ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ସାମିଲ୍‌ ହେଲେ ଇଷ୍ଟର୍ଣ୍ଣ ବ୍ଲୁ ଓ ଇନ୍ଦ୍ରଭୁବନ

ଭୁବନେଶ୍ୱର: ଲୁହରେ ଲୁହରେ ଲଭ୍‌ଷ୍ଟୋରି ଅଧ ରାତିରେ ମନ ଓ ଆଖିକୁ ଓଦା କରୁଛି। ରୂପ ରାଇଜର ରାଜକୁମାରୀ ମଞ୍ଚକୁ ଓହ୍ଲାଇବା କ୍ଷଣି ତନମନରେ ରୋମାଞ୍ଚ ଭରୁଛି। ଏଣେ ମିଛୁଆ ସ୍ୱାମୀଙ୍କୁ ମଞ୍ଚରେ ବଦନାମ ହେବାକୁ ପଡ଼ୁଥିବା ସେପଟେ ମିଛୁଆ ରାଧୁଆର ଗପ କୁହୁକ ମନ୍ତ୍ର ବୁଣୁଛି। ଇନ୍ଦିରା ପଡ଼ିଆରେ ରାଧା ହଜି ଯାଇଥିବା ବେଳେ ଜାଗମରା ମେଳଣ ପଡ଼ିଆରେ ନାରୀର ଧୈର୍ଯ୍ୟ ତଉଲା ଚାଲିଛି। ଏପଟେ କେସିଏ ପଡ଼ିଆକୁ ଆଜି ସୁନା ହରିଣୀ ପଶି ଆସିଛି। ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ନାମୀ ପାର୍ଟି ଦ୍ୱିତୀୟ ଇନିଂସରେ ବହୁ ଚର୍ଚିତ କାହାଣୀକୁ ନେଇ ସାମିଲ୍‌ ହୋଇଛନ୍ତି। ସାରା ରାତି ଉଜାଗର ରହିବାକୁ ଯାତ୍ରା ରସିକଙ୍କୁ ବାଧ୍ୟ କରିଛନ୍ତି। ଗତକାଲିଠାରୁ ୫ଟି ନୂଆ ନାଟକ ଖଣ୍ଡଗିରି ଯାତ୍ରା ମହାମଞ୍ଚରେ ଦେଖିବାର ସୁଯୋଗ ମିଳିଥିବା ବେଳେ ଆଜି ସାମିଲ୍‌ ହୋଇଛନ୍ତି ଆଉ ୨ଟି ନାମୀ ଯାତ୍ରା ଦଳ। ଜାଗମରା ମେଳଣ ପଡ଼ିଆରୁ ଇଷ୍ଟର୍ଣ୍ଣ ରେଡ୍‌ ବିଦାୟ ନେଇଥିବା ବେଳେ ଆଜି ପ୍ରଥମ ରାତିରୁ ମନ ଜିଣିଛି ଇଷ୍ଟର୍ଣ୍ଣ ବ୍ଲୁ। ‘ନାରୀ ତୁ କେଉଁ ଧାତୁରେ ଗଢ଼ା’ ଭଳି ନାଟକ ସାଙ୍ଗକୁ ଲରେନ୍ସ, ଉଷଶୀ, ସଂଜୟ ଭୋଳ ଏବଂ ମାମିନାଙ୍କ ଭଳି କଳାକାରଙ୍କ ବଳିଷ୍ଠ ଅଭିନୟକୁ ଦର୍ଶକେ ବାଃବାଃ କରିଛନ୍ତି। ସେହିପରି କେସିଏ ପଡ଼ିଆ (୨)ରେ ‘ସୁନା ହରିଣୀ’କୁ ନେଇ ପ୍ରବେଶ କରିଛି ଯାତ୍ରା ଇନ୍ଦ୍ରଭୁବନ। ପିୟୁଷ, ମାନସ, ଭାରତୀ, ଲିପି, ଟୁକୁନା ଓ କୁନାଙ୍କ ଭଳି କଳାକାରଙ୍କ କଳା ଚାତୁରି ଦେଖିବାକୁ ମିଳିଛି।

ମହତାବ ପେଣ୍ଡାଲ୍‌ରେ ତୁଳସୀ ଗଣନାଟ୍ୟ ‘ଲୁହରେ ଲୁହରେ ଲଭ୍‌ଷ୍ଟୋରି’ ମଞ୍ଚସ୍ଥ କରିଥିବା ବେଳେ ହାପି, କମଲ, ସତ୍ୟ, ରାଧା, ତାରିଣୀ, ସାନମଣି, ଶ୍ରାବଣୀ, ରଂଜିତ, ସୋନାଲିଙ୍କ ଅଭିନୟ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। କଳିଙ୍ଗ ଗଣନାଟ୍ୟ ଇନ୍ଦିରା ପଡ଼ିଆରେ ‘ରାଧା ହଜିଗଲା ଅଧାବାଟରେ’ ମଞ୍ଚ ପଦାର୍ପଣ କରି ଲୋକଙ୍କୁ ଟାଣିବାକୁ ସକ୍ଷମ ହୋଇଛି। ପ୍ରତାପ, କାବେରୀ, ମହେନ୍ଦ୍ର ଦାସ, ନରିପଣ୍ଡାଙ୍କ ଭଳି ଯଲିଉଡ୍‌ର ଚିହ୍ନାମୁହଁଙ୍କୁ ଦେଖିବାକୁ ପେଣ୍ଡାଲ୍‌ ଆଗରେ ଲମ୍ବା ଲାଇନ୍‌ ଲାଗୁଛି। ରଙ୍ଗମହଲ ଏଥର ଓଲିଉଡ୍‌ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ମେଲୋଡ଼ିରେ ସାମିଲ୍‌ କରି ହଳଦି ଗିନା ଗୀତରେ ଦର୍ଶକଙ୍କୁ ଭରପୂର ମନୋରଂଜନ ଦେଇଛି। ଗୌର, ପୂର୍ଣ୍ଣିମା, ଜ୍ଞାନ, ଚିତ୍ତ, ଜଗନ, କଣ୍ଢେଇ ପ୍ରମୁଖ ଅଭିନେତା ଅଭିନେତ୍ରୀ ମନ ଜିଣିଛନ୍ତି। ବରମୁଣ୍ଡା ଦୁର୍ଗାମଣ୍ଡପ ପଡ଼ିଆରେ ଶିବାନୀ ଗଣନାଟ୍ୟ ଗତବର୍ଷ ଭଳି ଏଥର ବହୁ ସଂଖ୍ୟାରେ ଦର୍ଶକଙ୍କୁ ନିଜ ଆଡ଼କୁ ଟାଣିବାରେ ସକ୍ଷମ ହୋଇଛି। ‘ରୂପ ରାଇଜର ରାଜକୁମାରୀ’ରେ ଟିକି ଓ କାହ୍ନାଙ୍କ ସମେତ ସମସ୍ତ ବରିଷ୍ଠ କଳାକାରଙ୍କ ଅଭିନୟକୁ ଦର୍ଶକେ ଢେର୍‌ ପ୍ରଶଂସା କରିଛନ୍ତି। ସ୍ୱର୍ଣ୍ଣ ମହଲ ସୁରେଶ ପଣ୍ଡା, ଟିକିନା, ଶୁଭେନ୍ଦୁଙ୍କୁ ନେଇ ମଞ୍ଚସ୍ଥ କରିଥିବା ‘ମିଛୁଆ ସ୍ୱାମୀ’କୁ ଦେଖିବା ପାଇଁ ବି ଦର୍ଶକଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର