ଇଟାଲି ଫିଲ୍ମ ନିର୍ମାତାଙ୍କ ସହ ମିଶି ଫିଲ୍ମ ନିର୍ମାଣ କଲେ ଓଡ଼ିଆ ପୁଅ ଜିତେନ୍ଦ୍ର

ଭୁବନେଶ୍ବର : କରୋନା ସମୟରେ ମାନବିକତାର କାହାଣୀକୁ ନେଇ ଇଟାଲିଆନ ନିର୍ଦେଶକ ଓ ପ୍ରଯୋଜକ ଉଲିସି ଲେଣ୍ଡାରୋଙ୍କ ନିର୍ମିତ ଚଳଚ୍ଚିତ୍ରରେ ସହ ପ୍ରଯୋଜକ ଦାୟିତ୍ବ ତୁଲାଇଛନ୍ତି ଓଡ଼ିଆ ପୁଅ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଯୋଜକ ଓ ନିର୍ଦେଶକ ଜିତେନ୍ଦ୍ର ମିଶ୍ର। ‘ହ୍ୟୁମାନ୍‌ ଓକ୍‌’ ଶୀର୍ଷକ ଚଳଚ୍ଚିତ୍ରଟି ୧୫ ମିନିଟ୍‌ ଅବଧିର ହୋଇଥିବା ବେଳେ ସମ୍ପୂର୍ଣ୍ଣ ସୁଟିଂ ଇଟାଲିରେ କରାଯାଇଛି। ଏଥିରେ ମାର୍ଚ୍ଚରୁ ଏପ୍ରିଲ୍‌ ପର୍ଯ୍ୟନ୍ତ କୋଭିଡ୍‌-୧୯ ଲକଡାଉନ୍‌ ସମୟରେ ଇଟାଲିର ଭିସେଞ୍ଜା ଓ ଅନ୍ୟ ପ୍ରାନ୍ତର ଦୃଶ୍ୟ ବୟାନ କରାଯାଇଛି। ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ସହ ନିର୍ଦେଶନା ଦେଇଛନ୍ତି ଶ୍ରୀ ଲେଣ୍ଡାରୋ।

‘ଇମ୍ପରଫେକ୍ଟ ଏଜ୍‌‌’ ଫିଚର ଫିଲ୍ମ ପାଇଁ ଜଣାଶୁଣା ଶ୍ରୀ ଲେଣ୍ଡାରୋ ଯେବେ ଏହିଭଳି ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଜିତେନ୍ଦ୍ରଙ୍କୁ ପ୍ରସ୍ତାବ ଦେଲେ ଫିଲ୍ମର ସକାରାତ୍ମକ କାହାଣୀ ଓ ଭାରତ ସହ ଏହି କାହାଣୀର ସମ୍ପର୍କ ବିଷୟରେ ଶୁଣି ଜିତେନ୍ଦ୍ର ଖୁସି ବ୍ୟକ୍ତ କରିଥିଲେ। କରୋନା ଭଳି ଘଡ଼ିସନ୍ଧି ମୁହୂର୍ତରେ ବିଶ୍ବ ଚଳଚ୍ଚିତ୍ର ଶିଳ୍ପରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ପାଇଁ ଏହା ଏକ ସୁଯୋଗ ଥିବାରୁ ଜିତେନ୍ଦ୍ର ପ୍ରଯୋଜନାରେ ସହାୟତା କରିବାକୁ ସମ୍ମତି ଦେଇଥିବା କହିଛନ୍ତି। ଏହି ଚଳଚ୍ଚିତ୍ରଟି କେତେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବା ସହ ଭାରତରେ ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବ। ଫିଲ୍ମର ନିର୍ଦେଶକ ଉଲିସି ଲେଣ୍ଡାରୋ କହିଛନ୍ତି, ଜିତେନ୍ଦ୍ର ମତେ ଏହି ଚଳଚ୍ଚିତ୍ର ପାଇଁ ବହୁତ ଭଳ ପରାମର୍ଶ ଦେଇଛନ୍ତି। ଚଳଚ୍ଚିତ୍ରଟି ଇଟାଲିର ଦୁର୍ଗମ ଅଞ୍ଚଳ ଓ ସହର ବାହାରେ ସୁଟିଂ କରାଯାଇଛି।

ସମ୍ବନ୍ଧିତ ଖବର