୭ ବର୍ଷ ବିତିଗଲା, ଜମି ଚିହ୍ନଟ ସରୁନି : ସ୍ଥାନାନ୍ତର ହୋଇପାରୁନି ଝାରପଡ଼ା ଜେଲ୍

ଭୁବନେଶ୍ୱର : ବର୍ଷେ ନୁହେଁ କି ଦୁଇ ବର୍ଷ। ୭ବର୍ଷ ବିତି ଗଲାଣି। କିନ୍ତୁ ଝାରପଡ଼ା ସ୍ୱତନ୍ତ୍ର ଜେଲ୍ ସ୍ଥାନାନ୍ତର ନେଇ ସରକାରଙ୍କ ଉଦ୍ୟମ ଏଯାଏ ସଫଳ ହୋଇ ପାରିନାହିଁ। ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଏବେ ଏହି ଜେଲ୍ ସ୍ଥାନାନ୍ତର ଫାଇଲ୍ ନାଲିଫିତା ତଳେ ଦବି ଯାଇଛି। କାରଣ ଏଯାଏ ଖୋର୍ଧା ଜିଲ୍ଲା ପ୍ରଶାସନ ଝାରପଡ଼ା ଜେଲ୍ ପାଇଁ ଅନ୍ୟ କେଉଁଠି ଜମିଟିଏ ଚିହ୍ନଟ କରିବାକୁ ସକ୍ଷମ ହୋଇନାହିଁ। ଫଳରେ ଏହାକୁ ନେଇ ଝାରପଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା‌‌‌ରେ ଲାଗିଛି। ତେବେ ଏନେଇ ଜେଲ୍ କର୍ତୃପକ୍ଷ ମୁହଁ ଖୋଲୁନାହାନ୍ତି।

୧୯୬୨ ମସିହାରେ ଝାରପଡ଼ାକୁ ରାଜଧାନୀ ଉପକଣ୍ଠ ବୋଲି ବିବେଚନା କରାଯାଇ ୧୬ଏକର ଜମିରେ ସ୍ୱତନ୍ତ୍ର ଜେଲ୍ ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଖୁବ କମ୍ ସଂଖ୍ୟକ ଲୋକେ ଜେଲ୍ ଚାରିପଟେ ବସବାସ କରୁଥିଲେ। କିନ୍ତୁ ରାଜଧାନୀ ବଢ଼ିବା ସହିତ ଝାରପଡ଼ା ଜେଲ୍ ଆଖାପାଖରେ ଜନବସତି ହୁହୁ ହୋଇ ବଢ଼ି ଯାଇଥିଲା। ଜେଲ୍‌ର ପଛପଟେ ଏକ ବିଶାଳକାୟ ବସ୍ତି ହଳଦୀପଡ଼ିଆ ମାଡ଼ି ଯାଇଥିଲା। ଏହା ମଧ୍ୟରେ ଜେଲ୍‌କୁ ଲାଗି କରି ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ଘରୋଇ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ ଆଦି ଖୋଲିଛି। କ୍ରମେ ଝାରପଡ଼ା ଜେଲ୍ ସ୍ୱତନ୍ତ୍ର ଜେଲ୍‌ର ମାନ୍ୟତା ପାଇଥିଲା। ତେଣୁ କଏଦୀଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ଏବେ ଏହି ସଂଖ୍ୟା ୭୪୯ ଛୁଇଁଲାଣି। ଅନେକ ସମୟରେ ୭ଶହ ପାଖାପାଖି କଏଦୀ ଝାରପଡ଼ା ଜେଲ୍‌ରେ ରହୁଛନ୍ତି। କଏଦୀଙ୍କୁ କୋର୍ଟରେ ହାଜର କରାଇବାକୁ ନେବା ବେଳେ ଏବଂ କଏଦୀମାନଙ୍କୁ ଦେଖା କରିବାକୁ ସମ୍ପର୍କୀୟମାନେ ଆସୁଥିବା କାରଣରୁ ଜେଲ୍ ଗେଟ ନିକଟରେ ଅହେତୁକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ବେଳେବେଳେ କିଛି କଏଦୀ ଜେଲ୍‌ରୁ ବାହାରିବା ବେଳେ ସେମାନଙ୍କ ସମର୍ଥକମାନେ ବାଜା ବଜାଇ, ବାଣ ଫୁଟାଇ ବାଇକ ଶୋଭାଯାତ୍ରା କରୁଛନ୍ତି। ସେତେବେଳେ ଜେଲ ସମ୍ମୁଖର ପରିସ୍ଥତି ଅଣାୟତ୍ତ ହୋଇପଡ଼ୁଛି। ଏହାଛଡ଼ା ଝାରପଡ଼ା ଜେଲ୍‌ରେ ଅନେକ ହାଇପ୍ରୋଫାଇଲ ଅପରାଧୀ, ମାଓବାଦୀ ପ୍ରମୁଖ ଅଛନ୍ତି। ସେମାନଙ୍କ ସାକ୍ଷାତ କରିବାକୁ ଆସିବା ବେଳେ ଜେଲ୍‌ ଆଗରେ ଏକ ଆସାମାଜିକ ପରିବେଶ ସୃଷ୍ଟି ହେଉଛି। ସ୍ଥାନୀୟ ବାସିନ୍ଦା ନିଜକୁ ଅସୁରକ୍ଷିତ ମନେ କରି ୨୦୦୯ ନଭେମ୍ବର ମାସରେ ଝାରପଡ଼ା ଆଂଚଳିକ ସୁରକ୍ଷା ମଂଚ ଜେଲ୍ ସ୍ଥାନାନ୍ତର ପାଇ ଦାବି କରିଥିଲା। ଦାବିପତ୍ରକୁ ପୂର୍ବତନ ଜେଲ୍ ଆଇଜି ଓ ମଧ୍ୟ ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା। ଏହା ଏକ ଯଥାର୍ଥ ଦାବି ବୋଲି ଜାଣିବା ପରେ ଜେଲ ବିଭାଗ ପକ୍ଷରୁ ଜେଲ୍ ସ୍ଥାନାନ୍ତର ନେଇ ତତ୍ପରତା ଦେଖା ଦେଇଥିଲା। ୨୦୧୨ ଅଗଷ୍ଟ ମାସରେ ବିଧାନସଭାର ଏକ ୫ଜଣିଆ କମିଟି ଝାରପଡ଼ା ଜେଲ୍ ପରିଦର୍ଶନରେ ଯାଇଥିଲେ। ପରିଦର୍ଶନ ପରେ ସ୍ଥିର ହୋଇଥିଲା ନୂଆ ଜେଲ୍ ପାଇଁ ୫୦ ଏକର ଜମିର ଆବଶ୍ୟକ। ଏନେଇ ଖୋର୍ଧା ଜିଲ୍ଲାପାଳଙ୍କୁ ଜମି ଚିହ୍ନଟ କରିବାକୁ ବିଧାନସଭା କମିଟି ନିର୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଜମି ଚିହ୍ନଟ କରିବା ବଦଳରେ ଚୁପ୍ ହୋଇ ବସି ପଡ଼ିଥିଲେ। ୨୦୧୪ ମସିହାରେ ତତ୍କାଳୀନ ବିଧାୟକ ବିଜୟ ମହାନ୍ତି ବିଧାନସଭାରେ ଏ ନେଇ ପ୍ରଶ୍ନ ଉଠାଇଥିଲେ। ପୁଣି ଥରେ ୨୦୧୫ ମସିହାରେ ବିଧାନସଭା ଟିମ୍ ଝାରପଡ଼ା ଜେଲ୍ ପରିଦର୍ଶନରେ ଆସିଥିଲେ।

