ଝାରପଡ଼ା ଜେଲ୍‌ ଉପରେ ନଜର, ଟାର୍ଗେଟ୍‌ରେ ଗ୍ୟାଙ୍ଗଷ୍ଟର ଟିଟୋ ସମେତ ଏକାଧିକ ଅପରାଧୀ‌

ଟିକିନିଖି ଖବର ରଖୁଛି କ୍ରାଇମ୍‌ବ୍ରାଞ୍ଚ‌

ଭୁବନେଶ୍ବର: ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ପ୍ରମୁଖ ଜେଲ୍‌ ଝାରପଡ଼ା ଜେଲ୍‌ ସବୁଠାରୁ ଆଗ‌ରେ। ଖାସ୍‌ ଏଇଥିପାଇଁ ଏହି ଜେଲ୍‌ରେ ହାଡର୍କୋ‌ର୍‌ ମାଓବାଦୀଙ୍କଠାରୁ ଆରମ୍ଭ କରି ଗ୍ୟାଙ୍ଗଷ୍ଟର୍‌ ଓ ଦୁର୍ଦାନ୍ତ ଅପରାଧୀଙ୍କୁ ରଖାଯାଇଛି। କିନ୍ତୁ ଏତେ ସବୁ ସୁରକ୍ଷାବଳୟକୁ ପାର୍‌ କରି ଅପରାଧୀମାନେ ଜେଲ୍‌ ଭିତରେ ବସି ବାହାରେ ଅପରାଧ ଘଟାଉଛନ୍ତି। ଗୁଳିମାଡ଼ଠାରୁ ଆରମ୍ଭ କରି ଦାଦାବଟି ସଂଗ୍ରହ, ଅପହରଣ, ହତ୍ୟା ଭଳି ଅପରାଧର ଯୋଜନା ଜେଲ୍‌ ଭିତରୁ ହେଉଛି। ବାହାରେ ଥିବା ସେମାନଙ୍କ ସହଯୋଗୀ ଏହାକୁ କାର୍ଯ୍ୟକାରୀ କରି ଗୋଟିଏ ପରେ ଗୋ‌ଟିଏ ଅପରାଧ ଘଟାଉଛନ୍ତି। ଗତ ଏକ ମାସ ମଧ୍ୟରେ ଗ୍ୟା‌ଙ୍ଗଷ୍ଟର ଟିଟୋ ଜେଲ୍‌ ଭିତରୁ ଥାଇ ଦୁଇଟି ଦୁଇଟି ଅପରାଧରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ଏବେ କମିସନରେଟ୍‌ ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ ଏସଟିଏଫର ନଜର ଝାରପଡ଼ା ଜେଲ୍‌ ଉପରେ ପଡ଼ିଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ବଛା ଯାଇଥିବା କେତେକ ଅଫିସର୍‌ଙ୍କୁ ନି‌ୟୋଜିତ କରାଯାଇଛି। ସେମାନେ ସାଦା ପୋଷାକରେ ଏହି ଜେଲ୍‌ ଉପରେ ନଜର ରଖିବା ଆରମ୍ଭ କରିଛନ୍ତି। କିଏ କାହାକୁ ଭେଟିବାକୁ ଆସୁଛି, କେଉଁ ଗ୍ୟାଙ୍ଗଷ୍ଟର୍‌ଙ୍କୁ କିଏ ଦେଖା କରୁଛି, କ’ଣ କଥାବାର୍ତା ହେଉଛନ୍ତି, ସେ ସମ୍ପର୍କରେ ଟିକିନିଖି ଖବର ରଖୁଛି କ୍ରାଇମ ବ୍ରାଞ୍ଚ ଓ କମିସନରେଟ ପୁଲିସ। ଏପରିକି ଗ୍ୟାଙ୍ଗଷ୍ଟର୍‌ଙ୍କୁ ଭେଟିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯାଇ ତାକୁ ଟ୍ରାକ କରାଯାଉଥିବା ଜଣାପଡ଼ିଛି।

