ଭୁବନେଶ୍ବର: ଏୟାର୍ଫିଲ୍ଡ ଥାନା କୁହା ଗାଁରେ ଘଟିଥିବା ଜିତୁ-ଜୁଲୁ ଡବଲ୍ ମର୍ଡର୍ ମାମଲାର ୨ ଅଭିଯୁକ୍ତ ଗଣେଶ ମଲ୍ଲିକ ଓ ପ୍ରଦୀପ ମଲ୍ଲିକଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଆଜି ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡର( ୭ ତାରିଖ ସନ୍ଧ୍ୟା) ୪ ଦିନ ପରେ ଗତକାଲି ଦୁଇ ଅଭିଯୁକ୍ତ ଗଣେଶ ଓ ପଦିଆକୁ ପୁଲିସ ଗିରଫ କରିଥିଲା। ଗଣେଶକୁ ଚଣ୍ଡୀଖୋଲରୁ ଓ ପଦିଆକୁ ଭୁବନେଶ୍ବର ହଂସପାଳସ୍ଥିତ ଭଉଣୀ ଘରୁ ପୁଲିସ ଉଠାଇଥିଲା।
ଆଜି ସେମାନଙ୍କୁ ହତ୍ୟାକାଣ୍ଡ ସ୍ଥଳ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ନିକଟକୁ ନେବା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଜବତ କରାଯାଇଥିଲା। ହତ୍ୟାକାଣ୍ଡ ପରେ ଗଣେଶ ଘଟଣାସ୍ଥଳୁ ଦୌଡ଼ିଦୌଡ଼ି ପଳାଇଥିଲା ଏବଂ ପଦିଆ ତା’ ବାଇକ୍ ଯୋଗେ ଫେରାର୍ ହୋଇଯାଇଥିଲା। ଜଟଣୀ ଯିବା ବାଟରେ ଗଣେଶ ପାଞ୍ଚଗାଁ ପୋଲ ତଳେ ଛୁରି ପକାଇଦେଇଥିଲା। ଆଜି ପୁଲିସ ପାଣି ଭିତରୁ ଛୁରି ପାଇବା ପରେ ରସାୟନ ପରୀକ୍ଷା(କେମିକାଲ୍ ଏକ୍ଜାମିନେସନ୍) କରାଯାଇଥିଲା। ପରୀକ୍ଷାରୁ ଛୁରିରେ ରକ୍ତକଣିକା ଲାଗିଥିବା ପ୍ରମାଣ ମିଳିଛି। ସେହିଭଳି ପଦିଆ ଲୁଚିଥିବା ଭଉଣୀ ଘରୁ ତା’ ବାଇକ୍ ଜବତ କରାଯାଇଛି। ହତ୍ୟାକାଣ୍ଡ ପରେପରେ ଦୁଇ ଅଭିଯୁକ୍ତ ସେମାନଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଗଣେଶ ଦୌଡ଼ିଦୌଡ଼ି ଜଟଣୀ ଯିବା ବଦଳରେ ରେତଙ୍ଗ ରେଳଷ୍ଟେସନକୁ ପଳାଇଥିଲା। ଜଟଣୀ ଷ୍ଟେସନରେ ପୁଲିସ ଜଗିଥିବା ଆଶଙ୍କାରେ ସେ ରେତଙ୍ଗ ଷ୍ଟେସନ ଯିବା ଯୋଜନା କରିଥିଲା। ତେଣୁ ଗହୀର ଭିତରେ ୫ କିଲୋମିଟର ଚାଲିଚାଲି ସେ ରେତଙ୍ଗରେ ପହଞ୍ଚିଥିଲା ଏବଂ ସକାଳୁ ଟ୍ରେନ୍ ଯୋଗେ ପୁରୀ ପଳାଇଥିଲା। ପୁରୀରେ ୨ ଦିନ ରହିବା ପରେ ସେ ନିଆଳୀ ଫେରିଥିଲା ଏବଂ ସେଠାରୁ ଚଣ୍ଡୀଖୋଲ ପଳାଇଥିଲା। ସେହିଭଳି ପଦିଆ ବାଇକ୍ ଯୋଗେ ହଂସପାଳ ଚାଲିଯାଇଥିଲା। କିନ୍ତୁ ପୁଲିସ ସେମାନଙ୍କ କିଛି ସମ୍ପର୍କୀୟଙ୍କୁ ଜେରା କରି ସେମାନଙ୍କ ଆତ୍ମଗୋପନର ସମ୍ଭାବ୍ୟ ସ୍ଥାନ ବାବଦରେ ଜାଣିବାକୁ ପାଇଥିଲା। ସେସବୁ ସମ୍ପର୍କୀୟଙ୍କ ମୋବାଇଲ୍ ଟ୍ରାକ୍ କରି ପୁଲିସ ୨ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ଯାଇଥିଲା।
