ଚାକିରି ସରକାରୀ, ପେନସନ୍ ବେସରକାରୀ: ଚାକିରି ପରେ ମିଳୁଛି ମାତ୍ର ୩୫୦୦ଟଙ୍କା ପେନସନ୍

ସିଲିଙ୍ଗ୍‌ ବ୍ୟବସ୍ଥା ଉଠାଇ ପେ’ ଏବଂ ଡିଏର ୧୨% କଟାଯାଉ

ଭୁବନେଶ୍ବର: ଚାକିରି କରିବା ବେଳେ ସରକାରୀ ନିୟମ ଅନୁଯାୟୀ ନିଯୁକ୍ତି ମିଳିଲା। ସରକାରୀ କର୍ମଚାରୀଙ୍କ ଭଳି ବେତନ ବି ମିଳୁଛି। ଯେତେବେଳେ ଯେଉଁ ବେତନ କମିସନ ରାଜ୍ୟ ସରକାର ଲାଗୁ କରୁଛନ୍ତି ସେତେବେଳେ ବି ସେମାନଙ୍କ କ୍ଷେତ୍ରରେ ସେହି ବେତନ ବ୍ୟବସ୍ଥା ଲାଗୁ ହେଉଛି। କିନ୍ତୁ ଚାକିରି ସରିଲା ବେଳକୁ ପେନସନ୍ ମିଳୁଛି ବେସରକାରୀ ସଂସ୍ଥାରୁ ଅବସର ନେବା ଭଳି। ଏହିଭଳି ଅବସ୍ଥା ଏବେ ବିଡିଏ କର୍ମଚାରୀଙ୍କର। ଯାହାକୁ ନେଇ ଏବେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି।

୧୯୮୨ ମସିହାରେ ବିଡିଏ ଗଠନ ହୋଇଥିବା ବେଳେ ଯେଉଁ ନିୟମ ହୋଇଥିଲା, ୩୭ ବର୍ଷ ପରେ ବି ସେହି ନିୟମରେ ପେନସନ୍ ମିଳୁଛି। ବିଡିଏ ପାଇଁ ଅଧିକାଂଶ ସମୟରେ କର୍ମଚାରୀଙ୍କୁ ବେତନ ଦେବା ଚିନ୍ତାଜନକ ହୋଇପଡ଼ୁଥିବାରୁ ପେନସନ୍ ନିୟମ ବଦଳାଇବା ଚିନ୍ତା କିଏ କରୁଛି ବୋଲି କର୍ମଚାରୀମାନେ କହିଛନ୍ତି। ଏପରିକି ବିଡିଏ କର୍ମଚାରୀଙ୍କ ପେନସନ୍ ନିୟମରେ ସଂଶୋଧନ ଆଣିବା ପାଇଁ ବିଡିଏ ଉପାଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ବିଡିଏ ଅଧ୍ୟକ୍ଷ, ନଗର ଉନ୍ନୟନ ବିଭାଗ ସଚିବ, ମୁଖ୍ୟ ଶାସନ ସଚିବ ନଗର ଉନ୍ନୟନ ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳୁନି। ସମସ୍ତେ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ନିୟମରେ ସଂଶୋଧନ ହେଉନି। ଏପରିକି ନଗର ଉନ୍ନୟନ ବିଭାଗ ଏବେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଥିବା ବେଳେ ବି ବିଭାଗୀୟ ଅଧିକାରୀମାନେ ଏହାକୁ ଝୁଲାଇ ରଖିଥିବାରୁ ନିୟମରେ ସଂଶୋଧନ ହୋଇପାରୁନି। ଯେଉଁଥିପାଇଁ ବିଡିଏ କର୍ମଚାରୀମାନେ ଅବସର ପରେ ବହୁ କଷ୍ଟରେ ପରିବାର ଚଳାଉଛନ୍ତି। ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ୍‌ର କହିବାନୁଯାୟୀ, ବିଡିଏ କର୍ମଚାରୀ ଯେହେତୁ ସରକାରୀ କର୍ମଚାରୀଙ୍କ ଦରମା ହାରର (ପେ ଏବଂ ଡିଏ)ରେ ଅଛନ୍ତି, ହେଲେ ସେମାନଙ୍କର ଦରମାରୁ୧୨% ଅର୍ଥ ନ କଟି ସିଲିଙ୍ଗ୍‌ ବ୍ୟବସ୍ଥାରେ କଟୁଛି। ତେଣୁ କର୍ମଚାରୀମାନେ ଅବସର ପରେ କମ୍‌ ଦରମା ପାଉଛନ୍ତି। ଏବେ ସରକାର ବିଡିଏ କର୍ମଚାରୀଙ୍କୁ ଏମ୍ପ୍ଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ୍‌ରୁ ପେନସନ୍ ଦେଉଛନ୍ତି। ସେ ବ୍ୟବସ୍ଥାରେ ବିଡିଏରୁ ଅବସର ନେଉଥିବା ଜଣେ କର୍ମଚାରୀ ମାତ୍ର ୨୦୦୦ଟଙ୍କା ପାଉଛନ୍ତି ଏବଂ ଗ୍ରୁପ୍ ଏଲ୍‌ଆଇସି ସ୍କିମ୍‌ରୁ ୧୫୦୦ଟଙ୍କା ଅବସର ପରେ ମିଳୁଛି। ଏହିପରି ଭାବେ ଅବସର ପରେ ମାତ୍ର ୩,୫୦୦ଟଙ୍କା ପେନସନ୍ ଆକାରରେ ମିଳୁଛି। ବର୍ତ୍ତମାନ ଏମ୍ପ୍ଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ୍‌ରେ ଦୁଇ ପ୍ରକାରର ପେନସନ୍‌ ବ୍ୟବସ୍ଥା ରହିଛି।

ପ୍ରଥମ ବ୍ୟବସ୍ଥାରେ ଯେଉଁ ସଂସ୍ଥା ସରକାରୀ ଦରମା ହାର ଅନୁଯାୟୀ ପେ’ ଷ୍ଟ୍ରକଚର୍‌ରେ ଅଛନ୍ତି। ସେମାନଙ୍କର ପେ’ ଏବଂ ଡିଏର ୧୨% ଅର୍ଥ କଟିବ। ‌ସେମାନଙ୍କୁ ସରକାରୀ କର୍ମଚାରୀଙ୍କ ପେନସନ୍ ହାରରେ ପେନସନ୍ ମିଳିବ। ଦ୍ବିତୀୟ ବ୍ୟବସ୍ଥାରେ ବେସରକାରୀ ବା ପ୍ରାଇଭେଟ୍‌ ସଂସ୍ଥା ସେମାନଙ୍କର ସିଲିଙ୍ଗ୍‌ ବ୍ୟବସ୍ଥା ବା ସ୍ବଳ୍ପ ବ୍ୟବଧାନରେ ଅର୍ଥ କଟିବ। ସେମାନଙ୍କୁ ଅଣସଂଗଠିତ ହାରରେ ପେନସନ୍ ମିଳିବ। ରାଜ୍ୟ ସରକାର ପ୍ରଥମ ବ୍ୟବସ୍ଥାକୁ ଲାଗୁ ନକରି ଦ୍ବିତୀୟ ବ୍ୟବସ୍ଥାକୁ ଲାଗୁ କରୁଥିବାରୁ କର୍ମଚାରୀମାନେ କମ୍‌ ପେନସନ୍ ପାଉଛନ୍ତି। ଏହି ବିଷମତା ଦୂର କରିବା ପାଇଁ ରାଜ୍ୟ ସରକାର ବିଡିଏ କର୍ମଚାରୀମାନଙ୍କ ଦରମାରୁ ସିଲିଙ୍ଗ୍ ବ୍ୟବସ୍ଥାରେ ଅର୍ଥ କଟୁଥିବା ସମୟରୁ ୧୨% ଅର୍ଥ କାଟିବାର ବ୍ୟବସ୍ଥା କଲେ ସରକାରୀ ପେନସନ୍ ପାଇପାରନ୍ତେ। ତେଣୁ ତୁରନ୍ତ ଏହି ବ୍ୟବସ୍ଥା ନକଲେ କର୍ମଚାରୀମାନେ ପରବର୍ତ୍ତୀ ସମୟରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଲେଣି।

ସମ୍ବନ୍ଧିତ ଖବର