ଭୁବନେଶ୍ୱର: ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ଝୁମୁକା’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପତ୍ରିକାକୁ  ‘ସମ୍ୱାଦ’  ଓ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉନ୍ମୋଚନ କରି ଶିଶୁ ସାହିତ୍ୟିକମାନେ ଭାଷା ଓ ସାହିତ୍ୟକୁ ବଞ୍ଚାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ। ଦୀର୍ଘ ୩୮ ବର୍ଷ ଧରି ‘ଝୁମୁକା’ର ନିୟମିତ ପ୍ରକାଶନ ଏକ ପ୍ରଶଂସାଯୋଗ୍ୟ ଉଦ୍ୟମ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ତଥା ବିଶିଷ୍ଟ କଥାକାର ଦାଶ ବେନହୁର କହିଥିଲେ ଯେ ଶିଶୁ ସାହିତ୍ୟର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ସମାଜ ମଧ୍ୟ ଆଗ୍ରହୀ ହେବା ଉଚିତ। ସେହିପରି ବିଶିଷ୍ଟ କଥାକାର ଗୌରହରି ଦାସ ପିଲାଙ୍କ ସାହିତ୍ୟର ପ୍ରଚାର, ପ୍ରସାର ଓ ପଠନ ଅଭ୍ୟାସ ତଥା ବିକାଶ କ୍ଷେତ୍ରରେ ଆଲୋଚନାଚକ୍ର, କର୍ମଶାଳା ଆୟୋଜନ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ପତ୍ରିକାର ସମ୍ପାଦକ ମାନସ ରଞ୍ଜନ ସାମଲ, ନରେନ୍ଦ୍ର ପ୍ରସାଦ ଦାସ, ମହେନ୍ଦ୍ର କୁମାର ମଲ୍ଲିକ, ରେଖା ଦାସ, ବଙ୍କିମ ଚନ୍ଦ୍ର ନାୟକ ଓ କମଳିନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଶେଷ ସଂଖ୍ୟାରେ ପ୍ରତିଭା ରାୟ, ଶାନ୍ତନୁ କୁମାର ଆଚାର୍ଯ୍ୟ, ମହେଶ୍ୱର ମହାନ୍ତି, ଦାଶ ବେନହୁର, ଗୌରହରି ଦାସ, ସଙ୍ଗୀତା ରଥ, ସଂଘମିତ୍ରା ମିଶ୍ର, ମନୋରମା ବିଶ୍ୱାଳ ମହାପାତ୍ର, ସଂଘମିତ୍ରା ଭଞ୍ଜ, ରମେଶ ଚନ୍ଦ୍ର ପରିଡ଼ା, ବିଳାସିନୀ ମହାନ୍ତି, ନିତ୍ୟାନନ୍ଦ ସ୍ୱାଇଁ, ନିରୂପମା ଆଚାର୍ଯ୍ୟ, ଚିରଶ୍ରୀ ଇନ୍ଦ୍ରସିଂହ, ଦେବରାଜ ସାମନ୍ତରାୟ, ବଟକୃଷ୍ଣ ଓଝା, ସୁନାମଣି ରାଉତ, ରାଜକିଶୋର ପାଢ଼ୀ ଓ ଗୀତାଞ୍ଜଳି ସିଂହଙ୍କ ଲେଖାରେ ସଂମୃଦ୍ଧ ବୋଲି ସଂପାଦକ ଶ୍ରୀ ସାମଲ ସୂଚନା ଦେଇଛନ୍ତି।