ଭୁବନେଶ୍ବର: ଝିଅ ନାଚ ଶିଖୁଥିଲା। ନାଚ ବେଳେ ତା’ର ଶାରୀରିକ ନମନୀୟତାକୁ ଦେଖି ନାଚ ଶିକ୍ଷକ କହିଲେ ଜିମ୍ନାଷ୍ଟିକ୍ସ ଶିଖିଲେ ଭଲ ହେବ। ସେତେବେଳେ ଭୁବନେଶ୍ବରରେ ଜିମ୍ନାଷ୍ଟିକ୍ସ କେନ୍ଦ୍ର ନଥିଲା। କଟକରେ ଜଣେ ଶିକ୍ଷକ ଶିଖାଉଥିବା ଶୁଣି ପହଞ୍ଚିଲୁ। କଟକ ସବୁଦିନ ଯିବା ସମ୍ଭବ ନହେବାରୁ ଭୁବନେଶ୍ବରରେ ଶିଖାଇବାକୁ ତାଙ୍କୁ ଅନୁରୋଧ କଲି। ଏହାପରେ ନିଜ ଝିଅ ସହ କିଛି ପିଲାଙ୍କୁ ନେଇ ଭୁବନେଶ୍ବରରେ ୨୦୧୩ରେ ଜେଏମ୍ ଜିମ୍ନାଷ୍ଟିକ୍ସ ଏକାଡେମୀ ଆରମ୍ଭ କଲୁ ବୋଲି କହିଛନ୍ତି ମୀରାରାଣୀ ଦାସ ଓ ଯଶବନ୍ତ ଦାସ। ଏହା ପରଠୁ ଆଉ ପଛକୁ ଅନେଇ ନାହାନ୍ତି ଏହି ଦମ୍ପତି। ଝିଅ ଜେଏମ୍ ରିତିକା ଦାସ ଜାତୀୟସ୍ତରର ପ୍ରତିନିଧିତ୍ବ କରୁଥିଲା ବେଳେ ଏହି ଏକାଡେମୀରୁ ପ୍ରୀତି ଝାଙ୍କର ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି।
ଭୁବନେଶ୍ବରର ଏହା ହେଉଛି ପ୍ରଥମ ଘରୋଇ ଓ ଏକମାତ୍ର ଜିମ୍ନାଷ୍ଟିକ୍ସ ଏକାଡେମୀ। ଏଠାରେ ୪୦ରୁ ଅଧିକ ଜିମ୍ନାଷ୍ଟ ଏବେ ତାଲିମ ନେଉଛନ୍ତି। ଏହି ଏକାଡେମୀରୁ ଅନେକ ଖେଳାଳି ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଥିବା ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଉଚ୍ଚ ଗୁଣବତ୍ତା କେନ୍ଦ୍ର( ଏଚ୍ପିସି) ଓ ଭୁବନେଶ୍ବର, ପୁରୀ, ଜୟପୁର ଓ ରାଉରକେଲାରେ ଥିବା ରାଜ୍ୟ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ସୁଯୋଗ ପାଇଛନ୍ତି। ୨୦୨୩ରେ ଏହି କେନ୍ଦ୍ର ଆରମ୍ଭ ବେଳେ ଜେଏମ୍ ଜିମ୍ନାଷ୍ଟିକ୍ସ ଏକାଡେମୀର ୨୫ ଜଣ ପିଲାଙ୍କୁ ସୁଯୋଗ ମିଳିଥିଲା। ଏବେ ପ୍ରାୟ ୧୫ ଜଣ ଖେଳାଳି ଏଚ୍ପିସି ସହ ରାଜ୍ୟ ତାଲିମ କେନ୍ଦ୍ରରେ ରହିଛନ୍ତି।
ମଞ୍ଚେଶ୍ବର ନିକଟସ୍ଥିତ ସମାଇଗାଡ଼ିଆଠାରେ ଥିବା ଏହି ଏକାଡେମୀରେ ୩ବର୍ଷରୁ ଅଧିକ ବୟସ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେଉଛନ୍ତି। ୧୨ ଜଣରୁ ଆରମ୍ଭ ହୋଇଥିବା ଏହି ଏକାଡେମୀରୁ ୧୨ ବର୍ଷ ମଧ୍ୟରେ ୧୫୦ରୁ ଅଧିକ ଜିମ୍ନାଷ୍ଟ ବାହାରିଲେଣି। କୌଣସି କ୍ରୀଡ଼ା ବ୍ୟାକ୍ଗ୍ରାଉଣ୍ଡ ନଥାଇ ଏତେ ବଡ଼ ସଂସ୍ଥାକୁ ଚଲାଉଥିବା ଏକାଡେମୀର ଅଧ୍ୟକ୍ଷା ମୀରାରାଣୀ ଜିମ୍ନାଷ୍ଟିକ୍ସ ବିଷୟରେ ଜାଣିବାକୁ ବୈଷୟିକ ଅଧିକାରୀ ତାଲିମ ନେଲେ। ପରବର୍ତ୍ତୀ ସମୟରେ ସେ ଏଥିରେ ସଫଳତା ସହ ଉତ୍ତୀର୍ଣ୍ଣ ହୋଇ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଜଜ୍ ଦାୟିତ୍ବ ତୁଲାଇ ସାରିଛନ୍ତି।
ଜେଏମ୍ ଏକାଡେମୀରେ କିଛି ସ୍ବଳ୍ପ ଆଡ୍ମିସନ୍ ଫି ରହିଥିଲା ବେଳେ ମାସକୁ ପ୍ରତି ପିଲା ପ୍ରତି ୨୦୦୦ ଟଙ୍କା ରଖାଯାଇଛି। ହେଲେ ଅର୍ଥିକ ଅନଗ୍ରସର ଥିବା ଇଚ୍ଛୁକ ଖେଳାଳିଙ୍କୁ ମାଗଣା ତାଲିମ ପ୍ରଦାନ କରାଯାଉଛି ବୋଲି କହିଛନ୍ତି ମୀରାରାଣୀ। ଅତ୍ୟାଧୁନିକ ଭିତ୍ତିଭୂମି ଥିବାରୁ ବିଭିନ୍ନ ସମୟରେ ଏଠାରେ ଖେଲୋ ଇଣ୍ଡିଆ, ଜାତୀୟ ବରିଷ୍ଠ ଓ କନିଷ୍ଠ ଏବଂ ପୂର୍ବତଟ ରେଳବାଇର ଜିମ୍ନାଷ୍ଟମାନଙ୍କ ଟ୍ରାଏଲ୍ସ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା, ୪ ବର୍ଷ ହେବ ଲଗାତାର ଅନ୍ତଃସ୍କୁଲ ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା, ୨୦୨୨ରେ ୪୨ତମ ରାଜ୍ୟ ପ୍ରତିଯୋଗିତା ସଫଳତାର ସହ ଏହି ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/05/untitled-5-2025-09-05-07-23-41.jpg)