ଚନ୍ଦ୍ରଶେଖରପୁର: ସୋମବାର, ରାତି ପ୍ରାୟ ୯ଟା। ସାନ୍ତାଳୀମାନଙ୍କ ଫଗୁଣ ପର୍ବ ‘ବାହା ବଙ୍ଗା’ ଦେଖିବାକୁ ଯାଇ ମଞ୍ଚେଶ୍ବର ଥାନା ଅଞ୍ଚଳର ଜଣେ ଯୁବତୀ ନିଖୋଜ ହୋଇଗଲେ। ଘରକୁ ଫେରିବା ବିଳମ୍ବ ହେବାରୁ ବାପାମା’ ମୋବାଇଲ୍ ଫୋନ୍ରେ ଯୋଗାଯୋଗ କଲେ। ମାତ୍ର ଯୁବତୀଙ୍କ ମୋବାଇଲ୍ ବନ୍ଦ ହୋଇଯାଇଥିଲା। ବାପାମା’ ଉତ୍ସବସ୍ଥଳକୁ ଯାଇ ଖୋଜାଖୋଜି କଲେ। କିନ୍ତୁ ହାଣ୍ଡିଆ ନିଶାରେ ନାଚଗୀତରେ ମସ୍ଗୁଲ ଥିବା ଲୋକଙ୍କଠାରୁ କିଛି ଠୋସ୍ ସୂଚନା ମିଳିନଥିଲା। ତେଣୁ ବାପାମା’ ତୁରନ୍ତ ମଞ୍ଚେଶ୍ବର ଥାନାରେ ପହଞ୍ଚି ଅଭିଯୋଗ କଲେ। ପୁଲିସ ଉତ୍ସବସ୍ଥଳ ଓ ବାଟଘାଟ ସବୁଠି ଚଢ଼ଉ କଲା। ମାତ୍ର କିଛି ସୁରାକ୍ ମିଳିଲାନି। ତେବେ ରାତି ପ୍ରାୟ ୩ଟା ବେଳକୁ ଯୁବତୀଙ୍କ ମୋବାଇଲ୍ ଫୋନ୍ ଅନ୍ ହେବାରୁ ପୁଲିସ ଫୋନ୍ ଟ୍ରାକିଂ କରି ପଟିଆ ରେଳ ଷ୍ଟେସନ ନିକଟ ଆଦିବାସୀ ବସ୍ତିରେ ପହଞ୍ଚି ଏକ ଘରେ ଚଢ଼ଉ କଲା। ପୁଲିସ କର୍ମଚାରୀମାନେ ଅପହରଣ କରିଥିବା ଯୁବକକୁ ମାଡ଼ି ବସିଲେ।
ବାପାମା’ ଝିଅକୁ ଫେରି ପାଇ ଖୁସି ହୋଇଗଲେ। ପୁଲିସ ଟିମ୍ ବି ରାତାରାତି ଅପହୃତା ଯୁବତୀକୁ ଉଦ୍ଧାର କରି ବେଶ୍ ଆଶ୍ବସ୍ତ ହେଲା। କିନ୍ତୁ ଏ ଅପହରଣର କାହାଣୀ ଥିଲା ଭିନ୍ନ। ଆଦିବାସୀଙ୍କ ‘ଝିଙ୍କା ବିହା’ ପରମ୍ପରାରୁ ଘଟିଥିଲା ଏହି ଘଟଣା। ସାନ୍ତାଳୀ ପରମ୍ପରା ଅନୁସାରେ ‘ବାହା ବଙ୍ଗା’ ପର୍ବକୁ ଆସିଥିବା କୌଣସି ଜଣେ ଯୁବତୀଙ୍କୁ କେହି ଜଣେ ଯୁବକ ଝିଙ୍କି ନେଇଯିବାର ପ୍ରଥା ରହିଛି। ପରେ ଯୁବତୀ ଇଚ୍ଛା କଲେ ଉକ୍ତ ଯୁବକଙ୍କୁ ବିବାହ କରିପାରିବା ପ୍ରଥା ବି ରହିଛି। ତେଣୁ ସେହି ହିସାବରେ ଯୁବକ ଜଣକ ଯୁବତୀଙ୍କୁ ରାସ୍ତାରୁ ଝିଙ୍କି ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ଯୁବତୀଙ୍କ ମୋବାଇଲ୍ ଫୋନ୍ର ଚାର୍ଜ ସରିଯିବାରୁ ସେ ବାପାମା’ଙ୍କୁ ଯୋଗାଯୋଗ କରିପାରି ନଥିଲେ। ଏଣେ ଦୀର୍ଘ ବର୍ଷ ହେଲା ରାଜଧାନୀରେ ରହୁଥିବା ବାପାମା ବି ଝିଙ୍କି ନେବା ପ୍ରଥା କଥାକୁ ଭାବି ନପାରି ଅପହରଣ ଅଭିଯୋଗ କରିଥିଲେ। ପରେ ଯୁବତୀଙ୍କ ବୟାନ ଓ ସମ୍ପ୍ରଦାୟର ମୁରବୀମାନଙ୍କ କଥା ଶୁଣିବା ପରେ ପୁଲିସ ଯୁବକଙ୍କୁ ଛାଡ଼ିଥିଲା।