ବାଲିଅନ୍ତା ବଜାର: ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱାର୍ଡ ଯୋହଳ ଛକଠାରୁ ପାରଗନ ସିଟି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାସାରା ଖଲଖମା ଯୋଗୁ ଯାତାୟାତ ଗୁରୁତର ବାଧାପ୍ରାପ୍ତ ହେଉଛି। ଫଳରେ ସାଧାରଣ ଯାତ୍ରୀ ପରିବହନ ସମେତ ଜରୁରୀକାଳୀନ ସେବା ପ୍ରଦାନକାରୀ ଗାଡ଼ିଗୁଡ଼ିକର ଚଳାଚଳରେ ଘୋର ସମସ୍ୟା ଉପୁଜୁଛି। ତେବେ ଏ ନେଇ ବାରମ୍ବାର ବିଏମ୍ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଏହି ଅଞ୍ଚଳର ବିକାଶ ପାଇଁ ପ୍ରାୟ ଦେଢ଼ କିଲୋମିଟର ରାସ୍ତାକୁ ସଂପୃକ୍ତ ବିଲ୍ଡର୍ ଭୁବନେଶ୍ବର ମହାନଗର ନିଗମକୁ ହସ୍ତାନ୍ତର କରିଥିଲା। ପରବର୍ତ୍ତୀ ସମୟରେ ବିଏମ୍ସି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର୍ ଆହ୍ବାନ କରିଥିଲା। ଟେଣ୍ଡର୍ ପାଇବା ପରେ ଠିକାଦାର କାମ ଆରମ୍ଭ କରିଥିଲେ ମଧ୍ୟ କୌଣସି କାରଣରୁ କାମ କରି ନଥିଲେ। ଏହାକୁ ନେଇ ପରବର୍ତ୍ତୀ ସମୟରେ ଠିକାଦାରଙ୍କ ଉପରେ ଜରିମାନା ଲଗାଯାଇଥିଲା। ତେବେ ଲୋକଙ୍କ ସମସ୍ୟାକୁ ଗୁରୁତ୍ବର ସହ ବିଏମ୍ସି ନେଉଛି। କିନ୍ତୁ ଆବଶ୍ୟକ ଅର୍ଥ ନ ଥିବାରୁ ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ସାଜିଛି। ଶୀଘ୍ର ଏହାର ମୂଲ୍ୟାଙ୍କନ କରାଯାଇ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ବିଏମ୍ସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଦାସ କହିଛନ୍ତି।