ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଥିବା ଭୁବନେଶ୍ବର ଅବକାରୀ ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଆଜି ବ୍ୟାଙ୍କ ତଥ୍ୟ ଯାଞ୍ଚ ବେଳେ ଅଧିକ ୨୧ଲକ୍ଷ ଟଙ୍କା ଜମାଥିବା ଜଣାପଡ଼ିଛି। ଏଯାଏଁ ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ୧୦କୋଟିରୁ ଊର୍ଧ୍ବ ହେବ ବୋଲି ଜଣାପଡ଼ିଛି। ଯାହାକି ତାଙ୍କ ଆୟର ୧୭୨ ପ୍ରତିଶତ ଆୟବହିର୍ଭୂତ ସମ୍ପତ୍ତି ବୋଲି ଭିଜିଲାନ୍ସ ଜ‌ାଣିବାକୁ ପାଇଛି।

Advertisment

ଅନ୍ୟପଟେ ୧୯୮୮ ଜୁନ୍‌ ୧୦ରେ ରାମଚନ୍ଦ୍ର ଅବକାରୀ ବିଭାଗର ଏସ୍‌ଆଇ ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ ମସିହାରେ ତାଙ୍କର ଇନ୍‌ସ୍ପେକ୍ଟର ଭାବେ ପଦୋନ୍ନତି ହୋଇଥିଲା। ୯ ବର୍ଷ ପରେ ଅର୍ଥାତ ୨୦୧୮ ମସିହାରେ ଅବକାରୀ ଅଧୀକ୍ଷକକୁ ପଦୋନ୍ନତି ହୋଇଥିଲା। ୨୦୨୧ ମସିହାରେ ଡେପୁଟି କମିସନର ଓ ପରେ ୨୦୨୪ ମସିହାରେ ଯୁଗ୍ମ କମିସନର ଭାବେ ଇପିକଲ୍‌ ଟାୱାରରେ ଥିବା ଅବକାରୀ ନିର୍ଦ୍ଦେଶାଳୟରେ ଯୋଗଦେଇଥିଲେ। ଚାକିରି ଆହୁରି ବର୍ଷେ ଥିବା ବେଳେ ଅବସର ପୂର୍ବରୁ ‌ଜେଲ୍‌ ଚାରିକାନ୍ଥ ଭିତରେ ଦିନ କାଟିଛନ୍ତି। ଚଢ଼ଉ ବେଳେ ଭୁବନେଶ୍ବର ଆଇଗିଣିଆ ସତ୍ୟସାଇ ଏନ୍‌କ୍ଲେଭରେ ଏକ ଡୁପ୍ଲେକ୍ସ, ଖାରବେଳନଗର ଚନ୍ଦ୍ରମା ଅପାପାର୍ଟମେଣ୍ଟରେ ୨ବିଏଚ୍‌କେ ଫ୍ଲାଟ, ବରଗଡ଼ରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ ଓ ବଲାଙ୍ଗୀରରେ ୨ଟି ତିନିମହଲା କୋଠା, ଗୋଟିଏ ଏକ ମହଲା କୋଠା ଠାବ ହୋଇଛି। ସେହିପରି ସୁବର୍ଣ୍ଣପୁରରେ ଦୁଇ ମହଲା କୋଠା, ଗୋଟିଏ ଫାର୍ମ ହାଉସ, ତାରବାହା ନିକଟରେ ଏକ ରାଇସ୍‌ ମିଲ୍‌ ଠାବ କରାଯାଇଛି। ଏହାଛଡ଼ା ସୁବର୍ଣ୍ଣପୁରରେ ୪୭ଟି, ବଲାଙ୍ଗୀରରେ ୩ଟି ଓ ସମ୍ବଲପୁରରେ ୨ଟି ମୋଟ ୫୨ଟି ପ୍ଲଟ ଠାବ କରାଯାଇଛି। ଘରୁ ନଗଦ ଟଙ୍କା, ୨୩୦ ଗ୍ରାମ୍‌ର ସୁନା ଗହଣା, ୩୧୭ ଗ୍ରାମର ରୁପା, ୧୧.୨୫ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ୩ଟି ବାଇକ୍‌ ଠାବ କରାଯଇଛି। ଏହାଛଡ଼ା ବ୍ୟାଙ୍କରେ ଓ ବିଭିନ୍ନ ବଣ୍ଡ୍‌, ଇନ୍ସ୍ୟୁରାନ୍ସରେ ୪୩.୧୨ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି।