ଭୁବନେଶ୍ବର: ରାଜଧାନୀର ବିକାଶ ହେଉ, ସୁନ୍ଦର ଦେଖାଯାଉ। ଏହା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ହେଲେ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ନାଁରେ ଲୋକଙ୍କୁ ବାସହରା କି ତାଙ୍କ ଜୀବିକାକୁ କ୍ଷତି ପହଞ୍ଚାନଯାଉ। ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉ। ମାର୍କେଟ୍ ବିଲ୍ଡିଂ ନାଁରେ ଝାରପଡ଼ା ହାଟକୁ ମାଟିରେ ମିଶାଯିବା ଘଟଣାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଏପରି ପ୍ରତିକ୍ରିୟା ରଖିଛନ୍ତି। ଏହାସହ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ ଭେଟି ଆଲୋଚନା କରିବା ସହ ବିଏମ୍ସି ଉପରେ ବର୍ଷିଛନ୍ତି।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ହାଟ ଉଚ୍ଛେଦ ଫଳରେ ସେଠାରେ ଥିବା ୪୩୦ ଉଠାଦୋକାନୀ ଜୀବିକା ହରାଇଛନ୍ତି। ସେମାନଙ୍କୁ କ୍ଷତିପୂରଣ ଦିଆଯିବା ସହ ୭ ଦିନ ମଧ୍ୟରେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ। ସେମାନଙ୍କୁ ବ୍ୟବସାୟ ପାଇଁ ଜାଗା ଦିଆଯାଉ। ଜାଗା ଦେବା ପରେ ମୁଁ ନିଜେ ଜାଗା ଦେଖିବି। ତାହା ବ୍ୟବସାୟ ଉପଯୋଗୀ କି ନୁହଁ, ତାର ଯାଞ୍ଚ ହେବ। ସେହିପରି ମାର୍କେଟ୍ ବିଲ୍ଡିଂ ହେଲେ, ସେମାନଙ୍କୁ ପ୍ରଥମେ ଥଇଥାନ କରାଯିବା ଆବଶ୍ୟକ ବୋଲି କହିଛନ୍ତି।
ଦିଲ୍ଲୀରେ ଥିବା ବେଳେ ଭାଙ୍ଗିଦେଲେ
୭ଦିନ ମଧ୍ୟରେ ଥଇଥାନ କର
ପଳାସୁଣିରେ ଫୁଟ୍ ଓଭରବ୍ରିଜ୍ ଶୀଘ୍ର
ଅସ୍ଥାୟୀ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଡିସିପିଙ୍କୁ ଗୁହାରି
ଏହି ହାଟ ନ ଭଙ୍ଗିବା ପାଇଁ ବର୍ଷେ ତଳେ କମିସନଙ୍କୁ ଚିଠିରେ ଅନୁରୋଧ କରିଥିଲି। ସଂସଦ ଅଧିବେଶନରେ ମୁଁ ଦିଲ୍ଲୀ ଯାଇଥିବା ବେଳେ ହାଟକୁ ମାଟିରେ ମିଶାଇ ଦିଆଗଲା। ମୁଁ ଏଠାକାର ସାଂସଦ, କିନ୍ତୁ ମୁଁ ଆସିବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରାଗଲାନି କିମ୍ବା ଏନେଇ କେହି ଆଲୋଚନା କଲେନି? ଏମିତିକି ଦୋକାନୀଙ୍କ ସହ ମଧ୍ୟ ଆଲୋଚନା ନକରି ରାତାରାତି ଭାଙ୍ଗିଦେଲେ। କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟାଇଲେ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ମୁଁ ସମସ୍ତଙ୍କ ଅଧିକାରକୁ ସମ୍ମାନ ଦେଉଛି। ନିର୍ବାଚିତ ସାଂସଦ ହିସାବରେ ମୋ ଅଧିକାରକୁ ମଧ୍ୟ ସମ୍ମାନ ଦିଆଯାଉ ବୋଲି ଅପରାଜିତା କହିଛନ୍ତି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସହ ବିଜେପି ନେତା ଜଗନ୍ନାଥ ପ୍ରଧାନ, ନେତ୍ରୀ ସୁନୀତି ମୁଣ୍ଡ, ସ୍ଥାନୀୟ କର୍ପୋରେଟର୍ ଧରିତ୍ରୀ ଜେନା ପ୍ରମୁଖ ଉପସ୍ଥିତ ରହି ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ।
ଅପରପକ୍ଷେ ପଳାସୁଣିରେ ବାରମ୍ବାର ଦୁର୍ଘଟଣା ଘଟି ଲୋକ ମୃତାହତ ହେବା ଘଟଣାକୁ ମଧ୍ୟ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗୁରୁତ୍ବର ସହ ନେଇଛନ୍ତି। ଆଜି ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ ଏକ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି ଫୁଟ୍ ଓଭରବ୍ରିଜ୍ ତିଆରି ହେବ। ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କ ପାଇଁ ଏହି ଫୁଟ୍ ଓଭରବ୍ରିଜ୍ରେ ଲିଫ୍ଟର ସୁବିଧା ରହିବ। ଲିଫ୍ଟ ପାଇଁ ଦୁଇଜଣ ଅପରେଟର୍ ମଧ୍ୟ ରହିବେ। ଏହାଛଡ଼ା ଫୁଟ୍ ଓଭରବ୍ରିଜ୍ ଯୋଗୁଁ ଯେଉଁ ବ୍ୟବସାୟୀମାନେ ପ୍ରଭାବିତ ହେବେ, ସେମାନଙ୍କୁ ମଧ୍ୟ ଥଇଥାନ କରାଯିବ ବୋଲି ସାଂସଦ କହିଛନ୍ତି। ଜୁଲାଇରୁ ଏହି ଫୁଟ୍ ଓଭରବ୍ରିଜ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଦୁର୍ଗାପୂଜା ପୂର୍ବରୁ ଏହି ଫୁଟ୍ ଓଭରବ୍ରିଜ୍କୁ ଜନସାଧାରଣଙ୍କ ପାଇଁ ଖୋଲାଯିବ।
ତେବେ ଫୁଟ୍ ଓଭରବ୍ରିଜ୍ ହେବା ନ ପର୍ଯ୍ୟନ୍ତ ଏଠାରେ ଅସ୍ଥାୟୀ ଟ୍ରାଫିକ୍ ବ୍ୟବସ୍ଥା କରିବା ଦାବି ନେଇ ଆସନ୍ତାକାଲି (ବୁଧବାର) ପଳାସୁଣି ଗ୍ରାମବାସୀ ଡିସିପିଙ୍କୁ ଭେଟିବେ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/61.jpg)