ଭୁବନେଶ୍ବର: ଦିନକୁ ଦିନ ବେକାରି ସମସ୍ୟା ବଢ଼ୁଛି। ଖୁବ୍‌ କମ ପରିମାଣର ସରକାରୀ ଚାକିରି ବାହାରୁଥିବା ବେଳେ ଆଶାୟୀଙ୍କ ସଂଖ୍ୟା ବେଶ୍‌ ଅଧିକ ରହୁଛି। ତେଣୁ ସରକାରୀ ଚାକିରିଟିଏ ପାଇଁ ପ୍ରତିଯୋଗିତା ବଢ଼ିଯାଇଛି। ଫଳରେ ବହୁ ଆଶାୟୀ ଚାକିରି ନପାଇ ହତାଶ ହୋଇପଡ଼ୁଛନ୍ତି। ଏହାର ଫାଇଦା ଉଠାଉଛନ୍ତି ଠକ ରୢାକେଟ୍‌। ଏମିତି ମାଳମାଳ ରୢାକେଟ୍‌ ରାଜଧାନୀରେ ଜାଲ ବିଛାଇଛନ୍ତି। କାରଣ ରାଜଧାନୀରେ ଛତୁ ଫୁଟିବା ଭଳି କୋଚିଂ ସେଣ୍ଟର ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ବିଭିନ୍ନ ଜିଲ୍ଲାରୁ ବେକାର ଯୁବକ ଯୁବତୀମାନେ ରାଜଧାନୀରେ ପ୍ରତିଯୋଗିତା ପାଇଁ କୋଚିଂ ନେଉଛନ୍ତି। ତେଣୁ ରାଜଧାନୀ ହିଁ ଏକମାତ୍ର ସ୍ଥାନ ଯେଉଁଠି ଆଶାୟୀଙ୍କ ସହ ଠକ ରୢାକେଟ୍‌ ସହଜରେ ଯୋଗାଯୋଗ କରିପାରୁଛନ୍ତି। ଠକମାନେ ନିଜକୁ ସରକାରୀ ଅଧିକାରୀ, ପ୍ରଭାବଶାଳୀ ବ୍ୟକ୍ତି ବୋଲି ଜାଲ୍‌ ପରିଚୟପତ୍ର ଦେଖାଇ ହତାଶ ହୋଇପଡ଼ିଥିବା ବେକାରମାନଙ୍କୁ ସହଜରେ ଫସାଉଛନ୍ତି। ଅଥଚ ପୁଲିସ ଏଭଳି ଗ୍ୟାଙ୍ଗ୍‌କୁ ଠାବ କରିପାରୁନାହିଁ। ଆଣ୍ଟି ଫ୍ରଡ୍‌ ସେଲ୍‌ ଭଳି ପୁଲିସ ସଂସ୍ଥା‌ ନିଘୋଡ଼ ନିଦ୍ରାରେ ଶୋଇଥିବା ଅଭିଯୋଗ ହୋଇଆସୁଛି।

Advertisment

ଗତକାଲି ଅର୍ଥାତ୍‌ ସୋମବାର ଦିନ ଇଓଡବ୍ଲୁ ଏକ ବଡ଼ ଠକେଇ ରୢାକେଟ୍‌କୁ ରାଜଧାନୀରୁ ଠାବ କରିଛି। ଦୁଇ ଧୂର୍ତ୍ତ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତିଙ୍କୁ ଗିରଫ କରାଯାଇଛି। ସେମାନେ ନିଜକୁ ବଡ଼ ସାମ୍ବାଦିକ କହି ରାଜ୍ୟର ୪ଶହରୁ ଊର୍ଧ୍ବ ଯୁବକଯୁବତୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏଭଳି ସଂଗିନ୍‌ ରୢାକେଟ୍‌କୁ ଇଓଡବ୍ଲୁ ଠାବ କଲା, ଅଥଚ କମିସନରେଟ୍‌ ପୁଲିସ ତା’ର ପତ୍ତା ପାଇଲା ନାହିଁ। ଠକଙ୍କୁ ଖୋଜିଖୋଜି ଧରିବା ପାଇଁ କମିସନରେଟ୍‌ ପୁଲିସ୍‌ର ଆଣ୍ଟି ଫ୍ରଡ୍‌ ସେଲ୍‌ ଓ ପିଓପିଡି ଟିମ୍‌ ଆଦି ରହିଛି। କିନ୍ତୁ ପ୍ରତିବର୍ଷ ଠକେଇ ଅତ୍ୟନ୍ତ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି। ତେଣୁ ଯେଉଁ ଉଦ୍ଦେଶ୍ୟରେ ଆଣ୍ଟି ଫ୍ରଡ୍‌ ସେଲ୍‌ ଗଠନ ହୋଇଥିଲା, ତାହାକୁ ନେଇ ବୁଦ୍ଧିଜୀବୀ ମହଲ ପ୍ରଶ୍ନ କଲେଣି।

