ଭୁବନେଶ୍ବର: ସିଙ୍ଗାପୁରରେ ଚାକିରି ଦେବା ନାଁରେ କୋଟିଏରୁ ଊର୍ଧ୍ବ ଟଙ୍କା ଠକେଇ ମାମଲାରେ ଆଜି ସହିଦନଗର ଥାନା ପୁଲିସ ‘ଭିଟି ରି‌କ୍ରୁଟ୍‌’ର ମାଲିକ ସମେତ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମଜିଲ୍ଲା ଛତ୍ରପୁର ଅଞ୍ଚଳର ଶ୍ରୀପତି ପାତ୍ର ଓରଫ ଅଜୟ(୩୯) ଓ ସହଯୋଗୀ କଟକ ଜିଲ୍ଲା ଅସୁରେଶ୍ବର ଅଞ୍ଚଳର ମିଲନ କୁମାର ସିଂହ(୨୫)। ତେବେ ପୂର୍ବରୁ ପୁଲିସ ଯାଜପୁର ଟାଉନ୍‌ ଶରିଆପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ସାହୁ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର କମଳଲୋଚନ ଦାସକୁ ଗିରଫ କରିଥିଲା। ଏଯାଏଁ ମାମଲାରେ ୪ଜଣଙ୍କୁ ଗିରଫ କରିସାରିଛି। ହେଲେ ଠକେଇ ପଛର ମାଷ୍ଟର୍‌ମାଇଣ୍ଡ୍‌ କୁହାଯାଉଥିବା ସଞ୍ଜୟ କୁମାର ଓରଫ କୋଲି ସଞ୍ଜିଲାଲ୍‌ କାନବାଇ ଏବେ ବି ଫେରାର୍‌ ଅଛି।
ସୂଚନା ମୁତାବକ, ଗତ ମାର୍ଚ୍ଚ ମାସରେ ସଞ୍ଜୟ ଓ ଶ୍ରୀପତି ଭୁବନେଶ୍ୱରର ଜୟଦେବବିହାରଠାରେ ‘ଭିଟି ରିକ୍ରୁଟ୍‌’ ନାମରେ ଏକ ଇମିଗ୍ରେସନ୍ ପରାମର୍ଶଦାତା ସଂସ୍ଥା  ଆରମ୍ଭ କରିଥିଲେ। ବେକାର ଯୁବକଯୁବତୀଙ୍କୁ ସିଙ୍ଗାପୁରର ବିଭିନ୍ନ ସଂସ୍ଥାରେ ଚାକିରି କରାଇ ଦେବାକୁ ବିଜ୍ଞାପନ ଦେଇଥିଲେ। ଯୁବକଯୁବତୀମାନେ ସେଠାରେ ମାସିକ ୧ଲକ୍ଷରୁ ଅଧିକ ଦରମା ପାଇବେ ବୋଲି ବିଜ୍ଞାପନରେ ଦର୍ଶାଇଥିଲେ। କିଛି ଯୁବକଯୁବତୀ ସେଠାକୁ ଯାଇ ଇଣ୍ଟରଭ୍ୟୁ ଦେଇଥିବା ବେଳେ ସେମାନଙ୍କୁ ଚାକିରି ପାଇଁ ଯୋଗ୍ୟ ବୋଲି ଦର୍ଶାଇଥିଲେ। ବିଶ୍ବାସ ଭାଜନ ପାଇଁ ସିଙ୍ଗାପୁରର ବିଭିନ୍ନ ସଂସ୍ଥାର ଜାଲ୍‌ ନିଯୁକ୍ତିପତ୍ର, ଚୁକ୍ତିପତ୍ର, ସେଠାକାର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଫଟୋ  ଦେଖାଇ ବିଶ୍ବାସ ଭାଜନ ହେଉଥିଲେ। ଏଥିପାଇଁ ୧ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥିଲେ। ଆଶାୟୀମାନେ ପ୍ରଥମେ ନିର୍ମଳ ଓ ମିଲନଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଉଥିଲେ। ପରେ ନିର୍ମଳ ସେହି ଟଙ୍କାକୁ କମଳଙ୍କୁ ପଠାଉଥିଲେ। ଆଉ ଦୁଇ ମୁଖ୍ୟ ଠକ ଶ୍ରୀପତି  ଓ ସଞ୍ଜୟ ସେହି ଆକାଉଣ୍ଟରୁ ଟଙ୍କା ଉଠାଇନେଉଥିଲେ। ଯେଉଁମାନଙ୍କଠାରୁ ଟଙ୍କା ନେଉଥିଲେ ସେମାନଙ୍କୁ ପ୍ରାୟ ୨ହଜାର ଟଙ୍କା ବିମାନ ଟିକେଟ୍ ଦେଉଥିଲେ। ହେଲେ ସିଙ୍ଗାପୁର ଯାତ୍ରା ପାଇଁ କୌଣସି ବୈଧ ଭିସା ପ୍ରଦାନ କରିନଥିଲେ। ବୈଧ ଭିସା ନମିଳିବାରୁ ଆଶାୟୀ ସିଙ୍ଗାପୁର ଯାତ୍ରା କରିପାରିନଥିଲେ। ୫୦ରୁ ଅଧିକ ଯୁବକଯୁବତୀଙ୍କୁ ଚୂନ ଲଗାଇବା ପରେ ଠକଦ୍ବୟ ଫେରାର ହୋଇଯାଇଥିଲେ। ଏନେଇ ଠକାମିର ଶିକାର ହୋଇଥିବା ଅମୂଲ୍ୟ ସ୍ବାଇଁଙ୍କ ସମେତ ୩୦ଜଣ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରିରଖିଥିଲା। ପୂର୍ବରୁ ପୁଲିସ ନିର୍ମଳ ଓ କମଳକୁ ଗିରଫ କରିଥିଲା।