ଭୁବନେଶ୍ବର: ଡିସେମ୍ବର ସୁଦ୍ଧା ଜାଇକା ଯନ୍ତ୍ରଣାରୁ ମୁକ୍ତି ପାଇବ ଦ୍ବୈତନଗରୀ କଟକ-ଭୁବନେଶ୍ବର। ଭୁବନେଶ୍ବର ସ୍ବେରେଜ ଜିଲ୍ଲା-୬ ଅନ୍ତର୍ଗତ ଜାତୀୟ ରାଜପଥ-୧୬ର ବାମପାର୍ଶ୍ବରେ ସିଆରପି ଛକଠାରୁ ସତ୍ୟବିହାର ଓ ନନ୍ଦନବିହାର ପର୍ଯ୍ୟନ୍ତ ବିଏମ୍ସି ଅଞ୍ଚଳ ଏବଂ ପଥରଗାଡ଼ିଆ, କଳାରାହାଙ୍ଗ ଅଞ୍ଚଳରେ ୨୫୩.୮୬ କିମି ସ୍ବେରେଜ୍ ପାଇପ୍ ବିଛା କାର୍ଯ୍ୟ ଚାଲିଛି। ସେଥିମଧ୍ୟରୁ ୨୧୬ କିମି ପାଇପ୍ ବିଛା ସରିଛି। ଅବଶିଷ୍ଟ ପାଇପ୍ ବିଛା କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି କଟକରେ ବର୍ଜ୍ୟଜଳ ସଂଗ୍ରହ ପାଇଁ ୩୬୨ କିମିର ସ୍ବେରେଜ ପାଇପ ବିଛା କାର୍ଯ୍ୟ ହେବ। ସେଥିମଧ୍ୟରୁ ୩୪୫ କିମିର ପାଇପ୍ ବିଛା କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ କାର୍ଯ୍ୟ ଡିସେମ୍ବର ସୁଦ୍ଧା ସରିବ। ଶେଷ ହୋଇଥିବା ପାଇପ୍ ଲାଇନ୍ଗୁଡ଼ିକରେ କାର୍ଯ୍ୟକ୍ଷମ ପୂର୍ବରୁ ଆବଶ୍ୟକ ଥିବା ପ୍ରି-କମିସନିଂ କାର୍ଯ୍ୟକୁ ତୀବ୍ର କରାଯାଇଛି। ଏବେ ସୁଦ୍ଧା ୧୬୨ କିମି ପାଇପ୍ର ଇ-କମିସନିଂ କାର୍ଯ୍ୟ ଶେଷ ହୋଇଛି। ‘ଜାଇକା’ ଯୋଜନାର ସ୍ଥିତି ସମ୍ପର୍କରେ ବିଧାୟକ ମହମ୍ମଦ ମୋକିମ୍ଙ୍କ ଏକ ପ୍ରଶ୍ନରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି।
କଟକ ସହରରେ ୫ଟି ସ୍ବେରେଜ୍ ଜୋନ୍ରେ ଗୃହ ସ୍ବେରେଜ ସଂଯୋଗ କାର୍ଯ୍ୟ ଚାଲିଛି। ସହରର ପ୍ରାୟ ୨୦% ଗୃହକୁ ସ୍ବେରେଜ ସଂଯୋଗ ହୋଇଛି। ବାକି କାର୍ଯ୍ୟ ଶେଷ କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କଟକ ଡ୍ରେନେଜ୍ ବ୍ୟବସ୍ଥା ଅଧୀନରେ ୧୭.୯୭୪ କିମି ଡ୍ରେନ୍, ୫ଟି ଡ୍ରେନେଜ୍ ପମ୍ପିଙ୍ଗ ଷ୍ଟେସନ, ୭ଟି ସ୍ଲୁଇସ୍ ଗେଟ୍ର ପୁନରୁଦ୍ଧାର ଓ ରେଭିନ୍ୟୁ କଲୋନି ପଣ୍ଡ୍ର ନବୀକରଣ କାର୍ଯ୍ୟ ହେବ। ସେଥିମଧ୍ୟରୁ ୧୫.୫୭୧କିମି ଡ୍ରେନ୍ ନିର୍ମାଣ ସହ ପମ୍ପିଙ୍ଗ ଷ୍ଟେସନ ଓ ସ୍ଲୁଇସ୍ ଗେଟ୍ର ପୁନରୁଦ୍ଧାର ସରିଛି। ବାକି କାର୍ଯ୍ୟ ଡିସେମ୍ବର ଭିତରେ ସରିବ। କଟକର ପଟାପୋଲଠାରୁ ମାତୃଭବନ ମଧ୍ୟରେ ନିର୍ମାଣ ହେବାକୁ ଥିବା ୩.୦୬୭ କିମିର ବକ୍ସ ଡ୍ରେନ୍ ଓ ତାହା ଉପରେ ରାସ୍ତା ନିର୍ମାଣ ପାଇଁ ୨ଟି ଲଟ୍ରେ କାର୍ଯ୍ୟ ଚାଲିଛି। ଏବେ ସୁଦ୍ଧା ଉଭୟ ଲଟ୍ର ସର୍ଭେ, ଅନୁସନ୍ଧାନ ଓ ଡିଜାଇନ୍ କାର୍ଯ୍ୟ ଶେଷ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଲଟ୍-୨ରେ ହେବାକୁ ଥିବା ବକ୍ସ ଡ୍ରେନ୍ ମଧ୍ୟରୁ ୨୨ ମିଟର କାର୍ଯ୍ୟ ଶେଷ ହୋଇଛି। ୨୦୨୩ ଜାନୁଆରି ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଜାଇକା ସହାୟତାରେ ‘ଓଡ଼ିଶା ସମନ୍ବିତ ପରିମଳ ଉନ୍ନତୀକରଣ ପ୍ରକଳ୍ପ’ ଅଧୀନରେ ଭୁବନେଶ୍ବର ଓ କଟକରେ ଶେଷ ହୋଇଥିବା କାର୍ଯ୍ୟ ଲାଗି ୨୪୪୫ କୋଟି ଟଙ୍କାର ବ୍ୟୟ ହୋଇଛି। ଅବଶିଷ୍ଟ କାର୍ଯ୍ୟ ଶେଷ କରିବା ପାଇଁ ଆଉ ୬୧୬ କୋଟି ଟଙ୍କା ସହ ମୂଲ୍ୟ ବୃଦ୍ଧିକୁ ମିଶାଇ ବ୍ୟୟ କରିବାକୁ ସ୍ଥିର କରାଯାଇଛି। ସଂଗୃହୀତ ବର୍ଜ୍ୟଜଳର ବିଶୋଧନ ପାଇଁ ଭୁବନେଶ୍ବର ସ୍ବେରେଜ ଜିଲ୍ଲା-୬ର ରୋକଟରେ ୪୮ ଏମ୍ଏଲ୍ଡି କ୍ଷମତା ବିଶିଷ୍ଟ ଗୋଟିଏ ପରିମଳ ବିଶୋଧନାଗାର ସହ ବିଭିନ୍ନ ସ୍ଥାନରେ ୨୦ଟି ସ୍ବେରେଜ ପମ୍ପିଂ ଷ୍ଟେସନ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରୋକଟସ୍ଥିତ ପରିମଳ ବିଶୋଧନାଗାରର ୭୫% କାର୍ଯ୍ୟ ସରିଛି ଏବଂ ୧୦ଟି ସ୍ବେରେଜ ପମ୍ପିଂ ଷ୍ଟେସନ୍ କାର୍ଯ୍ୟକ୍ଷମ ଅବସ୍ଥାରେ ପହଞ୍ଚିଛି। ସେହିପରି କଟକର ସିଡିଏରେ ୩୬ ଏମ୍ଏଲ୍ଡି ଓ ମତ୍ତଗଜପୁରଠାରେ ୧୬ ଏମ୍ଏଲ୍ଡି କ୍ଷମତା ବିଶିଷ୍ଟ ୨ଟି ବର୍ଜ୍ୟଜଳ ବିଶୋଧନାଗାର ସହ ସହରର ବିଭିନ୍ନ ସ୍ଥାନରେ ୩୬ଟି ସ୍ବେରେଜ୍ ପମ୍ପିଂ ଷ୍ଟେସନ୍ର ନିର୍ମାଣ କାର୍ଯ୍ୟ ଚାଲିଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସମସ୍ତ ପରିମଳ ବିଶୋଧନାଗାର ଓ ପମ୍ପିଂ ଷ୍ଟେସନ୍ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।
ମୁକୁଳା ଡ୍ରେନ୍ରେ ବାରିକେଡ୍ ସୁରକ୍ଷା
ଭୁବନେଶ୍ବର: ମୌସୁମୀ ଆସିବା ପୂର୍ବରୁ ବିଏମ୍ସି ଡ୍ରେନେଜ୍ ଡିଭିଜନ୍ ଅଧୀନରେ ଥିବା ସମସ୍ତ ଡ୍ରେନ୍କୁ ସଫେଇ କରାଯାଇଛି। ଦୁର୍ଘଟଣା ଜନିତ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଜଳମଗ୍ନ ହେଉଥିବା ୩୪ଟି ବିପଦପୂର୍ଣ୍ଣ ସ୍ଥାନରେ ଥିବା ମୁକୁଳା ମୁଖ୍ୟ ଡ୍ରେନ୍ ପାର୍ଶ୍ବରେ ସ୍ଥାୟୀ ଲୁହା ବାରିକେଡ୍, ବାଉଁଶ ବାରିକେଡ୍ ଓ କଂକ୍ରିଟ୍ ପାରାପେଟ୍ ତିଆରି ସହ ସୂଚନାଫଳକ ଲଗାଯାଇଛି। ଏହାବ୍ୟତୀତ ବିଏମ୍ସି ଅଧୀନ ଅଭ୍ୟନ୍ତରୀଣ ଛୋଟ ଓ ମଧ୍ୟମ ଡ୍ରେନ୍ଗୁଡ଼ିକ ଉପରେ କଭର ସ୍ଲାବ ପକାଯାଇଛି। ଭୁବନେଶ୍ବରରେ ମୁକୁଳା ଡ୍ରେନ୍ ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହା କହିଛନ୍ତି।