ଏହାର କିଛି ଦିନ ପରେ ଜେଲ୍ ବିଭାଗ ପକ୍ଷରୁ କୁହାଗଲା, ଚନ୍ଦକା ଏସ୍ଓଜି କାର୍ଯ୍ୟାଳୟ ନିକଟରେ ୩୦ ଏକର ଜମିଟି ଚିହ୍ନଟ ହୋଇଛି, ଜେଲ୍ ସେଠାକୁ ଉଠିଯିବ। ଏ ବାବଦରେ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ଯାହା ସୂଚନା ମିଳିଛି, କୌଣସି ଜମି ଚିହ୍ନଟ ହୋଇନାହିଁ, କିମ୍ବା ଟଙ୍କା ମଞ୍ଜୁର ହୋଇନାହିଁ। କାରଣ ଚନ୍ଦକା ଏସଓଜି କାର୍ଯ୍ୟାଳୟ ନିକଟରେ ଯେଉଁ ଜମି ଚିହ୍ନଟ ହୋଇଥିଲା, ତାହା ଜଙ୍ଗଲ ଜମି ବୋଲି ଜଣା ପଡ଼ିଥିଲା।

ଏ ସମ୍ପର୍କରେ ଖୋର୍ଧା ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, ଜଟଣୀ, ଶ୍ୟାମସୁନ୍ଦରପୁର ଆଦି ୩ଟି ସ୍ଥାନରେ ଜମି ଚିହ୍ନଟ ସରିଛି, କିନ୍ତୁ ଜେଲ୍ କର୍ତୃପକ୍ଷ ରାଜି ହେଉନାହାନ୍ତି। ଫଳରେ ଜେଲ୍ ସ୍ଥାନାନ୍ତର ପକ୍ରିୟା ଆଗେଇ ପାରୁନାହିଁ। ଏ ସମ୍ପର୍କରେ ଜେଲ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି, ଏବେ ଝାରପଡ଼ା ଜେଲ ସ୍ଥାନାନ୍ତରର କୌଣସି ଯୋଜନା ନାହିଁ। ସେହିପରି କୌଣସି ନୂଆ ଜେଲ୍ ପ୍ରତିିଷ୍ଠା କରାଯିବାର ଯୋଜନା ମଧ୍ୟ ନାହିଁ।

ସମ୍ବନ୍ଧିତ ଖବର