ଜେଲ୍‌ ଭିତରେ ନାଚଗୀତର ଆସର! ଚିଲମ ଧୂଆଁର ଭିଡିଓ ଭାଇରାଲ୍

ଜେଲ୍ ନା ମୋବାଇଲ ଭଣ୍ଡାର? ଝାରପଡ଼ା ସ୍ବତନ୍ତ୍ର କାରାଗାରରୁ ମିଳିଲା ଆଉ ୨ ସ୍ମାର୍ଟ ଫୋନ୍‌

ଭୁବନେଶ୍ବର : ଝାରପଡ଼ା ଜେଲ୍‌ର ଵାର୍ଡ ଭିତରେ ଚାଲିଛି ନାଚଗୀତର ଆସର। ତା’ ସାଙ୍ଗକୁ ଚିଲମରୁ ଉଠୁଛି ଧୂଆଁ। କଏଦୀ ଏକାଠି ବସି ମସଗୁଲ୍‌। ଏମିତି ଏକ ଭିଡିଓ ଆଜି ଭାଇରାଲ୍ ହୋଇଛି। ଜେଲ୍‌ରୁ ମୋବାଇଲ ଫୋନ୍ ମିଳିବା ପରେ ଏବେ ଏହି ଭିଡିଓକୁ ନେଇ ନାନା ଚର୍ଚ୍ଚା। ଦୁଇଟି କଥା ସ୍ପଷ୍ଟ ହୋଇଯାଇଛି। ଜେଲ୍‌ ଭିତରକୁ ମୋବାଇଲ ଫୋନ୍ ଏବଂ ନିଶାଦ୍ରବ୍ୟ ଯାଉଛି। ମୋବାଇଲ ଫୋନରେ କଥାବାର୍ତ୍ତା, ରେକର୍ଡିଂ କରାଯାଉଛି। ଗଞ୍ଜେଇ ଭର୍ତ୍ତି ଚିଲମର ମଜା ଉଠାଉଛନ୍ତି କଏଦୀ। ଏହି ଭିଡିଓ କେବେର ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପଣା ସଂକ୍ରାନ୍ତି ଦିନର ବୋଲି କୁହାଯାଉଛି। କେବଳ ଏହି ଗୋଟିଏ ନୁହେଁ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ଜଣେ ବ୍ୟକ୍ତି ଜଣେ ଵାର୍ଡରଙ୍କୁ କିଛି ସାମଗ୍ରୀ ଦେଉଥିବା ଦେଖିବାକୁ ମିଳିଛି। ଵାର୍ଡର ସେହି ସାମଗ୍ରୀ ନେବା ପରେ ଦୁଇ ଜଣ କଏଦୀଙ୍କୁ ଦେଉଛନ୍ତି। ଜେଲ୍‌ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି ଏହା ଏକ ପୁରୁଣା ଘଟଣା। ମୋବାଇଲ ମିଳିବା ଘଟଣାର ତଦନ୍ତକୁ ବାଟବଣା କରିବା ପାଇଁ ଏଭଳି ଭିଡିଓ ଭାଇରାଲ୍ କରାଯାଉଛି। ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବା ପରେ ଝାରପଡ଼ା ଜେଲ୍‌ର ସୁରକ୍ଷାା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜେଲ୍ ନା ମୋବାଇଲ ଭଣ୍ଡାର? ଝାରପଡ଼ା ସ୍ବତନ୍ତ୍ର କାରାଗାରରୁ ମିଳିଲା ଆଉ ୨ ସ୍ମାର୍ଟ ଫୋନ୍‌
ମେଟାଲ ଡିଟେକ୍ଟର ସହାୟତାରେ ହେବ କି ସରଜମିନ୍ ଯାଞ୍ଚ?
ଭୁବନେଶ୍ବର : ଜେଲ୍ ନା ମୋବାଇଲ ଭଣ୍ଡାର। ଯେତେ ଖୋଳିଲେ ସେତେ ବାହାରୁଛି। କେଉଁଠି ମାଟି ତଳେ ଆଉ କେଉଁଠି କାନ୍ଥ ଭିତରେ। ଆଜି ଏକ ଵାର୍ଡର ଚଟାଣ ତଳୁ ଦୁଇଟି ସ୍ମାର୍ଟ ଫୋନ୍ ମିଳିଛି। ଏ ସଂକ୍ରାନ୍ତରେ ଜେଲ୍‌ ପକ୍ଷରୁ ଲକ୍ଷ୍ମୀସାଗର ଥାନାକୁ ଅବଗତ କରାଯାଇଛି। ଏହାକୁ ମିଶାଇ ଏବେ ସୁଦ୍ଧା ୧୩ଟି ମୋବାଇଲ ଫୋନ୍ ମିଳି ସାରିଲାଣି। ୪ଟି ପର୍ଯ୍ୟାୟରେ ମିଳିଥିବା ଏ ସବୁ ମୋବାଇଲ ଫୋନର ଅଭିଯୋଗକୁ ଆଧାର କରି ଲକ୍ଷ୍ମାସାଗର ଥାନା ପୁଲିସ ତଦନ୍ତ ଚଳାଇଛି। ମିଳିଥିବା ଫୋନର କଲ ଡିଟେଲ୍ସ ରିପୋର୍ଟ(ସିଡିଆର) ମଗାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଆହୁରି କେତେ ଫୋନ୍ ଲୁଚାଯାଇଛି? ଏ ସବୁ ଫୋନ କାହାର? କେଉଁଠି କେତେ ଫୋନ୍ ରଖାଯାଇଛି? ପ୍ରତିଦିନ ମୋବାଇଲ ଫୋନ୍ ମିଳୁଥିବାରୁ ଆହୁରି ବିପୁଳ ପରିମାଣର ଥିବା ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ଜେଲ୍‌ ବିଭାଗ ପକ୍ଷରୁ ମେଟାଲ ଡିଟେକ୍ଟର ସାହାଯ୍ୟ ନିଆଯାଇ ସରଜମିନ୍ ଯାଞ୍ଚ କରାଗଲେ ଆହୁରି ଫୋନ୍ ମିଳିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର