ଭୁବନେଶ୍ବର: ସରକାରୀ ଚାକିରି ପାଇବାକୁ ଆଶାୟୀମାନେ ଦିନରାତି ଏକ କରି ଦେଉଛନ୍ତି। କିଏ ଗଛ ମୂଳେ ତ ଆଉ କିଏ ପାଠାଗାର ଭିତରେ ଘଣ୍ଟା ଘଣ୍ଟା ପଢ଼ୁଛନ୍ତି। କୋଚିଂ ସେଣ୍ଟରକୁ ଯାଇ ମାସକୁ ମାସ ଫି’ ଗଣୁଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଚାକିରି ଆଶାୟୀ ଭୁବନେଶ୍ବରରେ ସଂଘର୍ଷ କରୁଛନ୍ତି। ଘରୋଇ ଚାକିରି ଆଶାରେ ଅନେକ ପ୍ରତିଦିନ ଏ ଅଫିସ୍ରୁ ସେ ଅଫିସ୍କୁ ଦୌଡ଼ୁଛନ୍ତି। ଆଶାୟୀଙ୍କ ଆଗ୍ରହକୁ ଦେଖି ରାଜଧାନୀରେ ଚାକିରି ଦଲାଲ୍ ହଠାତ୍ ସକ୍ରିୟ ହୋଇଉଠିଛନ୍ତି। ଘରୋଇ କିମ୍ବା ସରକାରୀ ଅଫିସ୍ରେ ଚାକିରି କରାଇଦେବା ଲାଳସା ଦେଖାଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି। ଏଭଳି ଘଟଣା ନିତିଦିନିଆ ହୋଇଯାଇଛି। ସେଥିମଧ୍ୟରୁ କିଛି ଅଭିଯୁକ୍ତ ଧରା ହେଉଥିବା ବେଳେ ଅଧିକାଂଶ ଦଲାଲ୍ଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି। ତାହାର ଫାଇଦା ନେଇ ଦଲାଲ୍ମାନେ ନୂଆ ନୂଆ ଢଙ୍ଗରେ ଆଶାୟୀଙ୍କଠାରୁ ଅର୍ଥ ହଡ଼ପ କରିବାରେ ଲାଗିପଡ଼ିଛନ୍ତି।
ସରକାରୀ ଚାକିରି ଆବେଦନ ବୟସସୀମା ବୃଦ୍ଧି ପ୍ରଲୋଭନ
ଏବେ ସରକାରୀ ଚାକିରି ପାଇଁ ବୟସସୀମା ବୃଦ୍ଧି କରିବାକୁ କହି ଦଲାଲ୍ମାନେ ଟଙ୍କା ଆଦାୟ କରୁଥିବା ଘଟଣା ସାମ୍ନାକୁ ଆସିଛି। ଜଣେ କି ଦୁଇ ଜଣ ନୁହେଁ, ଶତାଧିକ ଆଶାୟୀ ଏଭଳି ଠକାମିର ଶିକାର ହୋଇଛନ୍ତି। ଚାକିରି ବୟସସୀମା ବୃଦ୍ଧି କରିବାକୁ ଛାତ୍ରଛାତ୍ରୀ ଦାବି କରୁଥିବା ବେଳେ ଏହାର ସମାଧାନ କରାଇଦେବାକୁ କହି ଦଲାଲ୍ମାନେ ଟଙ୍କା ଆଦାୟ କରୁଛନ୍ତି। ହ୍ବାଟସ୍ଆପ୍, ଟେଲିଗ୍ରାମ୍ ପରି ସାମାଜିକ ଗଣମାଧ୍ୟମରେ ଗ୍ରୁପ୍ ତିଆରି କରି ସେଥିରେ ଚାକିରି ଆଶାୟୀଙ୍କୁ ଯୋଡ଼ୁଛନ୍ତି। ଆଶାୟୀମାନେ ମଧ୍ୟ ଉତ୍ସାହିତ ହୋଇ ସମସ୍ୟାର ସମାଧାନ ପାଇଁ ଟଙ୍କା ପଠାଇ ଦେଉଛନ୍ତି। ପରବର୍ତ୍ତୀ ସମୟରେ ଟଙ୍କା ନେଇଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରାଗଲେ ମଧ୍ୟ ସେମାନେ ଧରାଛୁଆଁ ଦେଉନାହାନ୍ତି। ଦଲାଲ୍ମାନେ ମୁଖ୍ୟତଃ ଓଡ଼ିଶା ପୁଲିସର ଏସ୍ଆଇ, ଫାୟାରମ୍ୟାନ୍, ପିଏମ୍ଟି ଡ୍ରାଇଭର, ଓଆଇଏସ୍ଏଫ୍, ଆଇଆରବି ସହ ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି ଦ୍ବାରା ଆୟୋଜିତ ହେଉଥିବା ପରୀକ୍ଷାର ଆଶାୟୀମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହାବ୍ୟତୀତ ପରୀକ୍ଷା ବିଳମ୍ବ ହେବା, ପରୀକ୍ଷା ତାରିଖ ପ୍ରକାଶ ନ ପାଇବା ଆଦି ସମସ୍ୟାର ସମାଧାନ କରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ହାତଉଥିବା ଜଣାପଡ଼ିଛି।
ଆଶାୟୀଙ୍କ ଅଭିଯୋଗ ହେଉଛି ଯେ ବୟସସୀମା କୋହଳ କରିଦେବାକୁ କହି ଏକ ଦଲାଲ୍ ଗୋଷ୍ଠୀ ଟଙ୍କା ଆଦାୟ କରୁଛନ୍ତି। ଚାକିରି ଆଶାୟୀମାନଙ୍କ ମୋବାଇଲ୍ ନମ୍ବର ବିଭିନ୍ନ ଆଡ଼ୁ ସଂଗ୍ରହ କରିବା ସହ ଟେଲିଗ୍ରାମ ଓ ହ୍ବାଟସ୍ଆପ୍ ଗ୍ରୁପ୍ ଗଠନ କରି ସେଥିରେ ଯୋଡ଼ୁଛନ୍ତି। କିଛି ଦିନ ଗ୍ରୁପ୍ ଚାଲିବା ପରେ ୨ରୁ ୩ ହଜାର ଟଙ୍କା ମାଗୁଛନ୍ତି। ବେଳେବେଳେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ କହୁଛନ୍ତି। ଏଭଳି ପ୍ରଲୋଭନ ଦେଖିବା ପରେ ଆଗପଛ ବିଚାର ନ କରି ଅର୍ଥ ଦେଇଥିଲୁ। ଏବେ ସେହି ଗ୍ରୁପ୍କୁ ଭାଙ୍ଗି ଦିଆଯାଉଛି। ଠକାମିର ଶିକାର ହେଉଥିବା ଆଶାୟୀମାନେ ଟଙ୍କା ଫେରି ପାଇବା ଆଶାରେ ବାରମ୍ବାର କଲ୍ କିମ୍ବା ମେସେଜ୍ କଲେ ମଧ୍ୟ କେହି ଉତ୍ତର ଦେଉ ନାହାନ୍ତି। ଗ୍ରୁପ୍ର ଯେଉଁ ଆଡମିନ୍ମାନେ ଫୋନ୍ ଉଠାଉଛନ୍ତି ସେମାନେ ବିଭିନ୍ନ ପ୍ରକାର ଧମକପୂର୍ଣ୍ଣ ବାର୍ତ୍ତା ଦେଉଛନ୍ତି। ଏଭଳି ଠକାମି ଦିନକୁ ଦିନ ବଢ଼ୁଥିବାରୁ ପ୍ରଶାସନ, ଚୟନ ଆୟୋଗ ଓ ପୁଲିସ ବିଭାଗ ପଦକ୍ଷେପ ନେବାକୁ ଦାବି କରିଛନ୍ତି।