ଜେଲ୍‌‌ରେ ପ୍ରସ୍ତୁତ ହେଉଛି ଅପରାଧର ନୀଳନକ୍ସା
ବାହାରେ କାର୍ଯ୍ୟକାରୀ କରୁଛନ୍ତି ସହଯୋଗୀ

ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ କ୍ରାଇମ୍‌ ବ୍ରାଞ୍ଚର ଏସଟିଏଫ ଖୋର୍ଧା ଅଞ୍ଚଳରେ ଚଢ଼ଉ କରି ଏକାଧିକ ଖଣି ମାଫିଆଙ୍କୁ ଗିରଫ କରିଥିଲା। ସେମାନେ ଦୀର୍ଘ ଦିନ ଧରି ବେଆଇନ ଭାବେ ଖଣି ଉତ୍ତୋଳନ କରୁଥିଲେ। କ୍ରାଇମ ବ୍ରାଞ୍ଚ ଏମାନଙ୍କୁ କୋର୍ଟ ଚାଲାଣ କରିବା ବେଳେ କେସ୍‌ ଡାଏରିରେ ଗ୍ୟାଙ୍ଗଷ୍ଟର ଟିଟୋ ସଂପୃକ୍ତ ବୋଲି ଉଲ୍ଲେଖ କରିଥିଲା। ଏ ସମ୍ପର୍କରେ କ୍ରାଇମ ବ୍ରାଞ୍ଚର ବରିଷ୍ଠ ଅଧିକାରୀ ସୂଚନା ମଧ୍ୟ ଦେଇଥିଲେ। ଏଠି ପ୍ରଶ୍ନ ଉଠୁଛି, ଝାରପଡ଼ା ଜେଲ୍‌ରେ ଟିଟୋ ଥିବା ବେଳେ ଖଣି ମାଫିଆଙ୍କ ସହ କେମିତି ସମ୍ପର୍କ କଲା, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ସେହିପରି କିଛି ଦିନ ତଳେ କେନ୍ଦ୍ରାପଡ଼ା ତିନିମୁହାଣୀ ବଜାର କମଟି ସଭାପତି ବାବୁଲି ମହାରଣାଙ୍କୁ ଗୁଳିମାଡ଼ ହୋଇଥିଲା। ଏହି ଅପରାଧରେ ପୁଲିସ ୪ଜଣଙ୍କୁ ଗିରଫ କରିଥିଲା। ଏବେ ବି ଏହି ଘଟଣାରେ ଆହୁରି ୬ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ବଡ଼ କଥା ହେଉଛି, ଏହି ଗୁଳିକାଣ୍ଡ ଟିଟୋର ନିର୍ଦେଶରେ ହୋଇଥିବା କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ସୂଚନା ଦେଇଥିଲେ। ଦୁଇ ଦୁଇଟି ଅପରାଧରେ ନୀଳ ନକ୍ସା ଝାରପଡ଼ା ଜେଲ୍‌ରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିବା ପରେ ଏବେ ଜେଲ୍‌ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କେବଳ ଏହି ଦୁଇଟି ଘଟଣା କାହିଁକି, ଦେଢ଼ ବର୍ଷ ତଳେ କଟକ ସଦର ଥାନା ଅଧୀନ ବାଲି ଠିକାଦାର ବିଜନ ପାଲଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ବ୍ଲୁ-ପ୍ରିଣ୍ଟ୍‌ ଝାରପଡ଼ା ଜେଲ୍‌ରୁ ପ୍ରସ୍ତୁତ ହୋଇଥିଲା। ବିକ୍ରମ ମଲ୍ଲିକ ମଧ୍ୟ ଜେଲ୍‌ ଭିତରୁ ଥାଇ ଜେଲ ୱାର୍ଡର୍‌ଙ୍କୁ ହତ୍ୟା କରାଇଥିଲା। ତେବେ ଏଭଳି ଅଭିଯୋଗକୁ ଜେଲ୍‌ର ଜଣେ ବରିଷ୍ଠ ଅଧିକାରୀ ଖଣ୍ଡନ କରିଛନ୍ତି। କହିଛନ୍ତି, ଜେଲ୍‌ ଭିତରୁ କେହି ଏଭଳି ଅପରାଧର ନକ୍ସା ପ୍ରସ୍ତୁତ କରି ନଥାଏ। ଏଭଳି ଘଟଣା ନଜରକୁ ଆସିନାହିଁ। ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର