ଭୁବନେଶ୍ବର : ତିନି ଦିନର ଲୁଚକାଳି ଖେଳ ପରେ ଝାରପଡ଼ା ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଓରଫ୍ ଗୁଲ(୪୫) ଧରାପଡ଼ିଛି। ଆଜି କଟକରୋଡ୍ ସାଇ ମନ୍ଦିର ନିକଟରେ ଚଢ଼ଉ କରି ପୁଲିସ ପ୍ରଭାତ ଓ ତା’ ଦାଦାପୁଅ ଭାଇ ଅମିତ୍ ମାର୍ଥା ଓରଫ୍ ଚିଣ୍ଟୁ(୨୬)କୁ ଗିରଫ କରିଛି। ଏକ ଅଡି କାର୍ (ଓଡି-୦୨-ସିଏଚ୍-୩୧୩୧)ରେ ଅଭିଯୁକ୍ତଦ୍ବୟ ପୁରୀରୁ କଟକ ଯାଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ଆଜି ସେମାନଙ୍କୁ ହତ୍ୟା ଉଦ୍ୟମ ଓ ଆର୍ମସ୍ ଆକ୍ଟ ଆଦି ସଂଗିନ୍ ଦଫାରେ କୋର୍ଟ ଚାଲାଣ କରାଯାଇଛି ବୋଲି ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି। ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ପ୍ରଭାତଙ୍କ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଗଲାଣି। ଏହି ମାମଲାକୁ ନେଇ ଏବେ ବି ତଦନ୍ତ ଜାରି ରହିଛି ଏବଂ ଆଗକୁ ଆହୁରି କିଛି ଅଭିଯୁକ୍ତ ଗିରଫ ହେବେ ବୋଲି ଡିସିପି କହିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ପ୍ରଭାତ ଓ ଚିଣ୍ଟୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ଏବଂ ପ୍ରଭାତ ନାଁରେ ପୂର୍ବରୁ ୩ଟି ମାମଲା ଥିବା ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଭାତ ଓ କର୍ପୋରେଟର୍ ଶ୍ରୀଧର ଜେନାଙ୍କ ପରିବାର ମଧ୍ୟରେ ଶତ୍ରୁତା ଲାଗିରହିଥିଲା। ବ୍ୟବସାୟିକ ପ୍ରତିଦ୍ବନ୍ଦ୍ବିତା କାଳକ୍ରମେ ରାଜନୈତିକ ଶତ୍ରୁତାରେ ପରିଣତ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ପରଠୁ ୨୦୨୨ ପୌର ନିର୍ବାଚନ ପର୍ଯ୍ୟନ୍ତ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା। ୨୦୨୨ ପୌର ନିର୍ବାଚନରେ ପ୍ରଭାତ କର୍ପୋରେଟର୍ ପ୍ରାର୍ଥୀ ହୋଇଥିଲେ ଏବଂ ଶ୍ରୀଧରଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଯାଇଥିଲେ। ସେବେଠୁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆହୁରି ତୀବ୍ର ହୋଇଥିଲା। ଘଟଣା ଦିନ( ୨୮ ତାରିଖ) ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶ୍ରୀଧରଙ୍କ ବଡ଼ଭାଇ ଶିଖରଙ୍କ ପୁଅ ଦୀପକ କାର୍ ଯୋଗେ ଯାଉଥିଲେ। ମହାଦେବନଗର ପ୍ରଜାପତି ମଣ୍ଡପ ନିକଟରେ ଦୀପକଙ୍କ କାର୍ ଓ ବିପରୀତ ଦିଗରୁ ଆସୁଥିବା ପ୍ରଭାତଙ୍କ କାର୍ ମୁହାଁମୁହିଁ ହୋଇ ଅଟକିଥିଲା। କେହି କାହାକୁ ସାଇଡ୍ ଦେବାକୁ ପ୍ରସ୍ତୁତ ନଥିଲେ। ଫଳରେ ଦୁଇଜଣଙ୍କ ମଧ୍ୟରେ କଥା କଟାକଟି ଓ ଗାଳିଗୁଲଜ ଆରମ୍ଭ ହୋଇଯାଇଥିଲା। ଦୁଇ ପକ୍ଷ ଫୋନ୍ କରି ନିଜ ନିଜ ସମର୍ଥକମାନଙ୍କୁ ସେଠାକୁ ଡକାଇଥିଲେ। ଦୀପକଙ୍କ ଫୋନ୍ ପାଇ ଶିଖର, ତାଙ୍କ ସାନ ପୁଅ ଆଲୋକ ଓରଫ୍ ରିଣ୍ଟୁ ଓ ସାନ ଭାଇ କର୍ପୋରେଟର୍ ଶ୍ରୀଧର ସେଠାରେ ପହଞ୍ଚିଥିଲେ।
ସେହିଭଳି ପ୍ରଭାତଙ୍କ କିଛି ସମର୍ଥକ ଓ ଦାଦାପୁଅ ଚିଣ୍ଟୁ ସେଠାରେ ପହଞ୍ଚିଥିଲେ। ଦୁଇ ପକ୍ଷ ମୁହାଁମୁହିଁ ଅବସ୍ଥାକୁ ଆସିବା ଭିତରେ ହଠାତ୍ ପ୍ରଭାତଙ୍କ ଗୋଷ୍ଠୀ ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଯାଇଥିଲା। ପ୍ରାୟ ୧୨ ରାଉଣ୍ଡ ଗୁଳି ଫୁଟିଥିଲା। ଶିଖର ଓ ତାଙ୍କ ପୁଅ ରିଣ୍ଟୁଙ୍କ ଗୋଡ଼ରେ ଗୋଟିଏ ଲେଖାଏ ଗୁଳି ବାଜିଥିଲା। ସେହିଭଳି ଆଉ ଦୁଇଟି ଗୁଳି ଦୁଇ ଜଣଙ୍କ ଗୋଡ଼ରେ ଘଷି ହୋଇ ଚାଲିଯାଇଥିଲା। ଗୁଳିକାଣ୍ଡ ଘଟାଇ ପ୍ରଭାତ ଓ ଚିଣ୍ଟୁ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। କିନ୍ତୁ ତାଙ୍କର ଦୁଇ ବଡିଗାର୍ଡ ଧରାପଡ଼ିଯାଇଥିଲେ। ଏହାପରେ ଦୁଇ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଦୁଇଟି ଅଭିଯୋଗ କରାଯାଇଥିଲା। ଘଟଣା ପରଠୁ ପ୍ରଭାତ ଫେରାର୍ ହୋଇଯାଇଥିଲା।