ଆସୁଛନ୍ତି ମା’, ଝଲସିବ ଯୋଧପୁର ପ୍ରାସାଦ

ସରିଛି ଅଗ୍ରପୂଜ୍ୟ ପାର୍ବତୀନନ୍ଦନଙ୍କ ପୂଜା। ସରିଆସୁଛି ବର୍ଷା। ଶରତ ଋତୁ ଆଗମନର ଝଲକ ବାରି ହୋଇଗଲାଣି। ଆକାଶରେ ଖଣ୍ଡଖଣ୍ଡ ଧଳା ମେଘ ଭାସିବା ଆରମ୍ଭ କରିଥିବା ବେଳେ ଧରାପୃଷ୍ଠରେ ନଦୀତଟରେ କାଶତଣ୍ଡୀର ସମ୍ଭାର ସଜେଇ ହେଲାଣି। ଉତ୍ତର ଦିଗରୁ ବହିଲାଣି ମୃଦୁ ଶୀତଳ ପବନ। ଏସବୁ ପ୍ରାକ୍‌ ସୂଚନାରୁ ଭାସିଆସୁଛି ମା’ ମହାମାୟାଙ୍କ ଆଗମନର ମହକ। ତେଣୁ ମା’ ଦୁର୍ଗତିନାଶିନୀଙ୍କ ପୂଜା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ମା’ ଦୁର୍ଗାଙ୍କୁ ଆବାହନ କରିବାକୁ ସବୁ ମହଲରେ ଆନନ୍ଦ ହିଁ ଆନନ୍ଦ। କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ମା’ଙ୍କ ପୂଜା କେବଳ ବିଧିରେ ସମ୍ପନ୍ନ ହୋଇଥିଲା। ଭକ୍ତଙ୍କ ପାଇଁ ନଥିଲା ଦର୍ଶନ ଯୋଗ। କିନ୍ତୁ ଚଳିତ ବର୍ଷ ହଟିଛି କଟକଣା। ତେଣୁ ଭକ୍ତର ବ୍ୟାକୁଳତା ବଢ଼ିଛି। ମା’ଙ୍କୁ ଆଖି ପୂରାଇ ଦେଖିବା ସହ ଭକ୍ତି ଅର୍ଘ୍ୟ ଅର୍ପଣ କରିବା ପାଇଁ ତା’ର ଉତ୍କଣ୍ଠାର ସୀମା ନାହିଁ। ଏଥର ରାଜଧାନୀରେ ୧୭୮ ମଣ୍ଡପରେ ବିରାଜିବେ ମା’। ତେଣୁ ଏବେଠୁ ପୂଜା ମଣ୍ଡପଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଛି ଅଘୋଷିତ ପ୍ରତିଯୋଗିତା। ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ କରି ଆଗରେ ରହିବାକୁ ଚାଲିଛି ଭିତିରି ପ୍ରସ୍ତୁତି। ଅକ୍ଟୋବର ୩ରେ ପଡ଼ୁଛି ମହାଦୁର୍ଗାଷ୍ଟମୀ। ତେବେ ମା’ ଦଶଭୂଜାଙ୍କ ପୂଜା ବିଧି ଆରମ୍ଭ ହେବ ପବିତ୍ର ଷଷ୍ଠୀ ତିଥିରୁ। ଏଥର ରାଜଧାନୀର ବିଭିନ୍ନ ମଣ୍ଡପରେ ଚାଲିଥିବା ଏହି ସମସ୍ତ ପ୍ରସ୍ତୁତିକୁ ନେଇ ‘ସମ୍ବାଦ’ର ଉପସ୍ଥାପନା।

ତିଆରି ହେବ ୮୦ଫୁଟ୍ ଉଚ୍ଚତାର ତୋରଣ, ବରମୁଣ୍ଡା ଦୁର୍ଗାପୂଜା କମିଟି

ଭୁବନେଶ୍ବର: ରାଜଧାନୀରେ ଝଲସିବ ରାଜପୁତ୍‌ଙ୍କ ଐତିହ୍ୟ। ଦୁର୍ଗାପୂଜାରେ ରାଜସ୍ଥାନର ଦ୍ବିତୀୟ ବୃହତମ ସହର ଯୋଧପୁରରେ ଥିବା ଯୋଧପୁର ପ୍ୟାଲେସ ଦେଖିବାକୁ ମିଳିବ। ବରମୁଣ୍ଡା ଦୁର୍ଗାପୂଜା କମିଟି ଚଳିତବର୍ଷ ଦୁର୍ଗାପୂଜାରେ ରାଜପୁତ୍‌ଙ୍କ ରାଜପ୍ରାସାଦ ପ୍ରତିକୃତି ନିର୍ମାଣ କରିବ। ପ୍ରାୟ ୧୨୦ଫୁଟ୍ ଓସାର ଓ ୮୦ଫୁଟ୍ ଉଚ୍ଚତା ବିଶିଷ୍ଟ ଯୋଧପୁର ରାଜପ୍ରାସାଦର ମଡେଲ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ପଶ୍ଚିମବଙ୍ଗର ମେଦିନିପୁରରୁ ଆସିଥିବା ୪୦ କାରିଗର ତୋରଣ ନିର୍ମାଣ ଆରମ୍ଭ କରିଛନ୍ତି।

୨୩ବର୍ଷରେ ପଦାର୍ପଣ କରୁଥିବା ବରମୁଣ୍ଡା ଦୁର୍ଗାପୂଜା କମିଟି ଚଳିତ ବର୍ଷ ଜାକଜମକରେ ମା’ଙ୍କୁ ଭବ୍ୟସ୍ବାଗତ କରିବାକୁ ପ୍ରସ୍ତୁତି ଚଳାଇଛି। କରୋନା ପାଇଁ ୨ବର୍ଷ କାଳ କଟକଣାରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥର କମିସନରେଟ୍ ପୁଲିସ ଦୁର୍ଗାପୂଜା ବୈଠକରେ ସବୁ କଟକଣା କୋହଳ କରିଥିବାରୁ ପ୍ରାୟ ୩୦ଲକ୍ଷ ଟଙ୍କା ବଜେଟ୍‌ରେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ସପ୍ତମୀ ଦିନ ପ୍ରାୟ ୫ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହା ସହିତ ଜାତୀୟସ୍ତରର କ୍ରୀଡ଼ାବିତ୍‌ଙ୍କୁ ଆଣି ସମ୍ବର୍ଦ୍ଧିତ କରିବାକୁ ଯୋଜନା ରହିଛି। ସେହିଭଳି ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ରାବଣ ପୋଡ଼ି ମଧ୍ୟ କମିଟି ପକ୍ଷରୁ ଆୟୋଜନ କରାଯାଇଥିବା କୁହାଯାଇଛି। ସରକାରୀ କଟକଣା ମାନି ତଥା ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାବଣ ପୋଡ଼ି ଅନୁଷ୍ଠିତ ହେବ।

ମୂର୍ତ୍ତିରେ ରାସାୟନିକ ରଙ୍ଗ ବ୍ୟବହାର ନିଷେଧ


୧୦ବର୍ଷ ହେଲା ବରମୁଣ୍ଡା ଦୁର୍ଗାପୂଜା କମିଟି ପକ୍ଷରୁ ତିଆରି ହେଉଥିବା ମା’ଙ୍କ ମୃଣ୍ମୟୀ ପ୍ରତିମାରେ ରାସାୟନିକ ରଙ୍ଗର ବ୍ୟବହାର ନିଷେଧ କରାଯାଇଛି। ତେଣୁ ଏଥର ମା’ଙ୍କ ମୂର୍ତ୍ତି କେବଳ ମାଟି ଓ ପ୍ରାକୃତିକ ରଙ୍ଗ, ପଦାର୍ଥରେ ନିର୍ମାଣ କରାଯିବ। କେବଳ ଆମ ପୂଜା କମିଟି ନୁହେଁ, ରାଜଧାନୀର ସବୁ ଦୁର୍ଗାପୂଜା କମିଟିକୁ ମଧ୍ୟ ଆମେ ସମାନ କଥା ନିବେଦନ କରିବୁ। ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ। ଯାହା ଦ୍ବାରା ଉଭୟ ନଦୀ ଓ ମୃତ୍ତିକା ବିଷାକ୍ତ ହେବନାହିଁ।
ରାମଚନ୍ଦ୍ର ରଣସିଂହ, ସଭାପତି

ପୂଜା ଉପରେ ଗୁରୁତ୍ବ

୨ବର୍ଷ ପରେ ମା’ଙ୍କ ପୂଜା ଆଡ଼ମ୍ବରରେ କରାଯାଉଛି। ତେଣୁ ଅଯଥା ଖର୍ଚ୍ଚ କରିବା ପରିବର୍ତ୍ତେ ଆମେ ମା’ଙ୍କୁ ପୂଜାର୍ଚ୍ଚନାରେ ଗୁରୁତ୍ବ ଦେବୁ। ମା’ଙ୍କୁ ଆବାହନ ବେଳେ ଯେମିତି କୌଣସି ବିଘ୍ନ ନ ଘଟେ ଏବଂ ବିଧିରେ ସମସ୍ୟା ନ ଉପୁଜେ, ସେଥିପ୍ରତି ସଚେତନ ରହିବୁ। ସେହିଭଳି ସବୁଥର ଭଳି ଏଥର ବି ଲୋକଙ୍କ ପାଇଁ ସାମାଜିକ ବାର୍ତ୍ତା ରହିଛି। ପୂର୍ବରୁ କରୋନାକୁ ନେଇ ବାର୍ତ୍ତା ଦେଉଥିଲୁ। ଏଥର କିଛି ଭିନ୍ନ ଢଙ୍ଗରେ ବାର୍ତ୍ତା ଦେବାକୁ ଚିନ୍ତା ରହିଛି।
ଅକ୍ଷୟ ପାଇକରାୟ, କାର୍ଯ୍ୟକାରୀ ସଦସ୍ୟ

ସମ୍ବନ୍ଧିତ ଖବର