ତଦନ୍ତ ରିପୋର୍ଟ ଦାଖଲରେ ଢ଼ିଲା, ଖସିଯାଉଛନ୍ତି ଅଭିଯୁକ୍ତ

ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାର ୬୦ ଦିନ ମଧ୍ୟରେ କୋର୍ଟରେ ପୁଲିସ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବା କଥା। ଏହାପରେ ନିୟମିତ ବ୍ୟବଧାନରେ କୋର୍ଟରେ ଶୁଣାଣି ବେଳେ ଅନ୍ୟାନ୍ୟ ତଥ୍ୟ ଓ ପ୍ରମାଣ ଦିଆଯିବା କଥା। ମାତ୍ର ନିର୍ଧାରିତ ସମୟରେ ତଥ୍ୟ, ପ୍ରମାଣ ଯୋଗାଡ଼ କରି ପୁଲିସ କୋର୍ଟରେ ଉପସ୍ଥାପନ କରିପାରୁ ନଥିବାରୁ ଅଭିଯୁକ୍ତଙ୍କୁ ସହଜରେ ଜାମିନ୍‌ ମିଳିଯାଉଛି। ଫଳରେ ଅଭିଯୁକ୍ତମାନେ ଜେଲ୍‌ରୁ ବାହାରି ଅଭିଯୋଗକାରୀଙ୍କୁ ବିଭିନ୍ନ ଉପାୟରେ ଧମକଚମକ ଦେଇ ମାମଲାରୁ ଓହରିଯିବାକୁ ଚାପ ପକାଉଛନ୍ତି। ଅନେକ କ୍ଷେତ୍ରରେ ସାକ୍ଷୀମାନଙ୍କୁ ମଧ୍ୟ ଅଭିଯୁକ୍ତମାନେ ପ୍ରଭାବିତ କରିବାରେ ସକ୍ଷମ ହେଉଛନ୍ତି। ସେହିଭଳି ବିଚାର ପ୍ରକ୍ରିୟା ଲମ୍ବା ହେଉଥିବାରୁ ଅନେକ ଅଭିଯୋଗକାରୀ ମାମଲା ରୁଜୁ ପରେ ଅଭିଯୁକ୍ତ ସହ ଆପୋସ ବୁଝାମଣା କରି ଓହରି ଯାଉଛନ୍ତି। ଫଳରେ ଅଭିଯୁକ୍ତମାନେ ବାରମ୍ବାର ଠକେଇ କରିବାକୁ ସାହସ କରୁଛନ୍ତି।

କନ୍‌ସଲଟାନ୍ସି ଉପରେ ରହୁନି ନିୟନ୍ତ୍ରଣ

ରାଜଧାନୀରେ ବିଭିନ୍ନ ଜାଗାରେ କିଛି ଦଲାଲ୍ମାନେ କନ୍‌ସଲଟାନ୍ସି ଖୋଲି ଚାକିରି ଦେବା ନାଁରେ ବିଜ୍ଞାପନ ଦେଉଛନ୍ତି। ନିୟମ ଦୃଷ୍ଟିରୁ ଏଭଳି ସଂସ୍ଥା ସ୍ଥାନୀୟ ପୁଲିସକୁ ଅବଗତ କରାଇବା କଥା। ପୁଲିସ ମଧ୍ୟ ନିଜ ଅଞ୍ଚଳରେ ଖୋଲୁଥିବା ଏଭଳି ସଂସ୍ଥା ଉପରେ ନଜର ରଖି ନିୟମିତ ବ୍ୟବଧାନରେ ଯାଞ୍ଚ କରିବାର ନିୟମ ରହିଛି। ମାତ୍ର ପୁଲିସ ଅବହେଳାରୁ ଏହି ସଂସ୍ଥାଗୁଡ଼ିକ ବର୍ଷବର୍ଷ କାଳ ଡେରା ପକାଇ ଲୋକଙ୍କୁ ଠକୁଛନ୍ତି। ବଡ଼ରକମର ଟଙ୍କା ଠକିନେବା ପରେ ରାତାରାତି ଉଭାନ୍‌ ହୋଇଯାଉଛନ୍ତି। ସଂସ୍ଥା ବିରୋଧରେ ଅଭିଯୋଗ ହେଲା ବେଳକୁ ପୁଲିସ ଆଉ ଅଭିଯୁକ୍ତ କିମ୍ବା ସଂସ୍ଥା ବାବଦରେ ବିନ୍ଦୁବିସର୍ଗ ପାଉନାହିଁ।