ଜିନ୍ଦେଗୀ ଫାଉଣ୍ଡେସନର ୧୪ ଛାତ୍ରଛାତ୍ରୀଙ୍କୁ ନିଟ୍‌

ଭୁବନେଶ୍ବର: ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଭୁବନେଶ୍ବର ଶାଖା ନିର୍ଦେଶକ ଅଜୟ ବାହାଦୂର ସିଂହଙ୍କ ଦ୍ବାରା ପରିଚାଳିତ ଜି‌ନ୍ଦେଗୀ ଫାଉଣ୍ଡେସନର ଛାତ୍ରଛାତ୍ରୀ ଏଥର ବି ସଫଳତା ଦୋହରାଇଛନ୍ତି। ଗତବର୍ଷ ପରି ଏଥର ମଧ୍ୟ ଏଠାକାର ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷାରେ ଏହି କାର୍ଯ୍ୟକ୍ରମରେ ଭଲ ଫଳ କରିଛନ୍ତି। ପରୀକ୍ଷା ଦେଇଥିବା ଫାଉଣ୍ଡେସନର ୧୪ ଜଣ ଯାକ ଛାତ୍ରଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ୧୧ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖି ସରକାରୀ ମେଡିକାଲ କଲେଜରେ ନାମଲେଖା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଶ୍ରୀ ସିଂ କହିଛନ୍ତି। ସିୱାଇଏସ୍‌ଡି ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏଭଳି ସଫଳତା ପରେ ଆଗକୁ ଆହୁରି ଅନେକ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ମେଡିକାଲ କୋଚିଂ ଦେବାକୁ ଲକ୍ଷ୍ୟ ରଖିଛି। ୨୦୧୭ରୁ ଜିନ୍ଦେଗୀ ଫାଉଣ୍ଡେସନ ମାଧ୍ୟମରେ ଓଡ଼ିଶାରେ ଥିବା ଗରିବ ଓ ମେଧାବୀ ପିଲାଙ୍କୁ ମାଗଣାରେ‌ ମେଡିକାଲ କୋଚିଂ ଦେବାକୁ ପ୍ରୟାସ ଜାରି ରହିଛି। ୨୦୧୭ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ ପାସ୍‌ କରିଥିଲେ। ୧୨ ଜଣ ଛାତ୍ରଛାତ୍ରୀ ସରକାରୀ କଲେଜରେ ପଢ଼ିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଏଥର ପରୀକ୍ଷା ଦେଇଥିବା ୧୪ ଜଣ ଯାକ ଛାତ୍ରଛାତ୍ରୀ ସଫଳତାର ସହ ପାସ୍‌ କରିଛନ୍ତି। ଅନିରୁଦ୍ଧ ନାୟକ ୬୧୧ ମାର୍କ ରଖି ୧୮୩୭ ରୢାଙ୍କରେ ରହିଥିବା ବେଳେ ଅବନିକାନ୍ତ ସ୍ବାଇଁ ୫୯୬, ଶୈଳେନ୍ଦୁ ରାଉତ ୫୯୪, ସାଇ ଗୌରବ ମହାପାତ୍ର ୫୮୯, ସୁଧାଂଶୁ ପ୍ରିୟଦର୍ଶିନୀ ୫୭୪, କ୍ରିଷ୍ଣ ମହାନ୍ତି ୫୭୩, ଓମ୍‌ ସିଂ ୫୬୯ ମାର୍କ ରଖିଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ପିଲା ଚୟନ ଲାଗି ଜୁନ୍‌ ୨୩ରେ ପ୍ରବେଶିକା ପରୀକ୍ଷା ହେବ। ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ୍‌ ରୋଜଗାର କରୁଥିବା ଅଭିଭାବକଙ୍କ ପିଲାମାନେ ଏହି ପରୀକ୍ଷାରେ ଆବେଦନ କରିପାରିବେ।

ସମ୍ବନ୍ଧିତ ଖବର