ବହୁ ସଂଗିନ୍‌ ମାମଲାରେ ଗିରଫ ହୋଇଥିବା ଖୋର୍ଦ୍ଧା ଦଳେଇପୁଟର ଜିତୁ ମାନସିଂହର ରିମାଣ୍ଡ ଶେଷ, ଜେଲ ଗଲା

ଟାର୍ଗେଟ୍‌ରେ ଟକ୍‌ଲୁ, ସାରା ରାଜ୍ୟକୁ ବ୍ରାଉନସୁଗାର ଚାଲାଣ କରୁଛି

ଭୁବନେଶ୍ବର : ବ୍ରାଉନସୁଗାର କାରବାର, ବେଆଇନ ଖଣି ଖନନ, ଢେଙ୍କାନାଳର ଜଣେ ରାଜନେତାଙ୍କୁ ହତ୍ୟା ଉଦ୍ୟମ ସହ ବିଭିନ୍ନ ଥାନାରେ ୧୩ରୁ ଊର୍ଦ୍ଧ୍ବ ସଂଗିନ୍‌ ମାମଲାରେ ସଂପୃକ୍ତ ଥିବା ଖୋର୍ଦ୍ଧା ଦଳେଇପୁଟର ଜିତେନ୍ଦ୍ର ମାନସିଂହର ରିମାଣ୍ଡ‌ ଅବଧି ଆଜି ଶେଷ ହୋଇଛି। ରିମାଣ୍ଡ ବେଳେ ଜିତୁ ବେଆଇନ ଖଣି ଖନନ ସମ୍ପର୍କରେ ଅନେକ ଗୁଢ଼ ତଥ୍ୟ ଏସ୍‌ଟିଏଫକୁ ପ୍ରଦାନ କରିଛି। ଖଣି ଖନନ ବ୍ୟତୀତ ଖୋର୍ଧାରେ କଭଳି ବ୍ରାଉନସୁଗାର କାରବାର ଚାଲିଛି, ସେ ସମ୍ପର୍କରେ ମଧ୍ୟ ଜିତୁଠାରୁ ବହୁ ତଥ୍ୟ ହାସଲ କରିଛି ଏସ୍‌ଟିଏଫ। ସାରା ରାଜ୍ୟରେ କିଏ ବ୍ରାଉନସୁଗାର କାରବାର କରୁଛି, ସେ ସଂପର୍କରେ ଜିତୁ ବଡ଼ ଖୁଲାସା କରିଛି। ସେ ଏସ୍‌ଟିଏଫକୁ ଦେଇଥିବା ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଟକଲୁ ରାଜା ହିଁ ରାଜ୍ୟରେ ନିଶା କାରାବାରର ମୁଖ୍ୟ। ସେ ବାଂଲାଦେଶରୁ ବ୍ରାଉନସୁଗାର ଆଣି ଖୋର୍ଧା, ଭୁବନେଶ୍ବର, ଚଣ୍ଡି‌ଖୋଲ ସମେତ ଉପକୂଳବର୍ତୀ ଜିଲ୍ଲାକୁ ପଠାଉଛି। ତା’ ଅଧୀନରେ ଛୋଟା, ସେକ୍‌ ରାଜା ଭଳି ୫୦ରୁ ଅଧିକ ଡିଷ୍ଟ୍ରିବ୍ୟୁଟର୍‌ ଅଛନ୍ତି। ସେମାନେ ସାରା ରାଜ୍ୟକୁ ବ୍ରାଉନସୁଗାର ଚାଲାଣ କରୁଛନ୍ତି। ମାସକୁ ଟକଲୁ ପାଖାପାଖି ୫ରୁ ୧୫କୋଟି ଟଙ୍କାର ବ୍ରାଉନସୁଗାର କାରବାର କରିଥାଏ। ଜିତୁଠାରୁ ଏଭଳି ସୂଚନା ପାଇବା ପରେ ଏବେ ଏସ୍‌ଟିଏଫର ଏକ ସ୍ବତନ୍ତ୍ର ଦଳ ଜଳେଶ୍ବର ଯିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ଥରେ ଟକଲୁ ଗିରଫ ହୋଇଗଲେ ରାଜ୍ୟରେ ଚାଲୁଥିବା ନିଶା କାରବାର ୮୫ ପ୍ରତିଶତ କମିଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ତେଣୁ ଟକଲୁକୁ ଗିରଫ କରିବା ଏବେ ଏସ୍‌ଟିଫର ମୁଖ୍ୟ ଲକ୍ଷ୍ୟ ରହିଛି। ଏଥିପାଇଁ ଏସ୍‌ଟିଫ, ବାଲେଶ୍ବର ଓ ଜଳେଶ୍ବର ପୁଲିସ ସହ ସମ୍ପର୍କରେ ଅଛି। ସେ ଜଳେଶ୍ବର ଅଞ୍ଚଳରେ ଦେଖାଯିବା କ୍ଷଣି ଏସ୍‌ଟିଏଫକୁ ସୂଚନା ଦେବାକୁ ମଧ୍ୟ କୁହାଯାଇଛି।

ପ୍ରକାଶ ଥାଉକି, ରିମାଣ୍ଡରେ ଥିବା ଜିତୁ ନାମରେ ଖୋର୍ଦ୍ଧା ଓ ଭୁବନେଶ୍ବରରେ ବ୍ରାଉନସୁଗାର କାରବାର କରୁଥିବା ନେଇ ସହିଦ ନଗର ଥାନାରେ ମାମଲା ରହିଛି। ଦୀର୍ଘ ଦିନ ଧରି ଏସ୍‌ଟିଏଫ୍‌କୁ ଚକ୍‌ମା ଦେବା ପରେ ଗତ ୧୬ତାରିଖ‌‌ରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲା। ତା’ଠାରୁ ଅଧିକ ତଥ୍ୟ ଆଦାୟ କରିବା ପାଇଁ ୫ ଦିନ ରିମାଣ୍ଡରେ ଆଣିବାକୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ଏସ୍‌ଟିଏଫ୍‌ ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟ ଦୁଇ ଦିନ ରିମାଣ୍ଡ ମଞ୍ଜୁର କରିଥିଲେ। ଏହି ମାମଲାରେ ଏସ୍‌ଟିଏଫ୍‌ ପୂର୍ବରୁ ୨୦ ଜଣଙ୍କୁ ଗିରଫ କରି ସାରିଛି। ଜିତୁ ଛୋଟାର ସହଯୋଗୀ ଥିଲା। ଛୋଟା ଗିରଫ ହେବା ପରେ ତା’ ବୟାନକୁ ଆଧାର କରି ଜିତୁକୁ ଏସ୍‌ଟିଏଫ୍‌ ଖୋଜୁଥିଲା। ନିକଟ ଅତୀତରେ ଜିତୁର ଭାଇ ନିତୁ ଏସ୍‌ଟିଏଫ୍‌ ହାତରେ ଧରା ପଡ଼ିଥିଲା।

ସମ୍ବନ୍ଧିତ ଖବର