ଭୁବନେଶ୍ୱର: ରୁଷ୍‌ର ସେଣ୍ଟ ପିଟର୍ସବଗ୍ ସହରର ଷ୍ଟେଟ୍ ହରମିଟେଜ୍ ସଂଗ୍ରହାଳୟରେ ଆବିର୍ଭାବ ହେବେ ମା’ ଜଗତ୍‌ଜନନୀ। ୮୫ ଫୁଟ୍ ଉଚ୍ଚ ଓ ୧୫୦ ଫୁଟ୍‌ ଚଉଡ଼ାରେ ନିର୍ମିତ ହେବ ଏହି ଆଖିଝଲସା ତୋରଣ। ହାତରେ ଆଉ ମାତ୍ର କେଇଟା ଦିନ ବାକି ଥିବାରୁ କାରିଗରମାନେ ପୂରା ଜୋରସୋର୍‌ରେ ତୋରଣ ସଜାଇବାରେ ଲାଗି ପଡ଼ିଛନ୍ତି। ସନପ୍ୟାକ୍‌, ୟୁନିଫୋମ୍‌, ରଙ୍ଗିନ କାଚ ଆଦି ବ୍ୟବହାର କରି ପାଖାପାଖି ୫୦ରୁ ଊର୍ଧ୍ବ କାରିଗର ଏହି ତୋରଣ ନିର୍ମାଣ କରୁଛନ୍ତି। କରୋନା ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ମା’ ଦୁର୍ଗାଙ୍କ ପୂଜାକୁ ଏଥର ଏମିତି ଜାକଜମକରେ କରିବା ପାଇଁ ଅଣ୍ଟା ଭିଡ଼ିଛି ଝାରପଡ଼ା ଦୁର୍ଗାପୂଜା ସମିତି। ଆଜି ସମିତି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦିଆଯାଇଛି।

Advertisment

ଚଳିତବର୍ଷ ସମିତି ପକ୍ଷରୁ ଦୁର୍ଗାପୂଜା ଦ୍ୱାଦଶ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥର ପୂଜା ପାଇଁ ପ୍ରାୟ ୪୦ଲକ୍ଷ ଟଙ୍କାର ବଜେଟ୍‌ ରହିଥିବା ସମିତି ପକ୍ଷରୁ କୁହାଯାଇଛି। ଏଥର ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୨ ଫୁଟ୍‌ ରହିବ। କଟକ ଗୋଡ଼ିସାହିର ମାନସ ବେହେରା ମୂର୍ତ୍ତି ନିର୍ମାଣ କରିବାକୁ ଥିବା ବେଳେ କଟକ କାରିଗର ବିଶ୍ୱଜିତ୍ ଦାସଙ୍କ ଦ୍ୱାରା ୨୦ ଫୁଟ ଉଚ୍ଚତାର ବୁଲେନ୍ ଓ ସୁନେଲି ମେଢ଼ ତିଆରି କରାଯାଉଛି। ଦଶମୀ ସନ୍ଧ୍ୟାରେ ୪୦ ଫୁଟ ଉଚ୍ଚର ରାବଣ ପୋଡ଼ି ସାଙ୍ଗକୁ ଆତସବାଜୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏହାବ୍ୟତୀତ ମୀନା ବଜାର ଓ ବିଭିନ୍ନ ଦୋଳିର ବ୍ୟବସ୍ଥା କରାଯିବ। ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ କମିସନରେଟ୍ ପୁଲିସ ସହାୟତାରେ ପୂଜା କମିଟିର ୩ଶହ ସ୍ୱେଚ୍ଛାସେବୀ ଶାନ୍ତିଶୃଙ୍ଖଳା ପାଇଁ ନିୟୋଜିତ ରହିବେ। ବିଭିନ୍ନ ସ୍ଥାନରେ ୪ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି।