ଭୁବନେଶ୍ୱର: ମହମ୍ମଦ ଅଲ୍ଲୀ ଜିନ୍ନା ସବୁବେଳେ ସତପଥରେ ଯିବାକୁ ଚାହିଁଥିଲେ। ଏଥିପାଇଁ ସେ ଆତ୍ମବିଶ୍ୱାସର ସହ କାମ କରୁଥିଲେ। ତେଣୁ ଜିନ୍ନା ଅନ୍ୟ ମହାନ ନେତାଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି ‘ଜିନ୍ନା ଅଫନ୍ କେମ୍ ଟୁ ଆଓ୍ଵାର ହାଉସ୍’ର ଔପନ୍ୟାସିକ ଆମ୍ବାସଡର କିରନ ଦୋଶୀ। ‘ସେଣ୍ଟର୍ ଫର୍ ଏସିଆନ୍ ଷ୍ଟଡିଜ୍’ ଏବଂ ‘ଜାତୀୟ ଅଭିଲେଖାଗାର’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବହି ସମ୍ପର୍କରେ ନିଜର ମତ ରଖି ଏଭଳି କହିଛନ୍ତି ଶ୍ରୀ ଦୋଶୀ। ଉପନ୍ୟାସ ପାଇଁ ୨୦୧୬ରେ ‘ଦି ହିନ୍ଦୁ ପ୍ରାଇଜ୍’ରେ ପୁରସ୍କୃତ ହୋଇଥିବା ଏବଂ ଦେଶରେ ସର୍ବାଧିକ ବିକ୍ରି ହୋଇଥିବା ଏହି ପୁସ୍ତକ ସମ୍ପର୍କରେ ମତ ରଖି ଶ୍ରୀ ଦୋଶୀ କହିଥିଲେ ଏହା ଏକ ଐତିହାସିକ ଉପନ୍ୟାସ। ଏଥିରେ ମହାତ୍ମା ଗାନ୍ଧୀ, ବାଲ୍ଗଙ୍ଗାଧର ତିଳକ, ସୁଭାଷ ଚନ୍ଦ୍ର ବୋଷ ଓ ନେହେରୁଙ୍କ ଭଳି ଚରିତ୍ର ଥିବା ବେଳେ ଅନେକ କାଳ୍ପନିକ ଚରିତ୍ର ମଧ୍ୟ ରହିଛନ୍ତି। ଜିନ୍ନା ଏହି ପୁସ୍ତକରେ ମୁଖ୍ୟ ଚରିତ୍ର ହୋଇଥିବା ବେଳେ ତାଙ୍କର ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନଠୁ ରାଜନୈତିକ ଜୀବନ ଏବଂ ପାକିସ୍ତାନର ନେତୃତ୍ୱ ନେବାର କଥାବସ୍ତୁ ରହିଥିବା ସେ କହିଥିଲେ। ମହାତ୍ମା ଗାନ୍ଧୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାଠୁ ନେଇ ପୁସ୍ତକ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ଘଟଣାବଳୀର ଅବତାରଣା କରିଥିଲେ। ପ୍ରଫେସର ଯତୀନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଜିତେନ୍ଦ୍ରନାଥ ମିଶ୍ର ପୁସ୍ତକ ସମ୍ପର୍କରେ ଲେଖକଙ୍କୁ କିଛି ପ୍ରଶ୍ନ ରଖିବା ସହ ଓ ଅବତାରଣା କରିଥିଲେ। ଶାଶ୍ୱତ ମିଶ୍ର ପୁସ୍ତକର ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ସେଣ୍ଟର ଫର୍ ଏସିଆନ୍ ଷ୍ଟଡିଜ୍ର ନିର୍ଦେଶକ ସଂଗ୍ରାମ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜାତୀୟ ଅଭିଲେଖାଗାରର ସହ ନିର୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
‘ଜିନ୍ନା ଅଫନ୍ କେମ୍ ଟୁ ଆଓ୍ଵାର ହାଉସ୍’ ସମ୍ପର୍କରେ ବକ୍ତତା
ଜିନ୍ନା ସବୁବେଳେ ସତ୍ପଥରେ ଯିବାକୁ ଚାହିଁଥିଲେ