ଆପାର୍ଟମେଣ୍ଟରେ କାର୍ ପାର୍କିଂକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା। ପୂର୍ବରୁ ଗଣେଶ ଓ ତା’ର ବଡ଼ବାପା ପୁଅ ପଦିଆ ସହିତ ରଶ୍ମିରଞ୍ଜନ ସେଠୀ ଓରଫ୍ ଜିତୁର ଶତ୍ରୁତା ଥିଲା। ଜିତୁର ଆପରାଧିକ ପୃଷ୍ଠଭୂମିକୁ ନେଇ ଗଣେଶ ଓ ପଦିଆ ତାକୁ ମୁକାବିଲା କରିପାରୁ ନଥିଲେ। ଜିତୁ ନାଁରେ ଏୟାର୍ଫିଲ୍ଡ ଥାନାରେ ଅଧ ଡଜନରୁ ଅଧିକ ମାମଲା ଥିଲା। ଦାଦାବଟି ପାଇଁ ଧମକଚମକ ଦେବା ସହିତ ମାର୍ପିଟ୍ କରିବା ଭଳି ମାମଲା ଥିଲା। ଏମିତିକି ଅଭ୍ୟାସଗତ ଅପରାଧୀ ବୋଲି ପୁଲିସ ତା’ ନାଁରେ ୧୧୦ ଦଫା ଲାଗୁ କରିଥିଲା। ଉକ୍ତ ଆପାର୍ଟମେଣ୍ଟରେ ଜିତୁ ଜୋର୍ଜବରଦସ୍ତ କାର୍ ପାର୍କିଂ କରୁଥିଲା। ଜିତୁର ସାଙ୍ଗ କେନ୍ଦ୍ରାପଡ଼ାର ଜୁଲୁ ଆପାର୍ଟମେଣ୍ଟରେ ଭଡ଼ା ଘର ନେଇ ରହୁଥିଲା। କିନ୍ତୁ ତା’ ଆଳରେ ଜିତୁ ଆପାର୍ଟମେଣ୍ଟ ପାର୍କିଂରେ କାର୍ ରଖୁଥିଲା।
ଏହା ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସୁରକ୍ଷାରେ ବାଧକ ସାଜୁଥିଲା। ମାତ୍ର ଜିତୁ ଡରରେ ସେମାନେ ମୁହଁ ଖୋଲିପାରୁନଥିଲେ। ସେହିଭଳି ଜିତୁ ବଳରେ ବଳୀୟାନ ଜୁଲୁ ଆପାର୍ଟମେଣ୍ଟ ପାଚେରି କଡ଼କୁ ଲଗାଇ ଚିକେନ୍ କାଉଣ୍ଟର ଖୋଲିଥିଲା। ଏହା ଭିତରେ ଆପାର୍ଟମେଣ୍ଟ ପକ୍ଷରୁ ଗଣେଶକୁ ସିକ୍ୟୁରିଟି ସୁପରଭାଇଜର୍ ନିଯୁକ୍ତି ମିଳିଥିଲା। ଆପାର୍ଟମେଣ୍ଟ ପାର୍କିଂରେ କାର୍ ନ ରଖିବାକୁ ସେ ଜିତୁକୁ ଜୋର୍ ଦେଇ କହିଲା। ସେହି ଅଞ୍ଚଳରେ କେହି ବି ଜିତୁ ମୁହଁରେ କଥା କହିବାକୁ ଭୟ କରୁଥିବା ବେଳେ ଗଣେଶ କାର୍ ପାର୍କିଂ ପାଇଁ ମନା କଲା। ଏହା ଜିତୁକୁ ବାଧିଲା। ସେ ଓ ଜୁଲୁ ମିଶି ଗଣେଶକୁ ଚିକେନ୍ ସେଣ୍ଟର୍ରେ ଲାଗିଥିବା ବାଉଁଶ ବହ୍ଲାରେ ପିଟି ପକାଇଲେ। ଆପାର୍ଟମେଣ୍ଟ ସିକ୍ୟୁରିଟି ସୁପରଭାଇଜର୍ ଗଣେଶ ପାଇଁ ଏହା ବଡ଼ ଅପମାନ ଥିଲା। ତେଣୁ ତୁରନ୍ତ ପ୍ରତିଶୋଧ ନେବାକୁ ଭାଇ ପଦିଆକୁ ଫୋନ୍ କଲା। ପଦିଆ ପହଞ୍ଚିବା ମାତ୍ରେ ଦୁଇ ଭାଇ ମିଳିତ ଭାବେ ପ୍ରତିଆକ୍ରମଣ କଲେ। ଗଣେଶ ଜୁଲୁ ଦୋକାନରୁ କୁକୁଡ଼ା କଟା ଛୁରି ନେଇ ସେମାନଙ୍କୁ ଭୁସି ପକାଇଥିଲା।