିନ୍ଦାଙ୍କୁ ନିବେଦନ କରାଯାଇଛି। ଏପରିକି ମା’ଙ୍କୁ ଦୀପଟିଏ ଦେବା ପାଇଁ ମଧ୍ୟ ଜନସାଧାରଣଙ୍କ ପାଇଁ ଷ୍ଟାଣ୍ଡ୍‌ଟିଏ ରଖାଯାଉନି। ପୂଜାରେ ଯେପରି ଜନସାଧାରଣ ଏକତ୍ରିତ ନ ହେବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି।
ଧରଣୀଧର ଜେନା(ବୁଢ଼ା)
(ସମ୍ପାଦକ, ଝାରପଡ଼ା ଦୁର୍ଗାପୂଜା ସମିତି)

ସମ୍ବନ୍ଧିତ ଖବର