ଭୁବନେଶ୍ବର : ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ। ଶେଷରେ ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍। ଏନେଇ ଜାମୁଝରି ବିଜୁପଟ୍ଟନାୟକ ଜେଲ୍ ଏକାଡେମି ଠାରେ ପ୍ରାୟ ୫୦ଏକର ବିଶିଷ୍ଟ ଏକ ଜମି ଚିହ୍ନଟ ସରିଛି। ସେଠାରେ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍ ଜେଲ ନିର୍ମାଣ ହେବ। ବିଦେଶୀ ଢ଼ାଞ୍ଚାରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ପ୍ରଦୂଷଣ ମୁକ୍ତ କାରାଗାର ନିର୍ମାଣ ହେବ। ସେଠାରେ କଏଦୀଙ୍କ ଶାରୀରିକ ବିକାଶ ଠାରୁ ଆରମ୍ଭ କରି ମାନସିକ ସ୍ଥିତିରେ ସୁଧାର ଆଣିବା, ଦକ୍ଷତା ବିକାଶ କରିବା ପାଇଁ ବିଭିନ୍ନ ଯୋଜନାରେ ତାଲିମ୍ ଦିଆଯିବ। ଆଜି ଝାରପଡ଼ା ଜେଲ୍ ପରିଦର୍ଶନରେ ଆସିଥିବା ବେଳେ ଜେଲ୍ ଡିଜି ମନୋଜ ଛାବ୍ରା କହିଛନ୍ତି।
ଝାରପଡ଼ା ଜେଲ୍ରେ ୯୯୧ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ରହିଛି। ଦିନକୁ ଦିନ ଜେଲ୍ରେ କଏଦୀ ସଂଖ୍ୟା ବଢ଼ିଛୁ। କଏଦୀଙ୍କୁ ରଖିବାରେ ସମସ୍ୟା ହେଉଛି। ଜାଗା ଅଭାବରୁ ଅନେକ ପ୍ରକଳ୍ପ ସମ୍ଭବ ହେଉନି। କଏଦୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ତାଲିମ୍ ଦେବାରେ ସମସ୍ୟା ହେଉଛି। ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଜେଲ୍ ସ୍ଥାନାନ୍ତର ପାଇଁ ବ୍ଲୁ-ପ୍ରିଣ୍ଟ ସରିଛି। ନୂତନ କାରାଗାର ପାଇଁ ରୂପରେଖ ଏକ ପ୍ରକାର ପ୍ରସ୍ତୁତ ସରିଛି। ଏହି ସ୍ୱତନ୍ତ୍ର ଜେଲ୍ରେ ୨୫ଶହ କଏଦୀ ରହିପାରିବା ଭଳି ଘର ନିର୍ମାଣ କରାଯିବ। ସ୍ବତନ୍ତ୍ର ହସ୍ପିଟାଲ, ଆମ୍ଫି ଥିଏଟର, ଲାଇବ୍ରେରି, ଜିମ୍, ବେକରି, ଫୁଡ଼ ପ୍ରୋସେସିଂ ୟୁନିଟ ରହିବ। ସେହିପରି ମହିଳା କଏଦୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ସ୍ଥାନ। ବିଭିନ୍ନ ବର୍ଗ କଏଦୀଙ୍କ ପାଇଁ ବ୍ୟବସ୍ଥା କରାଯିବ। କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ମଡେଲ ଜେଲରେ ରହିବ ମିଲେଟ୍ ବ୍ୟବସ୍ଥା।
ଏଠାରେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରାଯିବ। ବାୟୋମେଟ୍ରିକ୍ ବ୍ୟବସ୍ଥା ସହ ଜାମର, ଅତ୍ୟାଧୁନିକ ସ୍କାନର ଲାଗିବ। ଗ୍ରିନ ଜେଲ୍ ବା ଜିରୋ କାର୍ବନ ଏମିସନ୍ ପାଇଁ ସୋଲାର ବିଦ୍ୟୁତ ଉପରେ ଗୁରୁତ୍ବ ଦିଆଯାଇଛି। ତେବେ ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପ ସାରିବାକୁ ଯୋଜନା କରାଯାଇଛି। ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ନୂତନ ଜେଲ୍ ନିର୍ମାଣ ପାଇଁ ଜେଲ୍ ବିଭାଗ ପକ୍ଷରୁ କିଛିଦିନ ତଳେ ପ୍ରସ୍ତାବ ଦିଆଯାଥିଲା। ଖୁବ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି ଜେଲ୍ ଡିଜି ଶ୍ରୀ ଛାବ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।