ଭୁବନେଶ୍ବର: ଏନ୍କାଉଣ୍ଟର୍ର ଶିକାର ହୋଇଥିବା ଅପରାଧୀ ଜିତେନ୍ଦ୍ର ପଲ୍ଲାଇ ଓରଫ୍ ଜିତୁର କୁଖ୍ୟାତ ଟିଟୋ ଗ୍ୟାଙ୍ଗ୍ ସହ ଲିଙ୍କ୍ ଅଛି। କମିସନରେଟ୍ ପୁଲିସ୍ ହାତରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାତରେ ଲାଗିଛି। ଛୋଟମୋଟ ଚୋରି, ଛିନ୍ତାଇ କରୁଥିବା ଜିତୁ କେବେ ଓ କେମିତି ଟିଟୋ ଗ୍ୟାଙ୍ଗ୍ ସହ କେବେ ଓ କେମିତି ହାତ ମିଳାଇଲା, ତା’ର ଗୁମର ଖୋଲିଛି ପୁଲିସ।
ପୁଲିସ୍ ସୂତ୍ରରୁ ଜଣାଯାଇଛି ଯେ ଜିତୁର ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଭୁବେନଶ୍ବରରେ ବାପାଙ୍କ ଚାକିରି ବେଳେ ଜିତୁ ଏଠାରେ ଏକ ସରକାରୀ ସ୍କୁଲରେ ପାଠ ପଢ଼ୁଥିଲା। କିନ୍ତୁ କୁଃସଙ୍ଗ ପାଇଁ ତା’ ପାଠପଢ଼ାରେ ଅଧାରୁ ଡୋରି ବନ୍ଧା ହୋଇଗଲା। ଛୋଟମୋଟ ଚୋରି, ଛିନ୍ତାଇ କରି ସେ ଅପରାଧ ଦୁନିଆରେ ପାଦ ଦେଲା। ସେଥିରୁ ଯେତିକି ଟଙ୍କା ମିଳୁଥିଲା, ସେଥିରେ ସେ ଖୁସି ରହୁଥିଲା। କିନ୍ତୁ ବଡ଼ ହେବା ସହ ତା’ ଆଶା ବଢ଼ିଲା ଏବଂ ଛୋଟମୋଟ ଚୋରି, ଛିନ୍ତାଇ ଆଉ ତା’ ଆବଶ୍ୟକତା ପୂରଣ କରିପାରିଲା ନାହିଁ। ତେଣୁ ଅପରାଧ ଦୁନିଆରେ କିଛି ବଡ଼ କରିବା ପାଇଁ ଚେଷ୍ଟା ଚଳାଇଥିଲା। ସୁଯୋଗକୁ ଦୁଇ ବର୍ଷ ତଳେ ସେ ଟିଟୋ ଗ୍ୟାଙ୍ଗ୍ ସମ୍ପର୍କରେ ଆସିଥିଲା। ଏହା ପରଠାରୁ ଜିତୁ ଶକ୍ତିଶାଳୀ ହୋଇଯାଇଥିଲା। ବଟି ଆଦାୟ କରିବାଠାରୁ ବୋମାମାଡ଼, ସୁପାରି ନେଇ ହତ୍ୟା ଉଦ୍ୟମ, ବିପକ୍ଷଙ୍କ ଇସାରାରେ ରାଜନୈତିକ ବ୍ୟକ୍ତିଙ୍କୁ ଟାର୍ଗେଟ୍ ଆଦି ସବୁ ଅପରାଧରେ ଲିପ୍ତ ଥିଲା ଜିତୁ। ସୁପାରି ନେଇ ନିଆଳି ଅଞ୍ଚଳର ନୋମିନି ପୁଅଙ୍କୁ ଗୁଳି କରିଥିଲା। ଏହାବ୍ୟତୀତ ଆଖପାଖ ଅଞ୍ଚଳର ବାଲିଘାଟ, ବଡ଼ବଡ଼ ସୋ’ରୁମ୍, ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକଠାରୁ ବି ମୋଟା ରକମର ବଟି ଆଦାୟ କରୁଥିଲା। ଯିଏ ବଟି ଦେବାକୁ ମନା କରୁଥିଲା, ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୋରଜବରଦସ୍ତ ବଟି ଆଦାୟ କରୁଥିଲା।
ଗତ ୧୮ ତାରିଖ ଦିନ ଖାରବେଳନଗର ସୁନା ଦୋକାନରେ ବୋମାମାଡ଼ ଘଟଣାରେ ତା’ର ହାତ ଥିଲା। ଦୋକାନୀ ବଟି ନ ଦେବାରୁ ଟିଟୋ ଗ୍ୟାଙ୍ଗର ଦୁଇ ସଦସ୍ୟ (ନାବାଳକ)ଙ୍କ ଜରିଆରେ ସେ ଏହି ବୋମାମାଡ଼ କରାଇଥିଲା। ପୁଲିସ୍ ସେମାନଙ୍କୁ କାବୁ କରି ବାଳସ୍ବଧାର ଗୃହକୁ ପଠାଇ ସାରିଛି। ତେବେ ଜିତୁ ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରିବାକୁ ପୁଲିସ୍ ପ୍ରକ୍ରିୟା ଆରମ୍ଭ କରିଛି। ଜିତୁ ସହ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଖୋଜିଖୋଜି ଗିରଫ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।
ବସ୍ତିରୁ ହେଉଥିଲା ବ୍ଲୁ-ପ୍ରିଣ୍ଟ
କିଛିବର୍ଷ ତଳେ ଗାଁକୁ ଯାଇ ବିବାହ କରିଥିଲା। ଏହି ସମୟରେ ପୁଲିସ ତାକୁ ଧରିବା ପାଇଁ ବାରମ୍ବାର ପିଛା କରିବାରୁ ସେ ରାଜଧାନୀ ଛାଡ଼ି ଦେଇଥିଲା। ହେଲେ ରାଜଧାନୀରେ ଅପରାଧ କରିବା ପାଇଁ ବିଭିନ୍ନ ସମୟରେ ଏଠାକୁ ଆସୁଥିଲା। ଗୌତମନଗର ବସ୍ତିରେ ଏକ ଘର ଭଡ଼ାରେ ନେଇ ରହୁଥିଲା। ସେହିଠାରୁ ସବୁ ଅପରାଧର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା।
ଭାଗୀରଥି ଗାଡ଼ିକୁ ବ୍ୟବହାର କରୁଥିଲା
ଜିତୁଠାରୁ ଜବତ ହୋଇଥିବା କାର୍କୁ ନେଇ ରହସ୍ୟ ଲାଗି ରହିଥିଲା। କାରଟିର ମାଲିକ କିଏ, ତାହା ଜାଣିବାକୁ ପୁଲିସ ଆର୍ଟିଓକୁ ଚିଠି କରିଥିଲା। ଜଣାଯାଇଛି ଯେ ଉକ୍ତ କାର୍ଟି ଖାରବେଳନଗର ଜୁଏଲାରି ଉପରେ ବୋମାମାଡ଼ର ମାଷ୍ଟରମାଇଣ୍ଡ୍ ଭାଗୀରଥିର। ଭାଗୀରଥି ନିଜ ଲକ୍ଷ୍ୟ ହାସଲ ପାଇଁ ଜିତୁ ସହ ହାତ ମିଳାଇଥିଲା। ଜୁଏଲାରି ମାଲିକ ରମାକାନ୍ତ ମହାରଣାଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ଜିତୁକୁ ସୁପାରି ଦେଇଥିଲା।
୧୯ ବର୍ଷ ତଳେ ଅପରାଧ ଦୁନିଆରେ ପାଦ ଥାପିଥିଲା
୧୯ ବର୍ଷ ତଳେ ଅର୍ଥାତ୍ ୨୦୦୪ ମସିହାରେ ହେମନ୍ତ ଦାସ ସହ ମିଶି ଷ୍ଟ୍ରିଟ୍-କ୍ରାଇମ୍ ଆରମ୍ଭ କରିଥିଲା ଜିତୁ। ପରେ ଘରେ ପଶି ଚୋରି କରିବା, ଦୋକାନ ଭାଙ୍ଗି ଲୁଟିବା ଆଦି ଅପରାଧରେ ସାମିଲ ହୋଇଥିଲା। ଧୀରେ ଧୀରେ ରାଜଧାନୀରେ ମୁଣ୍ଡ ଟେକିଥିବା ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗ ସହ ମିଶି ଲୁଟ୍ପାଟ, ଛିନ୍ତାଇ, ଡକାୟତି, ହତ୍ୟା ଉଦ୍ୟମ, ନିଶା କାରାବର ଭଳି ଅପରାଧ ଘଟାଇଥିଲା। ତେବେ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହ ସେ ବେଶି ଦିନ ରହୁ ନଥିଲା। ଯେତେବେଳେ ଯିଏ ସହଯୋଗ କଲା, ତା’ ସହ ମିଶି ଅପରାଧ ଘଟାଉଥିଲା। କିଛି ବର୍ଷ ତଳେ ଚକରା ବାରିକ, ରବି ରାଓ, ସୁକ ବେହେରା, ବାବୁ ଖାଁ ଭଳି ଅପରାଧୀଙ୍କ ସହ ମିଶି ନିଜର ଶକ୍ତି ଓ ଅପରାଧ ସାମ୍ରାଜ୍ୟରେ ଦବ୍ଦବା ଜାହିର କରିଥିଲା।