ଭୁବନେଶ୍ବର: ଜିତେନ୍ଦ୍ର ମିଶ୍ର। ସିନେମା ଓ ଡକ୍ୟୁମେଣ୍ଟାରି ନିର୍ମାଣ, ବଣ୍ଟନ ଓ ପ୍ରମୋଟର କ୍ଷେତ୍ରରେ ଏକ ପରିଚିତ ନାମ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଶ୍ରୀ ମିଶ୍ର ଅନେକ ଅନ୍ତର୍ଜାତୀୟ ପୁରସ୍କାର ଚୟନ କମିଟିର ଜୁରି ଭାବେ ଦାୟିତ୍ବ ତୁଲାଇଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ରାଧାମାଧବ ମିଶ୍ର ଓ ସୌଦାମିନୀ ମିଶ୍ରଙ୍କ ସୁପୁତ୍ର ଜିତେନ୍ଦ୍ର ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର।
ଚର୍ଚ୍ଚା ହୁଏ ଯେ, ବିଭିନ୍ନ ପୁରସ୍କାର ଚୟନ କମିଟିରେ ସଦସ୍ୟ ରହିଥିବା ଜୁରିମାନେ ଚୟନ ସମୟରେ ପାତରଅନ୍ତର କରିଥାନ୍ତି। ଏନେଇ ଆପଣ କ’ଣ କହିବେ?
- ନା ସେମିତି କିଛି ହୁଏ ବୋଲି ମୁଁ ଭାବୁନି। ଅବଶ୍ୟ କେତେଜଣ ଜୁରି ସଦସ୍ୟ ଅଛନ୍ତି ଯେଉଁମାନଙ୍କର ଏଭଳି ଚିନ୍ତାଧାରା ରହିଥାଇପାରେ। ବଲିଉଡ୍‌ରେ ବି ଏଭଳି ଶୁଣିବାକୁ ମିଳେ। କିନ୍ତୁ ଆଜି ପର୍ଯ୍ୟନ୍ତ ଯେତିକି କମିଟିରେ ରହିଛି କେଉଁଠାରେ ବି ସେମିତି ହୋଇନି। ଅନ୍ତର୍ଜାତୀୟ ପୁରସ୍କାରକୁ ଆସୁଥିବା ଫିଲ୍ମଗୁଡ଼ିକରେ ଏଭଳି ଦେଖିବାକୁ ମିଳେ ନାହିଁ।
ଏମିତି କେବେ ହୋଇନି? ଆପଣ କମିଟିର ଜୁରି ରହିଥିବା ବେଳେ ଆପଣଙ୍କ ଫିଲ୍ମ ସେଠାକୁ ଆସିଥିବ?
-ହଁ। ଅନେକ ଥର ଏମିତି ହୋଇଛି। ଜୁରି କମିଟିରେ ସାମିଲ ହେବା ପାଇଁ ବର୍ଷକ ତଳୁ ନିମନ୍ତ୍ରଣ ଆସିଥାଏ। କମିଟିରେ ରହିବା ପାଇଁ ହଁ ମଧ୍ୟ ମାରିଥାଏ। ପରେ ମୁଁ ସାମିଲ ଥିବା ଫିଲ୍ମ ଆସିଲେ ମଧ୍ୟ ତାହା ସାମିଲ ହୋଇପାରେ ନାହିଁ। ନିରାଶ ହେବାକୁ ପଡ଼େ।
ବର୍ତମାନ ସମୟରେ ଅନ୍ତର୍ଜାତୀୟ ସ୍ତରୀୟ ପୁରସ୍କାରରେ ଭାରତର କେଉଁ ଭାଷାର ସିନେମା ଅଧିକ ସାମିଲ ହେଉଛି?
- ବଙ୍ଗଳା ଓ ମରାଠି ଫିଲ୍ମ ଅଧିକ ସାମିଲ ହେଉଛି। ଏବେ କିଛି ବର୍ଷ ହେଲା ଆସାମୀ ଭାଷାର ସିନେମା ବି ସାମିଲ ହୋଇ ପୁରସ୍କାର ହାତେଇବାରେ ସକ୍ଷମ ହେଉଛି।
ଦେଶର ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ତୁଳନାରେ ଓଡ଼ିଶା ପଛରେ ପଡ଼ିବା ପାଇଁ ସିନେମା ହଲ୍‌ ସଂଖ୍ୟା କମିବା ପ୍ରମୁଖ କାରଣ କି?
- ଓଡ଼ିଶାରେ ସିନେମା ହଲ୍‌ ସ˚ଖ୍ୟା ବଢ଼ିବା କଥା। ଆମେ ଯେତେ ଡିଜିଟାଲାଇଜ୍‌ ହେଲେ ବି ସିନେମା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଘରେ ଏକା ଫିଲ୍ମ ଦେଖିବା ଅପେକ୍ଷା ବହୁ ଲୋକଙ୍କ ଗହଣରେ ହଲ୍‌ରେ ପ୍ରକୃତ ମନୋରଞ୍ଜନ ମିଳିଥାଏ। ସେଠାକୁ ଯିବା ଦ୍ବାରା ପ୍ରାୟ ୩ରୁ ୪ ଘଣ୍ଟା ଲୋକଙ୍କ ସହ କଟେ। ବହୁ କିଛି ଜାଣିବାକୁ ମିଳେ।
ସିନେମା ନୀତି ଦ୍ବାରା ଓଡ଼ିଆ ସିନେମାରେ ଉନ୍ନତି ଆସିବ କି?
- ରାଜ୍ୟ ସରକାର ଯେଉଁ ସିନେମା ନୀତି ଆଣିଛନ୍ତି, ‌ତାହା ଦ୍ବାରା ସିନେମା ଶିଳ୍ପ କିଛିଟା ଉନ୍ନତି କରିବ। ତେବେ ଏଥିରେ ବିଶେଷଜ୍ଞମାନଙ୍କୁ ସାମିଲ କରିବା ଆବଶ୍ୟକ। ଏମିତି ତ ବହୁ ନୀତି ହେଉଛି, କିନ୍ତୁ ଉପଯୁକ୍ତ ପରାମର୍ଶ ମିଳିବା ଦରକାର। ତେବେ ଓଡ଼ିଆ ସିନେମା ଶିଳ୍ପ ଆଗକୁ ବଢ଼ିପାରିବ।
ଓଡ଼ିଶା ତଥା ଓଡ଼ିଆଙ୍କୁ ନେଇ କିଛି ଫିଲ୍ମ ନିର୍ମାଣ କରିବାର ଯୋଜନା ରହିଛି କି?
-ମୋର ପ୍ରତିଟି ପ୍ରୋଜେକ୍ଟରେ ଓଡ଼ିଆ ହିଁ ରହିଛନ୍ତି। ‘ଆଇ ଆମ୍‌ କଲାମ’ ସିନେମାରେ ଓଡ଼ିଶାର ନିର୍ଦେଶକ, ପ୍ରଯୋଜକଙ୍କ ସହ କାମ କରିଥିଲି। ଏଥିରେ ଅର୍ଧାଧିକ ବ୍ୟକ୍ତି ଓଡ଼ିଆ ହିଁ ଥିଲେ। ୨୦୧୯ରେ ଓଡ଼ିଶାରେ ଗୋଟିଏ ପ୍ରୋଜେକ୍ଟ କରିବାକୁ ଯୋଜନା ରହିଛି। ଏଥିପାଇଁ ସ୍କ୍ରିପ୍ଟ ଖୋଜୁଛି। ଏବେ ଦୁଇ ତିନି ଜଣଙ୍କ ସହ ଆଲୋଚନା କରୁଛି। ଯେବେ ବି ଓଡ଼ିଶାରେ ସିନେମା କରିବି ସେଥିରେ ଅଧା ସୁଟି˚ ପଶ୍ଚିମ ଓଡ଼ିଶାରେ କରିବି। ଓଡ଼ିଶାର କଳା ଓ ଖାଦ୍ୟକୁ ନେଇ ସିନେମା କରିବାକୁ ବି ଇଚ୍ଛା ରହିଛି।
ଆଜି ଯେଉଁଠି ପହଞ୍ଚିଛନ୍ତି, ଏହାର ଶ୍ରେୟ କାହାକୁ ଦେବେ?
-ଯେଉଁ ସ୍ଥାନରେ ପହଞ୍ଚିଛି ତାହା ପଛରେ ମୋ ପରିବାର ଓ ଓଡ଼ିଆଙ୍କ ହାତ ରହିଛି। ୨୦୦୦ ମସିହାରେ ଦିଲ୍ଲୀ ଯିବା ସମୟରୁ ହିଁ ଓଡ଼ିଆଙ୍କ ସହଯୋଗ ମିଳିଛି। ସେଠାରେ ଶିବ ନାରାୟଣ ମିଶ୍ରଙ୍କ ଘରେ ରହିଥିଲି। ‘ଆଇ ଆମ୍‌ କଲାମ’ରେ ଆସୋସିଏସଟ୍‌ ପ୍ରଯୋଜକ ଭାବେ କାମ କରିବା ସମୟରେ ଶାନ୍ତନୁ ମିଶ୍ର, ନୀଳମାଧବ ପଣ୍ତାଙ୍କ ସହଯୋଗ ମିଳିଥିଲା। ମୋ ଉପରେ ଓଡ଼ିଆଙ୍କ ହାତ ନ ଥିଲେ ସଫଳତା ପାଇପାରି ନଥାନ୍ତି।
ଆପଣଙ୍କ ଆଗାମୀ ପ୍ରୋଜେକ୍ଟ କ’ଣ?
- ଖୁବ୍‌ଶୀଘ୍ର ‘ଦି ଲାଷ୍ଟ କଲର’ ଆସୁଛି। କାନ୍‌ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହାର ପ୍ରିମିୟର କରାଯିବ। ଜଣେ ବିଧବା ଓ ରାସ୍ତାପାର୍ଶ୍ବରେ ଖେଳ ଦେଖାଉଥିବା ୮ ବର୍ଷ ଝିଅ ମଧ୍ୟରେ କିଭଳି ଭାବେ ସମ୍ପର୍କ ଆଗକୁ ବଢ଼ିଛି ତାହା ଉପରେ କାହାଣୀ ପର୍ଯ୍ୟ‌େବସିତ ହୋଇଛି। ଏଥିରେ ସମ୍ପର୍କ, ପ୍ରତିଶ୍ରୁତି ସହ ମାନବିକତାକୁ ଗୁରୁତ୍ବ ଦିଆଯାଇଛି।

Advertisment

ସାକ୍ଷାତକାର: କେଶବ ପାଣି