‘ଝୁମୁକା’ ସାମ୍ବତ୍ସରିକ ସାରସ୍ୱତ ସମାରୋହ : ନୂଆ ଜୀବନଶୈଳୀକୁ ନେଇ ଶିଶୁ ସାହିତ୍ୟ ଲେଖାଯାଉ

ଭୁବନେଶ୍ବର : ଅତୀତ ଓ ବର୍ତ୍ତମାନର ସମୟକୁ ଯୋଡ଼ୁଥିବା ଶୃଙ୍ଖଳ ଏବେ ଛିଣ୍ଡି ଯାଇଛି। ସମୂହ ହିତକୁ ବୁଝାଇବା ପାଇଁ ସାହିତ୍ୟ ଲେଖା ଯାଉଥିବା ନଜରକୁ ଆସୁନାହିଁ। ଏଣୁ ଶିଶୁମାନେ ଆଜିର ସମୟ ଓ ସେମାନେ ପ୍ରବେଶ କରିବାକୁ ଯାଉଥିବା ସେମାନଙ୍କ ଦୁନିଆ ସହ କେମିତି ମୁକାବିଲା କରିବେ, ସେ ନେଇ ପ୍ରସ୍ତୁତି କରିବାକୁ ପଡ଼ିବ। ସେମାନଙ୍କ ପାଇଁ ପ୍ରଯୁଜ୍ୟ ଓ ଆଜିର ନୂତନ ଜୀବନଶୈଳୀକୁ ନେଇ ଶିଶୁ ସାହିତ୍ୟ ଲେଖାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ରେଡ୍‌କ୍ରସ୍‌ ଭବନରେ ଆୟୋଜିତ ଶିଶୁ-କିଶୋର ପତ୍ରିକା ‘ଝୁମୁକା’ର ୩୩ତମ ସାମ୍ବତ୍ସରିକ ସାରସ୍ବତ ସମାରୋହରେ ‘ଶିଶୁ ସାହିତ୍ୟ ଓ ଶିକ୍ଷା ସାହିତ୍ୟ’ ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ, ପୁରୁଣା କଥା ଓ ନୂଆ ଦୁନିଆ ବିଷୟରେ ଅଭିଭାବକମାନେ ନିଜ ସନ୍ତା‌ନମାନଙ୍କୁ କାହାଣୀ କହି ସମୟର ଶୃଙ୍ଖଳକୁ ମଜଭୁତ କରନ୍ତୁ ବୋଲି କହିଥିଲେ।

ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଶିଶୁ ଉପରେ ପ୍ରଭାବ ପକାଇବା, କିଛି ସୂଚନା ଦେବା ଓ ସେମାନଙ୍କ ମନୋରଞ୍ଜନ ପାଇଁ ଶିଶୁ ସାହିତ୍ୟ ଲେଖାଯାଇଥାଏ। କିନ୍ତୁ ଆଜିର ଶିଶୁ ବେଶ୍‌ ବିଚକ୍ଷଣ। ତେଣୁ ଏହାକୁ ଦୃଷ୍ଟିରେ ରଖି ସାହିତ୍ୟ ରଚନା ହେବା ଉଚିତ। ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ବରେଣ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଶିଶୁ ସାହିତ୍ୟିକମାନେ ହେଉଛନ୍ତି କାଳ ସ୍ରଷ୍ଟା। ସେ ସମୟରେ ଲେଖାଯାଇଥିବା ଢଗଢ଼ମାଳି ଏବେ ବି ଜନମାନସରେ ଖୁବ୍‌ ପ୍ରଚଳିତ। ଶିଶୁ ସାହିତ୍ୟ ଶିଶୁଙ୍କ ମଧ୍ୟରେ ଆଦର୍ଶ, ସଂସ୍କାର ଆଣିବା ସହ ଭଲ ଓ ଖରାପକୁ ବିଚାର କରିବାରେ ସାହାଯ୍ୟ କରେ। ସେ କାଳର ଶିଶୁ ସାହିତ୍ୟ ଭଳି ଏବେ ଆଉ ଲେଖା ଯାଉନାହିଁ ବୋଲି ସେ କହିଥିଲେ।

ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ସଭାରେ ସଭାପତିତ୍ବ କରି ଶିଶୁ ସାହିତ୍ୟର ଉପାଦେୟତା ଓ ଆଜିର ଯୁଗରେ ଗପ ଓ କାହାଣୀ ମାଧ୍ୟମରେ କିପରି ଶିଶୁମାନଙ୍କୁ ପ୍ରେରଣା ଦିଆଯାଇପାରିବ, ସେ ବାବଦରେ ମାର୍ଗଦର୍ଶନ ଦେଇଥିଲେ। ‘ଝୁମୁକା’ର ନୂତନ ସଂସ୍କରଣ ସହ ‘ଗୀତ ଝରକା’ ଓ ‘ଫେରିଆ ମୋ ସୁନା ଚଢ଼େଇ’ ପୁସ୍ତକ ଲୋକାର୍ପିତ ହୋଇଥିଲା।

କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ପଟ୍ଟନାୟକ, ଶୁଭଶ୍ରୀ ନନ୍ଦ ଓ ଅରୁଣ ପଣ୍ଡାଙ୍କୁ ‘ଝୁମୁକା ସାରସ୍ବତ ସମ୍ମାନ’ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ‘ଝୁମୁକା’ର ସମ୍ପାଦକ ମାନସ ରଞ୍ଜନ ସାମଲ ସ୍ବାଗତ ଭା‌ଷଣ ଦେଇଥିଲେ। ସହ ସମ୍ପାଦିକା ସୁଜାତା ଦାସ ସଭା ପରିଚାଳନା କରିଥିବା ବେଳେ ରାକ୍ଷୀ ଦାସ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର