ନିଯୁକ୍ତି ଦୁର୍ନୀତି ଜଳଜଳ: ବିଳମ୍ବିତ ପ୍ରକ୍ରିୟାରୁ ବିରଞ୍ଚିଙ୍କୁ ଫାଇଦା!

ବର୍ଷବର୍ଷ ପରେ ହେଉଛି ପରୀକ୍ଷା; ବହୁ ବିଳମ୍ବରେ ବାହାରୁଛି ଫଳ

ନିଯୁକ୍ତି ପ୍ରକ୍ରିୟାରେ ଶତ ପ୍ରତିଶତ ସ୍ବଚ୍ଛତା ରହିଛି: ଅଧ୍ୟକ୍ଷ

ଭୁବନେଶ୍ବର,(ଶୁଭକାନ୍ତ ପଢ଼ିଆରୀ): ରାଜ୍ୟ ଗୃହ ବିଭାଗର ଜୁନିଅର ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ୨୦୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ ବର୍ଷ ପରେ ଗତ ଜାନୁଆରିରେ ପ୍ରକାଶ ପାଇଥିଲା ପରୀକ୍ଷା ଫଳ। କିଛି ଆଇନଗତ ସମସ୍ୟା ଯୋଗୁଁ ବିଳମ୍ବ ହେଲା ବୋଲି କୁହାଗଲା। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍ କମିସନ୍‌ ଦ୍ବାରା ପରିଚାଳିତ ଏମିତି ଅନେକ ନିଯୁକ୍ତି ପରୀକ୍ଷା ପ୍ରକ୍ରିୟା ବର୍ଷବର୍ଷ ଧରି ଚାଲୁଛି। କେଉଁଠି ୪ ବର୍ଷ ତ ଆଉ କେଉଁଠି ୫ ବର୍ଷ। ଏମିତି ବିଳମ୍ବିତ ନିଯୁକ୍ତି ପ୍ରକ୍ରିୟା ଓଏସ୍‌ଏସ୍‌ସିର ‌ବିରଞ୍ଚି ସାହୁଙ୍କ ଭଳି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ସୁହାଉଛି। ଆଉ ସେମାନେ ଚାକିରି ଆଶାୟୀଙ୍କ ଉପରେ ଥୋପ ପକାଇ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ଆଦାୟ କରୁଥିବା ସନ୍ଦେହ କରାଯାଉଛି।

ବିରଞ୍ଚିଙ୍କ ଘରୁ କେ‌ବଳ କୋଟିକୋଟି ଟଙ୍କାର ସମ୍ପତ୍ତି ନୁହେଁ, ବିଭିନ୍ନ ପରୀକ୍ଷାର ପୁଳାପୁଳା ଆଡମିଟ୍ କାର୍ଡ ମିଳିଛି। ଗତ କିଛି ମାସ ମଧ୍ୟରେ ଏକାଧିକ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ଫଳ ମଧ୍ୟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କଠାରୁ ସେ ଟଙ୍କା ଆଦାୟ କରିଥିବା ଅଭିଯୋଗ ହେବା ପରେ ନିଯୁକ୍ତି ଦୁର୍ନୀତି ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ସେମାନଙ୍କ ଚାକିରି ଟଙ୍କା ଦେଇ ଆଉ କିଏ ନେଇ ଯାଉଛି ବୋଲି ସନ୍ଦେହ କରୁଛନ୍ତି ଆବେଦନକାରୀ। ଏପରିକି ଯେଉଁମାନେ ଚୂଡ଼ାନ୍ତ ତାଲିକାରୁ କଟି ଯାଉଛନ୍ତି ସେମାନଙ୍କର ପରୀକ୍ଷା ଫଳ ସାର୍ବଜନୀନ କରିବା ପାଇଁ ବାଦ୍ ପଡ଼ିଥିବା କେତେକ ଆଶାୟୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଓଏସଏସସି ଅଧ୍ୟକ୍ଷ ନିର୍ମଳ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି; ନିଯୁକ୍ତି ପ୍ରକ୍ରିୟାରେ ଶତ ପ୍ରତିଶତ ସ୍ବଚ୍ଛତା ଅବଲମ୍ବନ କରାଯାଉଛି। ଯିଏ ବି ଚାକିରି ପାଉଛନ୍ତି ଯୋଗ୍ୟତା ଭିତ୍ତିରେ ପାଉଛନ୍ତି।

ସଢ଼ୁଙ୍କ ଘରୁ ମିଳିଥିଲା ନଗଦ ୧୩ ଲକ୍ଷ, ଆକାଉଣ୍ଟରୁ ମିଳିଲା ୩ ଶହ
କୁବେର କର୍ମଚାରୀ ବିରଞ୍ଚିଙ୍କ ରାକେଟ୍‌ରେ ତାଙ୍କ ସଢ଼ୁ ମନୋରଞ୍ଜନ ସାହୁ ଥିଲେ ଅନ୍ୟତମ ପ୍ରମୁଖ। ଯାହା ଭିଜିଲାନ୍ସ ଜାଣିବାକୁ ପାଇଛି। ବିରଞ୍ଚିଙ୍କ ଘରଠାରୁ ମନୋରଞ୍ଜନ ଅଳ୍ପ ଦୂର ଭକ୍ତିନଗରରେ ରହୁଥିଲେ। ବିରଞ୍ଚିଙ୍କ ପାଖକୁ ଯେଉଁ ଟଙ୍କା ଆସେ ସେ ସେଥିରୁ ଅଧା ମନୋରଞ୍ଜନଙ୍କ ପାଖକୁ ପଠାଇ ଦିଅନ୍ତି। ପତ୍ନୀଙ୍କ ନାଁରେ ମଧ୍ୟ ଟଙ୍କା ଓ ସମ୍ପତ୍ତି କରି ଦିଅନ୍ତି। ବହୁ ବର୍ଷ ଧରି ଏମିତି ଚାଲିବା ପରେ ଏବେ ପର୍ଦ୍ଦାଫାସ୍ ହୋଇଛି। ଚଢ଼ଉବେଳେ ମନୋରଂଜନଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ବାହାରିଥିଲା। କିନ୍ତୁ ଏବେ ମନୋରଞ୍ଜନଙ୍କ ଆକାଉଣ୍ଟରୁ ମାତ୍ର ୩ ଶହ ଟଙ୍କା ଥିବା ଜଣାପଡ଼ିଛି। ସେ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିଲେ ମଧ୍ୟ ଆକାଉଣ୍ଟରେ ମାତ୍ର ତିନି ଶହ ଟଙ୍କା କେମିତି ରହିଛି ତାହା ଆଶ୍ଚର୍ଯ୍ୟ କରିଛି। ଏହି ଦୁଇ ଦିନ ଭିତରେ ସେ ଅନଲାଇନ୍ ବ୍ୟାଙ୍କିଙ୍ଗରେ ବିପୁଳ ଟଙ୍କା ଟ୍ରାନ୍ସଫର୍ କରି ଦେଇଥିବା ସନ୍ଦେହ କରାଯାଉଛି। ଅଧିକ ଖୋଳତାଡ଼ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ।

ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ରୁଦ୍ଧଦ୍ବାର ବୈଠକ: ବିରଞ୍ଚି ରିମାଣ୍ଡ୍‌ରେ ଆସିବେ; ପତ୍ନୀ ଓ ସଢ଼ୁଙ୍କ ସହ ମୁହାଁମୁହିଁ ଜେରା ହେବ
ଭୁବନେଶ୍ବର : ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ଦୁର୍ନୀତିର ଗୁମର ଫିଟାଇବା ପାଇଁ ତନାଘନା ଚଳାଇଛି ଭିଜିଲାନ୍ସ। ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ତାଙ୍କ ପତ୍ନୀ ଓ ସଢ଼ୁଙ୍କ ସହ ମୁହାଁମୁହିଁ ଜେରା କରିବାକୁ ତଦନ୍ତକାରୀ ଟିମ୍ ଯୋଜନା କରିଛି। ଏଥିପାଇଁ ଆସନ୍ତାକାଲି କୋର୍ଟରେ ବିରଞ୍ଚିଙ୍କ ରିମାଣ୍ଡ ଆବେଦନ ହୋଇପାରେ ବୋଲି ଜଣାପଡ଼ିଛି।

ନିଯୁକ୍ତି ପରୀକ୍ଷା ଦୁର୍ନୀତି ଓ ଚାକିରି ବିକ୍ରି ନେଇ ସନ୍ଦେହ ଘେରକୁ ଆସିଥିବା ବିରଞ୍ଚିଙ୍କ ବିରୋଧରେ ଖୋଳତାଡ଼ ଆରମ୍ଭ ହୋଇଛି। ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ଵନ୍ତ ଜେଠଓ୍ଵା ସୋମବାର ଅପରାହ୍ନରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ବିରଞ୍ଚିଙ୍କ ମାମଲାର ସମୀକ୍ଷା କରିଛନ୍ତି। ଦୀର୍ଘ ଦୁଇ ଘଣ୍ଟା କାଳ ଏସ୍‌ପିଙ୍କ ଚାମ୍ବରରେ ରୁଦ୍ଧଦ୍ବାର ବୈଠକ ବସିବା ସହ ଆଗକୁ କେଉଁ କେଉଁ ଦିଗ‌ରେ ତଦନ୍ତ ହେବ ସେ ନେଇ ଆଲୋଚନା କରିଛନ୍ତି। ଏହି ମାମଲାକୁ ଗୁରୁତ୍ବର ସହ ଗ୍ରହଣ କରାଯାଇଥିବା ବେଳେ ବିରଞ୍ଚିଙ୍କ ନିକଟରୁ କେମିତି ଏତେ ନଗଦ ଟଙ୍କା ଆସିଲା, ବେଆଇନ ଆୟର ଉତ୍ସ କଣ, ବିରଞ୍ଚିଙ୍କ ପତ୍ନୀ ଓ ସଢ଼ୁଙ୍କ ନାଁରେ କେତେ ସମ୍ପତ୍ତି ରହିଛି, ଏସବୁର ଟିକିନିଖି ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଥିବା ଜଣାପଡ଼ିଛି। ତଦନ୍ତ ପରେ ବିରଞ୍ଚିର ଦୁର୍ନୀତି ତଥା କଳା ସାମ୍ରାଜ୍ୟ ଉପରୁ ପରଦା ହଟିବ ବୋଲି ଭିଜିଲାନ୍ସ ଆଶା ରଖିଛି।

ସମ୍ବନ୍ଧିତ ଖବର