ଆସୁଛନ୍ତି ଦେବାଶିଷ ଓ ଅନୁରାଧା ‘ସମ୍ବାଦ’ ପକ୍ଷରୁ ପ୍ରଥମ ନାଇଟ୍‌ ସାଇକ୍ଲୋଥନ: ଆଉ ୨ ଦିନ

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ନିଆରା ଅନୁଭବ ଦେବା ଲକ୍ଷ୍ୟରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପ୍ରଥମ ‘ନାଇଟ୍‌ ସାଇକ୍ଲୋଥନ୍‌’କୁ ନେଇ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଲିବ୍ରିଟିଙ୍କ ଯୋଗଦାନ ଏହାକୁ ଅଧିକ ଆକର୍ଷଣୀୟ କରିଦେବ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି ଏବଂ ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ ଏହି ସାହାରୋହରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିବା ପରେ ଯୁବ ସାଇକେଲ ଚାଳକ ଏବଂ ଉଦୀୟମାନ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି। ରବିବାର ରାତି ୯ଟାରେ ପଞ୍ଚିକରଣ ପରେ ୧୦ଟାରୁ ଜନତା ମଇଦାନରୁ ଆରମ୍ଭ ହୋଇ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ ପରିସରରେ ଶେଷ ହେବ। ସମସ୍ତ ଅଂଶଗ୍ରହଣକାରୀ ସାଇକେଲ ଚାଳକଙ୍କୁ ଟି ସାର୍ଟ ସହିତ ରାତ୍ରୀ ଭୋଜନ ପ୍ରଦାନ କରାଯିବ। ଏହି ସାଇକ୍ଲୋଥନ୍‌ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ ପାଇଁ ଦେବାଶିଷ ମହାନ୍ତି ଓ ଅନୁରାଧା ବିଶ୍ୱାଳ ନିବେଦନ କରିଛନ୍ତି। ସାଇକେଲ ଚଳାଇବା ପ୍ରତ୍ୟେକ ମଣିଷକୁ ସୁସ୍ଥ ଜୀବନ ଦେବା ସହିତ ଦେଶରେ ପେଟ୍ରୋଲ୍‌ ବଞ୍ଚାଇବାରେ ସହାୟମ ହୋଇଥାଏ ବୋଲି କହିଛନ୍ତି ଦେବାଶିଷ ମହାନ୍ତି। ନିଜ ସାଇକେଲ୍‌ ଚଲାଇ ନିଜକୁ ସୁସ୍ଥ ରଖିବା ସହିତ ଶାରୀରିକ ସୁସ୍ଥତା, ପରିବେଶର ସୁରକ୍ଷା ଏବଂ ସଚେତନାର ବାର୍ତ୍ତା ବାଣ୍ଟିବ ଏହି ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌। ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତି ୯୧୭୮୬୧୧୯୯୬ ଏବଂ ୯୩୩୭୨୩୪୨୬୨ ନମ୍ବରରେ ଯୋଗାଯୋଗ କରି ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ। ଏହାଛଡ଼ା ପ୍ରତ୍ୟେକ ରାଜଧାନୀବାସୀ ସାଇକେଲ୍‌ ଯୋଗାଡ଼ କରିବା ସହିତ ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌ରେ ଭାଗ ନେବାକୁ ଦୈନିକ ସାଇକେଲ୍‌ ଚଲାଉଥିବା ବ୍ୟକ୍ତିବିଶେଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର